ଭୁବନେଶ୍ୱର,୩୦/୧୦: କାର୍ତ୍ତିକ ପରି ମହା ପବିତ୍ର ଆଉ ଧର୍ମ ମାସରେ ଦେଖାଇଦେଇଛି  ବିରାଟ ବିଭ୍ରାଟ । ବୁଧବାର ଦିନ ତମାମ ଏକାମ୍ର  ଅଧିପତି ଶ୍ରୀଲିଙ୍ଗରାଜ ଉପାସରେ ରହିଛନ୍ତି ।  ଗୁରୁବାର ମଧ୍ୟ ସମାନ ପରିସ୍ଥିତି ହେବ ବୋଲି  ଆଶଙ୍କା ପ୍ରକାଶ ପାଇଛି । ପହିଲି ଉପଚାର(ମଙ୍ଗଳ  ଆଳତୀ ଓ ଅବକାଶ)ସାହଣମେଲା ବଢ଼ିବା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସରି ରୋଷ  ହୋମ ବେଳେ ପୂଜାପଣ୍ଡାଙ୍କୁ ସମର୍ଥା ସେବାୟତ  ଆସି ପାଣି ଯୋଗାଇଲେ ନାହିଁ । ତେଣୁ ଆଉ  ରୋଷ ଘରେ ଚୁଲି ଜଳିଲା ନାହିଁ କି ଚୁନା କୁଟା  ହୋଇପାରିଲା ନାହିଁ । ଫଳରେ ବୁଧବାର ବହ୍ଲଭ ନୀତି ପରଠୁ ଦିନ ତମାମ ଉପାସରେ ରହିଛନ୍ତି  ଶ୍ରୀଜିଉ । 

ସୂଚନା ଅନୁଯାୟୀ, ଠାକୁରଙ୍କ ସମର୍ଥା  ସେବାୟତର ନିଅଂଶ(ଉତ୍ତରାଧିକାରୀ ନ  ଥିବା)ପରିବାରର ୨ ଦିନ(ବୁଧ ଏବଂ ଗୁରବାର)  ପାଳି ଥିଲା । ଯାହା ଆଗରୁ ନିଜ ମଧ୍ୟରେ  ଆଲୋଚନା କରି ସମର୍ଥା ସେବାୟତମାନେ  ନିଅଂଶ ପାଳି ତୁଲାଉ ଥିଲେ । କିନ୍ତୁ ଗତ ମାସ  ୪ ତାରିଖରେ ବିଏମ୍‌ସି ଓ ମନ୍ଦିର ପ୍ରଶାସନ  ମିଳିତ ଭାବେ କିଛି ସମର୍ଥା ସେବାୟତଙ୍କ ଫୁଲ- ଦୀପ ଦୋକାନ ସିଂହଦ୍ୱାର ସମ୍ମୁଖରେ ଉଚ୍ଛେଦ  କରାଇଥିବାରୁ ସେହିଦିନଠାରୁ ସେମାନେ  ନୀତିରେ ସହଯୋଗ କରିବେନି ବୋଲି କଡ଼ା  ଚେତାବନୀ ଦେଇଥିଲେ । କିଛିଦିନ ପରେ  ଅର୍ଥାତ ୯ ତାରିଖରେ ଏହି ନିଅଂଶ ପାଳି  ପାଇଁ ଅସହଯୋଗର ଝଲକ ମଧ୍ୟ ଦେଖିବାକୁ  ମିଳିଥିଲା । ସେଦିନ ନିଅଂଶ ପାଳିର ସେବାୟତ  ନ ଆସିବାରୁ ସମସ୍ତ ନୀତି ଆଉ ଧୂପ ବେଳେ  ବିନା ଘଣ୍ଟ ବାଦ୍ୟରେ କାମ ଚଳାଯାଇଥିଲା ।  ସେତେବେଳେ ଯଦି ପ୍ରଶାସନ ଘଟଣାକୁ ଗୁରୁତର  ଭାବେ ବିଚାରକୁ ନେଇଥାନ୍ତା, ହୁଏତ ଆଜିର  ପରିସ୍ଥିତିକୁ ଏଡାଇ ଦିଆଯାଇପାରିଥାନ୍ତା । ମାତ୍ର  ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷମାନେ କହିଲେ, ଆମେ ନିଅଂଶ ପାଳି ବାବଦରେ ତଦନ୍ତ କରିଛୁ ।  ଖୁବ୍‌ଶୀଘ୍ର ଏହି ଦ୍ୱନ୍ଦ୍ୱର ପୂର୍ଣ୍ଣଚ୍ଛେଦ ପଡ଼ିବ । କିନ୍ତୁ  ୫୦ ଦିନ ବିତିଗଲା ପଛେ ସମସ୍ୟା ସମାଧାନ  ହେଲାନି । ପ୍ରଶାସନ ଚାହିଁଥିଲେ ଏହି ସମୟ  ମଧ୍ୟରେ ଜିଲ୍ଲାପାଳଙ୍କ ଅନୁମତି ନେଇ ଏକ  ଜରୁରୀକାଳିନ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି  ନେଇପାରିଥାନ୍ତା ବୋଲି ବହୁ ବରିଷ୍ଠ ସେବାୟତ  କହିଛନ୍ତି । 

