ଭୁବନେଶ୍ୱର,୯/୨: ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ କମିବ କାଗଜପତ୍ରରେ କାରବାର । ଆଉ ରହିବନି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହଜିବାର ଚିନ୍ତା । କମିବ ଦୁର୍ନୀତି, ଆସିବ ସ୍ୱଚ୍ଛତା । କାରଣ ରାଜ୍ୟର ସମସ୍ତ ପାକ୍ସଗୁଡ଼ିକ ହେବ ଡିଜିଟାଇଜେସନ୍‌ । ଅନଲାଇନ୍‌ରେ ତଥ୍ୟ ରହିବା ସହିତ ପରିଚାଳିତ ହେବ । ମାନୁଆଲି ନ ହୋଇ ସମ୍ପୂର୍ଣ୍ଣ ଭାବେ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ । ସମସ୍ତ ପାକ୍ସ ସେମାନଙ୍କର ବାର୍ଷିକ ରିଟର୍ଣ୍ଣ ଓ ରିପୋର୍ଟଗୁଡ଼ିକର ଇ-ଫାଇଲିଂ କରିବେ । ଇ-ତଦନ୍ତ ଓ ଇ-ଅଡିଟ୍‌ କରାଯିବ । ଏଣିକି ଚାଷୀ ଓ ଉପଭୋକ୍ତାମାନଙ୍କର ସମବାୟ ସମିତି ସମ୍ପର୍କରେ କିଛି ଅଭିଯୋଗ ଥିଲେ ତାହା ସେମାନେ ଅନଲାଇନ୍‌ରେ ଦାଖଲ କରିବେ । ତାହା ଅନଲାଇନ୍‌ରେ ସମାଧାନ ହେବ । 

ସମସ୍ତ ପାକ୍ସଗୁଡ଼ିକର ପଞ୍ଜୀକରଣ ବି ଅନଲାଇନ୍‌ରେ ହେବ । ସମବାୟ ନିବନ୍ଧକ ଏହାର ତଦାରଖ କରିବେ । ସମବାୟ ସମିତି ସମୂହ ଅଡିଟ୍‌ର ନିର୍ଦ୍ଦେଶାଳୟ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବେ । ଉପ ସମବାୟ ନିବନ୍ଧକ, ବରିଷ୍ଠ ସହକାରୀ ସମବାୟ ଉପ ନିବନ୍ଧକ ପ୍ରମୁଖ ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ବହନ କରିବେ । ଅପରପକ୍ଷେ ସାରା ରାଜ୍ୟରେ ଏକ ସମବାୟ ତଥ୍ୟ ଡାଟାବେସ୍‌ ରହିବ । ଯାହା ଜାତୀୟ ସମବାୟ ତଥ୍ୟ ଡାଟାବେସ୍‌ ଭଳି ହେବ । ଏହି ତଥ୍ୟ ମଧ୍ୟରେ ସଦସ୍ୟତା, ଆର୍ଥିକ ସ୍ଥିତି, ସମବାୟ ଅନୁଷ୍ଠାନର କାର୍ଯ୍ୟକାରିତା ଉପଲବ୍ଧ ହେବ । ଫଳରେ ରାଜ୍ୟରେ ହେଉ କିମ୍ବା ସାରା ଦେଶରେ ଆବଶ୍ୟକ ମୁତାବକ ତଥ୍ୟ ଉପଲବ୍ଧ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଯେଉଁ ସମବାୟ ସଂସ୍ଥା ପଛରେ ପଡ଼ିଥିବ, ତାହାକୁ ପ୍ରୋତ୍ସାହନ ଦେଇ ପରିଚାଳନା କରିହେବ । 

