ମୁମ୍ବାଇ,୨୭/୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନର ଉତ୍ତରକୁ ନେଇ ଏକ ରାଜନୈତିକ ହଇଚଇ ଲାଗି ରହିଛି। ବର୍ତ୍ତମାନ ଲାଗୁଛି ଯେ ମହାୟୁତିରେ ସସପେନ୍ସ ଶେଷ ହେବାକୁ ଯାଉଛି। ଏହାରି ଭିତରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିହାରର ଫର୍ମୁଲାକୁ ପୁନରାବୃତ୍ତି କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ବିଜେପି ସୂଚିତ କରିଛି। ମଙ୍ଗଳବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ସନ୍ଦେହ ଜାରି ରହିଛି। ଏସବୁ ଭିତରେ, ଏମିତି କିଛି ବୟାନ ତଥା ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ?
'ବିହାର ଫର୍ମୁଲା ଦୋହରାଇବାର କୌଣସି ପ୍ରଶ୍ନ ଉଠୁନି'
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରେମ ଶୁକ୍ଲା ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ, "ସର୍ବପ୍ରଥମେ ବିହାରରେ ନୀତୀଶ କୁମାରଙ୍କୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବାର ଘୋଷଣା ନିର୍ବାଚନ ପୂର୍ବରୁ କରାଯାଇଥିଲା।' ତେବେ ମହାରାଷ୍ଟ୍ରରେ ଶିବସେନା ସହିତ ସେପରି କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିଲା। ଦ୍ୱିତୀୟରେ, ଆମେ ବିହାରରେ ଜନତା ଦଳ (ୟୁନାଇଟେଡ୍) ସହିତ ମେଣ୍ଟ କରିଥିଲୁ, ଯାହାଦ୍ୱାରା ବିଜେପି ରାଜ୍ୟରେ ମୂଳଦୁଆ ପ୍ରତିଷ୍ଠା କରିପାରିବ, ତେଣୁ ମହାରାଷ୍ଟ୍ରରେ ଏହାକୁ ପୁନରାବୃତ୍ତି କରିବାର କୌଣସି ପ୍ରଶ୍ନ ଉଠୁନାହିଁ। " ସେ ଆହୁରି ମଧ୍ୟ କହିଛନ୍ତି, “ବିହାରରେ ଲାଗୁ ହୋଇଥିବା ମଡେଲ ମହାରାଷ୍ଟ୍ର ପାଇଁ ଠିକ ନୁହେଁ, ମହାରାଷ୍ଟ୍ରରେ ଏଭଳି ପ୍ରତିବଦ୍ଧତାର କୌଣସି କାରଣ ନାହିଁ କାରଣ ଆମର ଦୃଢ଼ ସାଂଗଠନିକ ଆଧାର ଏବଂ ନେତୃତ୍ୱ ରହିଛି।'
ରାଓସାହେବ ଦାନଭେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି:
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନିର୍ବାଚନ ସଂଯୋଜକ ରାଓସାହେବ ଦାନଭେ କିଛି ଶିବସେନା ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେଙ୍କୁ ଶୀର୍ଷ ପଦବୀ ଦେବାକୁ ପ୍ରତିଜ୍ଞା ତଥା ଦାବି କରାଯାଇଛି। ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ଦଳ ସେମାନଙ୍କ ବିଧାୟକ ଦଳର ନେତାଙ୍କୁ ନିଯୁକ୍ତ କରିସାରିଛନ୍ତି ଏବଂ ଖୁବ ଶୀଘ୍ର ବିଜେପି ଜଣେ ନେତା ଚୟନ କରିବ।"
ଦେବେନ୍ଦ୍ର ଫଡନାବିସ୍ଙ୍କୁ ସମର୍ଥନ କରିଛନ୍ତି ରାମଦାସ ଅଠାବଲେ:
କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ନୂଆଦିଲ୍ଲୀରେ କହିଛନ୍ତି ଯେ ବିଜେପି ତୃତୀୟ ଥର ପାଇଁ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି, ଅବଶ୍ୟ ଦଳ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ। ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ବିଜେପି ନେତା କହିଛନ୍ତି ଯେ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ବିଭାଜନ ଶେଷ ନହେବା ପର୍ଯ୍ୟନ୍ତ ଦଳ ନିଜର ପ୍ରାର୍ଥୀ ଘୋଷଣା କରିବାକୁ ତତ୍ପର ହେବ ନାହିଁ।
ଅଧ୍ୟକ୍ଷ ସୁନିଲ ତଟକରେଙ୍କ ପ୍ରତିକ୍ରିୟା:
ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ବେଳେ ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ କହିଛନ୍ତି ଯେ ଅଜିତ ପାୱାର ସିଏମ ହେବା ଉଚିତ କାରଣ ସେ ଦଳର “ବ୍ୟବହାରିକ ସୀମା” କୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଦଳ "ଦିବା ସ୍ୱପ୍ନ ଦେଖିବା ଉଚିତ ନୁହେଁ"। ତଟକରେ କହିଛନ୍ତି ଯେ, ମହାୟୁତି ଦିନେ କିମ୍ବା ଦୁଇଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ।
'ସତ୍ୟତା ସହିତ ଅଛନ୍ତି ମହାରାଷ୍ଟ୍ର ଜନତା':
ବିଜେପି ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରଶେଖର ବୱନକୁଲେ କହିଛନ୍ତି, "ଯାହାବି ଘଟିଛି ସେନେଇ ବିରୋଧୀ ଏବେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ହାରିବା ପରେ ସେମାନେ କୁହନ୍ତି ଯେ ଇଭିଏମ୍ ଖରାପ ଥିଲା।' ଜଣେ ନିଜ ନିଜ ସ୍ଥିତିର ଆକଳନ କରିବା ଉଚିତ୍। ଆମେ ପ୍ରତ୍ୟେକ ବୁଥରେ କାମ କରିଛୁ। ବର୍ତ୍ତମାନ ଲୋକମାନେ ମହାରାଷ୍ଟ୍ରର ସତ୍ୟତା ତଥା ବାସ୍ତବିକତା ସହିତ ଅଛନ୍ତି, ସେମାନେ ମହା ବିକାଶ ଅଘାଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।' ତେବେ ତମାମ ଆଲୋଚନା, ବୟାନ ଭିତରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଢ଼େର ଚର୍ଚ୍ଚା ଲାଗିରହିଛି।