ମୁମ୍ବାଇ, ୮/୧ : ମହାରାଷ୍ଟ୍ର ପଶ୍ଚିମ ବିଦର୍ଭର ବୁଲଢାଣା ଜିଲ୍ଲାର ୩ଗାଁରେ ଏକ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ଗାଁରେ ଅଧିକରୁ ଅଧିକ ପୁରୁଷ ଏବଂ ମହିଳା ଏହି ରୋଗରେ ଆକ୍ରାନ୍ତ ହେବାକୁ ଲାଗିଛନ୍ତି । ଏଠାରେ ଲୋକମାନଙ୍କ ମୁଣ୍ଡ ଏବଂ ଦେହର କେଶ ଆପେ ଆପେ ଝଡ଼ିବାକୁ ଲାଗିଛି । କିଛି ଲୋକ ତ ପ୍ରାୟ ୩ଦିନ ଭିତରେ ଲଣ୍ଡା ହୋଇସାରିଲେଣି । ତାଙ୍କ ହାତ ଏବଂ ଗୋଡ଼ର କେଶ ବି ଝଡ଼ି ସାରିଲାଣି ।
ଲୋକଙ୍କୁ ଏହି ରୋଗର ନା କାରଣ ଜଣାଅଛି ନା ସମାଧାନ । ଡାକ୍ତରମାନେ ବି ଏହାର ଚିକିତ୍ସା ବାହାର କରିପାରୁନାହାନ୍ତି । ଏଭଳି ସ୍ଥଳେ ଲୋକଙ୍କ ମଧ୍ୟରେ ଭୟର ଏକ ବାତାବରଣ ଖେଳିଯାଇଛି । ଭୟଭୀତ ଭିତରେ ସ୍ବାସ୍ଥ୍ୟ ବିଭାଗ ଏହି ରହସ୍ୟମୟୀ ରୋଗର ଯାଞ୍ଚ ଆରମ୍ଭ କରି ଦେଇଛି । ରିପୋର୍ଟ ଅନୁସାରେ ବୁଲଢାଣାରେ ଗତ ୩ଦିନରେ ପ୍ରାୟ ୬୦ଲୋକ ଲଣ୍ଡା ହୋଇସାରିଲେଣି ।