ରାଜ୍ୟରେ ଏବେ ପାଖାପାଖି ୮ହଜାର ସମବାୟ ସଂସ୍ଥା ରହିଛି । ସେଥିମଧ୍ୟରୁ କୃଷି ସମବାୟ, ଗୋ ସମବାୟ, ମତ୍ସ୍ୟ ସମବାୟ, କୁକୁଡ଼ା ସମବାୟ, ହସ୍ତତନ୍ତ ସମବାୟ, ହସ୍ତଶିଳ୍ପ ସମବାୟ, ବୟନ ସମବାୟ, ଆଦିବାସୀ ଉନ୍ନୟନ ସମବାୟ, ଉପଭୋକ୍ତା ସମବାୟ ଓ କର୍ମଚାରୀ କଲ୍ୟାଣ ସମବାୟ ସଂସ୍ଥା ଆଗ ଧାଡ଼ିରେ ରହିଛି । ଏ ସମସ୍ତ ସମବାୟର ସଦସ୍ୟ ସଂଖ୍ୟା ମିଶିଲେ ୧ କୋଟିରୁ ଅଧିକ ହେବ । ଏହି ସମବାୟ ସଂସ୍ଥାଗୁଡ଼ିକ ମଧ୍ୟରୁ ସର୍ବାଧିକ ୪୨୫୨ ପାକ୍ସ ଓ ଲାମ୍ପ୍ସ ରହିଛି । ୧୭ଟି ଜିଲ୍ଳାସ୍ତରୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ରହିଛି । ଏସବୁକୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କରୁଛି । ଆଗାମୀ ଦିନରେ ସବୁ ଜିଲ୍ଲାରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କରାଯିବାର ଯୋଜନା ରହିଛି । ଏହା ସହିତ ୨୦୩୦ ସୁଦ୍ଧା ସବୁ ପଞ୍ଚାୟତରେ ପାକ୍ସ ହେବ ।

ଆହୁରି ପଢନ୍ତୁ-ଶିଶୁଭବନ ଓଭରବ୍ରିଜରେ ବଡ଼ ଦୁର୍ଘଟଣା, ବ୍ୟାରିକେଡ୍‌କୁ ପିଟି ତଳକୁ ଖସିଲା କାର୍

ବର୍ତ୍ତମାନ ଆମ ରାଜ୍ୟରେ ୬୭୯୪ ପଞ୍ଚାୟତ ମଧ୍ୟରୁ ୪୨୫୨ ପଞ୍ଚାୟତରେ ପାକ୍ସ କିମ୍ବା ଲ୍ୟାମ୍ପସ ରହିଛି । ହେଲେ ଆଗାମୀ ଦିନରେ ଏହି ସମସ୍ତ ସମବାୟ ସଂସ୍ଥା ଚଳାଇବା ପାଇଁ ଆସିବ କମନ ବ୍ୟଙ୍କିଂ ସଫ୍ଟୱେର । ଫଳରେ ଅନଲାଇନ୍‌ରେ ପରିଚାଳନାରେ ଆଉ ବିଶେଷ ଅସୁବିଧା ହେବନି । ସେହିପରି ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକରେ ପ୍ରଚଳିତ ହେବ ରୂପେ କିଷାନ କ୍ରେଡିଟ କାର୍ଡ । ଯାହା ଦ୍ୱାରା ସାରା ଦେଶରେ ଅନ୍ୟ ରାଜ୍ୟର ଚାଷୀଗୁଡ଼ିକ ପାଉଥିବା ସୁବିଧା ସୁଯୋଗ ଆମ ରାଜ୍ୟର ଚାଷୀମାନେ ପାଇପାରିବେ । ଗତ ଜାନୁଆରୀ ୩୧ ତାରିଖରେ କ୍ୟାବିନେଟରେ ରାଜ୍ୟ ସମବାୟ ନୀତି-୨୦୨୬ ଅନୁମୋଦନ ଲାଭ କରିଛି । ସେଥିରେ ବିଭିନ୍ନ ସଂସ୍କାର ଆସିବା ସହ ‘ସହଯୋଗରୁ ସମୃଦ୍ଧି’କୁ ଗୁରୁତ୍ୱ ଦିଆଯାଇଛି । ଜାତୀୟ ସମବାୟ ନୀତି ସହ ଖାପ ଖୁଆଇ ଏହାକୁ ପ୍ରସ୍ତୁତ କରାଯାଇଥିବା ସୂଚନା ଦିଆଯାଇଛି ।