ମୁମ୍ବାଇ/ନୂଆଦିଲ୍ଲୀ,୨୯/୦୧: ସ୍ତବ୍ଧ ମହାରାଷ୍ଟ୍ର । ଶୋକାଭିଭୂତ ମୁମ୍ବାଇ । ହତବାକ୍ ବାରାମତୀ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ ପାୱାରଙ୍କର ଅଚାନକ ଏକ ବିମାନ ଦୁର୍ଘଟଣାରେ ବିୟୋଗ ସମସ୍ତଙ୍କୁ ଶୋକରେ ବୁଡ଼ାଇ ଦେଇଛି । ଅଜିତଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।ଆଜି ବାରାମତୀସ୍ଥିତ ଅଜିତଙ୍କ ପୈତୃକ ଗ୍ରାମ କାଟେୱାଡ଼ିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ। ଅନ୍ତିମ ସଂସ୍କାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ ସାମିଲ ହେବାକୁ ଗୁରୁବାର ବାରାମତୀ ଗସ୍ତ କରିବେ । ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଆଜି ମୁମ୍ବାଇରୁ ବାରାମତୀ ଗସ୍ତ କରିଛନ୍ତି ।
ବୁଧବାର ସକାଳ ୮ଟା ୪୫ରେ ମହାରାଷ୍ଟ୍ରର ବାରାମତୀରେ ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଜିତ ପାୱାର । ମୁମ୍ବାଇରୁ ବାରାମତୀ ଯାତ୍ରା କରୁଥିବା ବେଳେ ତାଙ୍କର ଚାର୍ଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତ୍ୟୁ ବେଳକୁ ଅଜିତଙ୍କୁ ୬୬ ବର୍ଷ ହୋଇଥିଲା । ଦୁର୍ଘଟଣାରେ ଅଜିତଙ୍କ ସହ ସୁରକ୍ଷା କର୍ମୀ, ଦୁଇଜଣ ପାଇଲଟ୍ ଏବଂ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ମୃତକମାନେ ହେଲେ ବିଦିପ ଯାଦବ, ପିଙ୍କି ମାଲି,ମୁଖ୍ୟ ପାଇଲଟ୍ ସୁମିତ କପୁର ଏବଂ କୋ- ପାଇଲଟ୍ ସାମ୍ଭବୀ ପାଠକ । ଅଜିତ ଆସନ୍ତା ୫ ତାରିଖରେ ପୁନେରେ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪ଟି ଜନସଭାରେ ଉଦ୍ବୋଧନ ଦେଇଥାନ୍ତେ । ସେ ବୁଧବାର ସକାଳ ପ୍ରାୟ ୮ଟା ୧୦ରେ ମୁମ୍ବାଇରୁ ଯାତ୍ରା ଆରମ୍ଭ କରିଥିଲେ । ବାରାମତୀ ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାଇଲଟ୍ ରନ୍କୁ ଠିକ୍ ଭାବେ ଦେଖିପାରି ନ ଥିଲେ । ପ୍ରଥମ ଥର ବିଫଳ ହେବା ପରେ ସେ ବିମାନକୁ ପୁଣି ଉପରକୁ ନେଇଯାଇଥିଲେ ।
ପୁନର୍ବାର ଅବତରଣ ପାଇଁ ପାଇଲଟ୍ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ପ୍ରଚଣ୍ଡ ବିସ୍ଫୋରଣ ହୋଇ ବିମାନଟି ଜଳିଯାଇଥିଲା । ଏଥିରେ ସମସ୍ତ ୫ ଜଣ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି । ପାଇଲଟ୍ କୌଣସି ଏମର୍ଜେନ୍ସି ସିଗ୍ନାଲ ଦେଇ ନ ଥିଲେ କି ‘ମେ ଡେ’ କଲ୍ ବି କରି ନ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଜିତ ସମ୍ପୂର୍ଣ୍ଣ ଜଳି ଯାଇଥିଲେ । ତାଙ୍କ ହାତ ଘଣ୍ଟାରୁ ତାଙ୍କୁ ଚିହ୍ନଟ କରାଯାଇଥିଲା । ଅଜିତଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
