ପୁରୀ ୦୯/୦୨: ଯେଉଁ ଟେବୁଲରେ ଲୋକେ ଆମିଷ ଖାଆନ୍ତି, ସେହି ଟେବୁଲ ଉପରେ ବସି ମହାପ୍ରସାଦ ଖାଇଛନ୍ତି ବଙ୍ଗୀୟ ଯାତ୍ରୀ । ଜୋତା ପିନ୍ଧି ଓ ଚୌକିରେ ବସି ପରିବାର ସହ ଅବଢ଼ା ଖାଇବା ସହରବାସୀଙ୍କୁ ତାଜୁବ କରିଛି । ପୁରୀର ଏକ ଜଣାଶୁଣା ହୋଟେଲରେ ଯାତ୍ରୀମାନେ ଅବଢ଼ାକୁ ଅସମ୍ମାନ କରି ଖାଉଥିବା ସମୟର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଭକ୍ତି ଭାବର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେପରି ଅକ୍ଲେଶରେ ମୁକ୍ତି ଦେଇଥାଏ, ସେହିପରି ମହାପ୍ରସାଦକୁ ଭକ୍ତିଭାବର ସହ ଦର୍ଶନ ଓ ସେବନ ମୁକ୍ତି ଦେଇଥାଏ ବୋଲି ପୌରାଣିକ ବର୍ଣ୍ଣନା ରହିଛି । ତେଣୁ ମହାପ୍ରସାଦକୁ ଉଚ୍ଚ ସ୍ଥାନ ଦେଇ ତଳେ ବସି ଶ୍ରଦ୍ଧାଳୁ ଏହାକୁ ସେବନ କରିଥାଆନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଶ୍ରୀକ୍ଷେତ୍ରରେ ହୋଟେଲ ଶିଳ୍ପ ବଢ଼ିବା ସହ ଏଠାରେ ଅର୍ଡର ଦେଇ ଯାତ୍ରୀମାନେ ସହଜରେ ମହାପ୍ରସାଦ ପାଇପାରୁଛନ୍ତି । ଆଉ ମହାପ୍ରସାଦର ସମ୍ମାନ ପ୍ରତି ସଚେତନ ନଥିବା ଯାତ୍ରୀମାନେ ମହାପ୍ରସାଦକୁ ଅସମ୍ମାନ କରୁଛନ୍ତି ।
ଏନେଇ ବରିଷ୍ଠ ପୂଜାପଣ୍ଡା ସେବକ ସୁନୀଲ ପୂଜାପଣ୍ଡା କହିଛନ୍ତି, ପ୍ରତ୍ୟେକ ହୋଟେଲ ଯାତ୍ରୀଙ୍କୁ ଏନେଇ ସଚେତନ କରିବା କଥା । ମହାପ୍ରସାଦ ଖାଇବା ନିମନ୍ତେ ପ୍ରତି ହୋଟେଲ୍ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସଂରକ୍ଷିତ ରଖାଯାଉ । ଆମିଷ ଖାଉଥିବା ସ୍ଥାନରେ ମହାପ୍ରସାଦ ସେବା ବନ୍ଦ କରାଯାଉ । ଏହି ଆସୁରିକ ଖାଦ୍ୟ ରହୁଥିବା ଫ୍ରିଜ୍ଗୁଡ଼ିକରେ ରଖାଯାଉଥିବା ପାଣି ବୋତଲ ମହାପ୍ରସାଦ ଖାଉଥିବା ସ୍ଥଳରେ ଦିଆନଯାଉ । ଯାତ୍ରୀଙ୍କୁ ସଚେତନ କରିବା ନିମନ୍ତେ ସମସ୍ତେ ପ୍ରୟାସ କଲେ ଏଭଳି ଅପରାଧ ଦୃଶ୍ୟ ଦେଖିବାକୁ ମିଳିବନି ।
ଆହୁରି ପଢ଼ନ୍ତୁ :- ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା, ଅନଲାଇନ୍ରେ ହେବ ଅଭିଯୋଗ ସମାଧାନ