ସେହିପରି ସମର୍ଥା ସେବାୟତମାନେ ମଧ୍ୟ  ଅନ୍ୟ ପନ୍ଥା ଅବଲମ୍ବନ କରି ପେଟପାଟଣା ଓ  ବୃତ୍ତି ପାଇଁ ପ୍ରଶାସନ ଆଗରେ ପ୍ରତିବାଦ କରି  ପାରିଥାନ୍ତେ । କିନ୍ତୁ କାର୍ତ୍ତିକ ପରିକା ମାସରେ  ଦିଅଁଙ୍କ ସେବା ବନ୍ଦ କରିବା ସମ୍ପୂର୍ଣ୍ଣ ଅଶୋଭନୀୟ  ବୋଲି ଦିପହରେ ଅଭଡ଼ା ଭୋଗ ପାଇଁ ଆସି  ନିରାଶ ହୋଇ ଫେରିଥିବା କିଛି ଶ୍ରଦ୍ଧାଳୁ କହିଛନ୍ତି ।  ଜଣେ ବରିଷ୍ଠ ସମର୍ଥା ସେବାୟତ କହିଛନ୍ତି,  ପ୍ରଶାସନ ଆମ ନାକରେ ଦଉଡ଼ି ବେକରେ  ପଘା ବାନ୍ଧି କଲବଲ କରୁଛି । ଶେଷରେ ଆମେ  ନିରୁପାୟ ହେଲୁ । ଦୀର୍ଘବର୍ଷ ହେଲା ନିଅଂଶ  ପାଳି ଦ୍ୱନ୍ଦ୍ୱ ତୁଟାଇଲେ ନାହିଁ । ତା’ସହିତ ପେଟ  ପାଟଣା ପାଇଁ ଦୋକାନ ଟିଏ ଖୋଲିଲେ ରଖେଇ  ଥୋଇ ଦେଲେନି । ତଥାପି ଆଜି ମଧ୍ୟ ପ୍ରଶାସନ  କଥା ମାନି ମନ୍ଦିର କାର୍ଯ୍ୟାଳୟକୁ ଆଲୋଚନା  ପାଇଁ ଆମ ପିଲା ଆସିଥିଲେ । କିନ୍ତୁ ସେମାନଙ୍କୁ  ବିବାଦ ତୁଟାଇବା ଲାଗି ପ୍ରଶାସନ ଲିଖିତ ପ୍ରତିଶ୍ରୁତି  ଦେଲାନି । କେତେଦିନ ଏମିତି ତୁଣ୍ଡରେ କାମ  ଚଳିବ । 

ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ଆମେ ଏବେ  ବି ଲଗାତାର ସମ୍ପୃକ୍ତ ସେବାୟତଙ୍କୁ ବୁଝାଇବାକୁ  ପ୍ରୟାସ କରୁଛୁ । ଆଶା କରୁଛୁ ଗୁରୁବାର  ସେମାନେ ନୀତିରେ ସହଯୋଗ କରିବେ ।  ଆମେ ନିଅଂଶ ପାଳି ବିବାଦ ତୁଟାଇବାକୁ  ତଦନ୍ତ ସାରି ଆସନ୍ତା ମାସ ପହିଲା ସପ୍ତାହ  ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟ୍ରଷ୍ଟବୋର୍ଡ  ବୈଠକରେ ଚୁଡାନ୍ତ କରିବୁ । ଏ ସବୁ ଜାଣି ଯଦି  କୌଣସି ସେବାୟତ ଅମାନିଆ ହୁଅନ୍ତି, ତେବେ  ପ୍ରଶାସନ ବି ଜମିବାଡୁଠୁ(ସେବା ପାଇଁ ଉର୍ଦ୍ଧିଷ୍ଟ) ନେଇ ସବୁ କିଛି ଖୋଳତାଡ଼ ଆରମ୍ଭ କରିବ ।