କଟକ/ନେମାଳ/ନିଶ୍ଚିନ୍ତକୋଇଲି,୧୪/୦୧: ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଦବଙ୍ଗଗିରିର ଚିତ୍ର ସାମ୍ନାକୁ ଆସିଛି । ପୁଷ୍ୟାଭିଷେକ ଉତ୍ସବ ଅବସରରେ  ଚାଲିଥିବା ରୋଡ୍‌ ସୋ’ରେ ଶ୍ରୀ ପ୍ରଧାନ ଆଇନ ମନ୍ତ୍ରୀଙ୍କ  ସହିତ ଯାଉଥିବା ବେଳେ ଭିଡ଼ ଭିତରେ ହଠାତ ଉତ୍‌କ୍ଷୀପ୍ତ  ହୋଇ ଦଳୀୟ ସମର୍ଥକ, ଲୋକଙ୍କୁ ଠେଲାପେଲା  କରିଥିଲେ । 

କେବଳ ଦଳୀୟ କର୍ମୀ ଓ ସମର୍ଥକ ନୁହନ୍ତି,  ସୁରକ୍ଷା ଦାୟିତ୍ୱରେ ଥିବା ପିଏସ୍‌ଓଙ୍କୁ ମଧ୍ୟ ସେ ହାତ  ଉଠାଇଥିବାର ଦେଖିବାକୁ ମିଳିଥିଲା । ଏହି ସମୟର ଏକ  ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ  ଘୂରି ବୁଲୁଛି । ତେବେ ସାରଦା ଠେଲାପେଲା କରିଥିବା କର୍ମୀ  ଓ ସମର୍ଥକମାନେ କଟକ ସଦର ବିଧାୟକ ଇଂ. ପ୍ରକାଶ  ସେଠୀଙ୍କ ସହିତ ଆସିଥିଲେ ବୋଲି କୁହାଯାଉଛି । ଏହାକୁ  ନେଇ ସଦର ବିଜେପି ଶିବିରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ  ପାଇଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରକାଶଙ୍କ ସମର୍ଥକମାନେ  ମଧ୍ୟ ଏହାକୁ ବିରୋଧ କରିଥିଲେ । ତେବେ ଦଳ ଭିତରର  କଥା ହୋଇଥିବାରୁ ଏହାକୁ ଚାପି ଦିଆଯାଇଥିଲା । ତେବେ  ଏ ସଂକ୍ରାନ୍ତରେ ବିଧାୟକ ସାରଦା ପ୍ରଧାନ କିମ୍ବା ଇଂ. ପ୍ରକାଶ  ସେଠୀଙ୍କ ଶିବିର ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।