ଭୁବନେଶ୍ବର, ୧୨|୧୨: ଭକ୍ତକୁ ଉଦ୍ଧାର କଲେ ମହାପ୍ରଭୁ ଜଗନ୍ନାଥ । ଫ୍ଲାଇଟ୍ କ୍ୟାନସଲ ନେଇ ଦେଲେ ଆଗୁଆ ସୂଚନା । କାଳିଆ ସାଆନ୍ତଙ୍କ ସହିତ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ଦେଖିବା ପାଇଁ ଦିଲ୍ଲୀରୁ ଧାଇଁ ଆସିଥିଲେ ପ୍ରଦୀପ ସିଂ । ପୂରା ପରିବାର ସହିତ ଜଗନ୍ନାଥଙ୍କ ଦର୍ଶନ କଲେ । ସାଙ୍ଗରେ ଭନ୍ନକ୍ଷମ ପୁଅ ବି ଅଛନ୍ତି । ମାତ୍ର ମହାପ୍ରଭୁଙ୍କ କୃପାରୁ ପ୍ରଦୀପଙ୍କ ପରିବାର ଇଣ୍ଡିଗୋ ସଂକଟରୁ ବର୍ତ୍ତି ଯାଇଛନ୍ତି । ପ୍ରଦୀପଙ୍କ ଫ୍ଲାଇଟ୍ ଆଜି ସଂଧ୍ୟା ସାଢ଼େ 6ଟାରେ ଥିଲା । କିନ୍ତୁ ହଠାତ୍ ରାତିରେ ପିଏନଆର ଚେକ୍ କରିବା ବେଳେ ଦିନ ୧୨ଟାକୁ ଫ୍ଲାଇଟ୍ ରିସିଡ୍ୟୁଲ୍ ହୋଇଥିବା ଜାଣିବାକୁ ପାଇଥିଲେ । ହେଲେ ଇଣ୍ଡିଗୋ ପକ୍ଷରୁ କୌଣସି ଆଗୁଆ ସୂଚନା ଦିଆଯାଇନାହିଁ ବୋଲି ପ୍ରଦୀପ କହିଛନ୍ତି ।

ପ୍ରଦୀପ ସିଂ ଆହୁରି ମଧ୍ୟ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ମୁଁ ଆଗୁଆ ସୂଚନା ଜାଣିପାରିଲି । PNR ଚେକ୍ କରିନଥିଲେ ଦିବ୍ୟାଙ୍ଗ ପୁଅକୁ ଧରି ଦିଲ୍ଲୀ ଫେରିବା ମୁସ୍କିଲ୍ ହୋଇଥାନ୍ତା । ସାଢ଼େ ୬ଟା ଫ୍ଲାଇଟ୍ ପାଇଁ ହୋଟେଲରୁ ବାହାରିଥିଲେ କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। ତେବେ ଏଭଳି ସ୍ଥିତିରୁ ବର୍ତ୍ତିଯିବା କେବଳ ଜଗନ୍ନାଥଙ୍କ ପାଇଁ ସମ୍ଭବ ବୋଲି ପ୍ରଦୀପ ଓ ତାଙ୍କ ପତ୍ନୀ କହିଛନ୍ତି । ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସି ଓ ସେ ଭଲରେ ଭଲରେ ଦିଲ୍ଲୀ ଫେରି ପାରିଲେ ବୋଲି କହିଛନ୍ତି ।

ସେହିପରି ଫାର୍ମା ସେକ୍ଟରରେ କାମ କରୁଥିବା ରାଜୀବ କୁମାର ସିଂ ପାଟନାରୁ ଆସି ଭୁବନେଶ୍ୱରରୁ ଫେରୁଛନ୍ତି। ରାଜୀବଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରେ ପାଟନା-କୋଲକାତା-ଗୌହାଟୀ କନେକ୍ଟିଂ ଫ୍ଲାଇଟ୍ ପାର୍ସିଆଲି କ୍ୟାନ୍ସେଲ କରିଛି ଇଣ୍ଡିଗୋ। ଏହି କନେକଟିଂ ଫ୍ଲାଇଟ୍ ପାଟନାରୁ କୋଲକାତା ରଦ୍ଦ ହୋଇଥିବା ବେଳେ କୋଲକାତାରୁ ଗୌହାଟୀ ଫ୍ଲାଇଟ୍ ରହିଛି । ଯାହା ତାଙ୍କୁ ବହୁ ଅସୁବିଧାରେ ପକାଇବ। ତେଣୁ ସେ ପୂରା କ୍ୟାନ୍ସେଲ କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ଆଉ ଏକ ଫ୍ଲାଇଟ୍ ସେ କ୍ୟାନସେଲ୍ କରିଥିଲେ। ଇଣ୍ଡି ୮୮୦ ଟଙ୍କା ରଖି ବାକି ଟଙ୍କା ଫେରାଇ ଦେଇଛି, ଯାହା ବେଆଇନ । ପୂର୍ବରୁ ଇଣ୍ଡିଗୋ ଉପରେ ବହୁ ଭରସା ଥିଲା ହେଲେ ଆଉ ସେ ଭରସା ନାହିଁ ବୋଲି କହିଛନ୍ତି। ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ୭ ଇଣ୍ଡିଗୋ ବିମାନ ଉଡାଣ ବାତିଲ ହୋଇଛି।  ବାତିଲ୍ ବିମାନ ଭିତରେ ରହିଛି- ଭୁବନେଶ୍ୱର-ଇନ୍ଦୋର, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ଚେନ୍ନାଇ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ବାଙ୍ଗାଲୋର, ଭୁବନେଶ୍ୱର-ହାଇଦ୍ରାବାଦ, ଭୁବନେଶ୍ୱର-ଦିଲ୍ଲୀ ବିମାନ । ଗତକାଲି ଭୁବନେଶ୍ୱରରୁ ୮ଟି ବିମାନ ବାତିଲ ହୋଇଥିଲା ।