ଖବର ପାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ଅଜିତଙ୍କ ଦାଦା ଶରଦ ପାୱାର, ପତ୍ନୀ ସୁନେତ୍ରା, ଦୁଇ ପୁଅ ଏବଂ ଭଉଣୀ ସୁପ୍ରିୟା ସୁଲେ ବାରାମତୀ ପହଞ୍ଚିଛନ୍ତି । ଅଜିତଙ୍କ ସାନପୁଅ ଜୟ ପାୱାର ପିତାଙ୍କ ପାର୍ଥିବ ଶରୀର ନେବାକୁ ବାରାମତୀ ହସ୍ପିଟାଲ ପହଞ୍ଚିଥିଲେ । ଏହାପରେ ତାଙ୍କ ମରଶରୀରକୁ ବିଦ୍ୟା ପ୍ରତିଷ୍ଠାନ ନିଆଯାଇଥିଲା । ସେଠାରେ ଜନତା ତାଙ୍କର ଶେଷ ଦର୍ଶନ କରିଛନ୍ତି । ଆଜି ବାରାମତୀସ୍ଥିତ ଅଜିତଙ୍କ ପୈତୃକ ଗ୍ରାମ କାଟେୱାଡ଼ିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଅନ୍ତିମ ସଂସ୍କାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ ସାମିଲ ହେବାକୁ ଗୁରୁବାର ବାରାମତୀ ଗସ୍ତ କରିବେ । ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଆଜି ମୁମ୍ବାଇରୁ ବାରାମତୀ ଗସ୍ତ କରିଛନ୍ତି ।
ରେକର୍ଡ ୬ ଥର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତା ଶୋକବ୍ୟକ୍ତ କରିଛନ୍ତି । ମୋଦି କହିଛନ୍ତି, ଆଜି ସକାଳେ ମହାରାଷ୍ଟ୍ରରେ ଦୁଃଖଦ ବିମାନ ଦୁର୍ଘଟଣା ଘଟିଲା । ଏଥିରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ କିଛି ସାଥୀଙ୍କୁ ଆମଠାରୁ ଛଡ଼ାଇ ନେଲା । ଅଜିତ ଦାଦା ମହାରାଷ୍ଟ୍ର ଓ ଦେଶର ବିକାଶରେ ନିଜର ବଡ଼ ଯୋଗଦାନ ଦେଇଛନ୍ତି । ବିଶେଷକରି ଗ୍ରାମୀଣ ଜୀବନକୁ ଉନ୍ନତ ବନାଇବା ସକାଶେ ସେ ସବୁବେଳେ ଆଗକୁ ଆସି କାମ କରିଛନ୍ତି । ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରକୁ ମଧ୍ୟ ସମବେଦନା ।
ବାରାମତୀରେ ଘଟିଥିବା ଏହି ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ବିମାନ ‘ଭିଟି-ଏସ୍ଏସ୍କେ’ରେ କୌଣସି ବୈଷୟିକ ତ୍ରୁଟି ନ ଥିଲା । ଏହା ନିକଟରେ ସମସ୍ତ ଜରୁରି ବୈଧ ପ୍ରମାଣପତ୍ର ଥିଲା । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ପକ୍ଷରୁ ଏହି ତଦନ୍ତ କରାଯାଇଛି । ତଦନ୍ତ ଏଜେନ୍ସିର ଏକ ଟିମ୍ ଦିଲ୍ଲୀରେ ବିମାନକୁ ପରିଚାଳନା କରୁଥିବା କମ୍ପାନି ଭିଏସ୍ଆର୍ ଭେଞ୍ଚର୍ସର କାର୍ଯ୍ୟାଳୟରେ ପହଞ୍ଚିଛି । ଆଉ ଗୋଟିଏ ଟିମ୍ ବାରାମତୀ ଯାଇଛି ।
କମ୍ପାନି ଭିଏସ୍ଆର୍ ଭେଞ୍ଚର୍ସ କହିଛି, ପାଇଲଟ୍ଙ୍କର ୧୬ ହଜାର ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା । କୋ-ପାଇଲଟ୍ଙ୍କ ପାଖରେ ୧୫୦୦ ଘଣ୍ଟାର ଅଭିଜ୍ଞତା ଥିଲା । ଅବତରଣ ବେଳେ ସ୍ୱଳ୍ପ ଦୃଶ୍ୟମାନ ହିଁ ଦୁର୍ଘଟଣାର ପ୍ରକୃତ କାରଣ ।
ଆହୁରି ପଢ଼ନ୍ତୁ:- ଅଜିତ୍ ପାୱାରଙ୍କ ମୃତ୍ୟୁ ପରେ କ'ଣ ହେବ ଏନସିପି ଭାଗ୍ୟ ? ପତ୍ନୀ ସମ୍ଭାଳିବେ ଦାୟିତ୍ଵ ନା ଶରଦଙ୍କ ଦଳ ସହ ବିଲୟ...
ଦିନେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ଆଶା ରଖିଥିଲେ ଅଜିତ ପାୱାର । ୨୦୨୪ରେ ଏ ନେଇ ଖୋଲାଖୋଲି କହିଥିଲେ । କିନ୍ତୁ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଉପରକୁ ଉଠିପାରୁ ନ ଥିବା ଏବଂ ତାଙ୍କୁ ସୁଯୋଗ ମିଳୁ ନ ଥିବା କଥା ମଧ୍ୟ ଏକ ଗଣମାଧ୍ୟମ ମଞ୍ଚରେ ପ୍ରକାଶ କରିଥିଲେ । ଏହା ସତ୍ତେ୍ୱ ଦିନେ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ଦୃଢ଼ ଆଶା ଧରି ରଖିଥିଲେ । ତାଙ୍କର ସେହି ଆଶା ଆଶାରେ ହିଁ ରହିଯାଇଛି ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ବଡ଼ ଭାଇ ଅନନ୍ତରାଓଙ୍କ ବଡ଼ ପୁଅ ହେଉଛନ୍ତି ଅଜିତ ପାୱାର । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ଦେଓଲାଲି ପ୍ରବରାରେ ୧୯୫୯ ଜୁଲାଇ ୨୨ରେ ତାଙ୍କର ଜନ୍ମ । ଦାଦା ଶରଦ ରାଜନୀତିରେ ସକ୍ରିୟ ରହିଥିବା କରାଣରୁ ଅଜିତ ପିଲାବେଳୁ ରାଜନୈତିକ ପରିବେଶରେ ବଢ଼ିଥିଲେ । ଅଜିତ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ହାସଲ କରିଥିଲେ ।
୧୯୮୨ରେ ସେ ରାଜନୀତିରେ ପାଦ ରଖିଥିଲେ । ସେତେବେଳେ ସେ ଏକ ସମବାୟ ଚିନି ମିଲ୍ ବୋର୍ଡରେ ଚୟନ ହୋଇଥିଲେ । ୧୯୯୧ରେ ସେ ପୁନେ ଜିଲ୍ଲା ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ହୋଇଥିଲେ । ୧୯୯୧ରେ ଅଜିତ ପ୍ରଥମ ଥର ପାଇଁ ବାରାମତୀରୁ କଂଗ୍ରେସ ଟିକଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ପରେ ସେ ଦାଦା ଶରଦ ପାୱାରଙ୍କ ପାଇଁ ଏହି ସିଟ୍ ଖାଲି କରିଦେଇଥିଲେ । ସେହି ଆସନରେ ଉପନିର୍ବାଚନ ହୋଇଥିଲା । ସେଥିରେ ଶରଦ ପାୱାର ଜିତିଥିଲେ ଏବଂ ନରସିଂହା ରାଓଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ।
୧୯୯୫ରେ ଅଜିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବରାମତୀ ବିଧାନସଭା ଆସନରେ କଂଗ୍ରେସ ଟିକଟରୁ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଏନ୍ସିପି ଟିକଟରୁ ୧୯୯୯, ୨୦୦୪, ୨୦୦୯, ୨୦୧୪ରେ ଏହି ଆସନରୁ ଲଗାତର ବିଧାୟକ ନିର୍ବାଚିତ ହୋଇଥିଲେ । ୧୯୯୯ରେ ବିଳାସରାଓ ଦେଶମୁଖଙ୍କ ସରକାରରେ ତାଙ୍କୁ ଜଳସେଚନ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା । ୨୦୦୪ରେ ଏନ୍ସିପି ୭୧ ସିଟ୍ ଏବଂ କଂଗ୍ରେସ ୬୯ ସିଟ୍ ଜିତିଥିବା ବେଳେ ଶରଦ ପାୱାର କଂଗ୍ରେସକୁ ସରକାର ବନାଇବାକୁ ସୁଯୋଗ ଦେଇଥିଲେ । ଶରଦଙ୍କ ଏହି ନିଷ୍ପତ୍ତିରେ ଅଜିତ ଅସନ୍ତୁଷ୍ଟ ହୋଇଥିଲେ । ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଶରଦ ଚାହୁଁ ନ ଥିବା ଅଜିତ ଭାବିଥିଲେ । ୨୦୦୯ରେ ଶରଦଙ୍କ ଝିଅ ସୁପ୍ରିୟା ସୁଲେ ରାଜନୀତିକୁ ଆସିବା ପରଠାରୁ ଏନ୍ସିପିରେ ଫାଟ ବାହାରକୁ ଦେଖାଯିବାରେ ଲାଗିଥିଲା । ଅଜିତଙ୍କ ଅନୁସାରେ ସେ ୨୦୦୪ରେ ମୁଖ୍ୟମନ୍ତ୍ରୀ ହେବାର ସବୁ ସୁଯୋଗ ଥିଲା ।
ଅଜିତ ୬ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୧୦ରୁ ୨୦୧୨ ମଧ୍ୟରେ ସେ ପ୍ରଥମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ପୃଥ୍ୱୀରାଜ ଚୌହାନଙ୍କ ସରକାରରେ ୨୦୧୨ ଡିସେମ୍ବରରୁ ୨୦୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ୨୦୧୯ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଅପ୍ରତ୍ୟାଶିତ ଭାବେ ଅଜିତ ପାୱାର ବିଜେପି ସହ ମିଶିଥିଲେ ଏବଂ ତୃତୀୟ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ପରେ ସେ ଘର ବାହୁଡ଼ା କରି ଶରଦଙ୍କ ନିକଟକୁ ଆସିଥିଲେ ଏବଂ ଉଦ୍ଧବ ଠାକ୍ରେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଶେଷଥର ପାଇଁ ବିଜେପି ନେତୃତ୍ୱାଧୀନ ମହାୟୁତି ସରକାରକୁ ସମର୍ଥନ କରି ସେ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।