ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ସୋମବାର ଏକ ନୂଆ ନିୟମ ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଅନୁଯାୟି ସମଗ୍ର ରାଜ୍ୟରେ ଥିବା ଝଟକା ମଟନ ଦୋକାନ ଗୁଡିକୁ ଏକ ନୂଆ ସାର୍ଟିଫିକେଟ ପ୍ରଦାନ କରାଯିବ। ଯାହାର ନାମ ମହ୍ଲାର ସାର୍ଟିଫିକେଟ ରହିଛି। ରାଜ୍ୟରେ ହିନ୍ଦୁ ମାଲିକମାନଙ୍କ ଦ୍ୱାରା ପରିଚାଳିତ ମଟନ ଦୋକାନ ଗୁଡିକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି କ୍ୟାବିନେଟ ମନ୍ତ୍ରୀ ନିତେଶ ରାଣେ ଘୋଷଣା କରିଛନ୍ତି।
ସୂଚନା ମୁତାବକ, ଏହି ମହ୍ଲାର ସାର୍ଟିଫିକେଟ ବର୍ତ୍ତମାନ ଭାରତରେ ଜାରି କରାଯାଉଥିବା ହଲାଲ ସାର୍ଟିଫିକେଟ ସହ ପ୍ରାୟତଃ ସମାନ। ଯେଉଁଠି ଇସଲାମ ଓ ସରିହା ନିୟମାନୁଯାୟି ହଲାଲ ପ୍ରକ୍ରିୟା ମାଧ୍ୟମରେ ମାଂସ ପ୍ରସ୍ତୁତି କରାଯାଏ ସେହିଠାରେ ହଲାଲ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ଠିକ ସେହିପରି ହିନ୍ଦୁ ଧର୍ମରେ ମଧ୍ୟ ଝଟକା ମାଧ୍ୟମରେ ମାଂସ ପ୍ରସ୍ତୁତି କରାଯାଇଥାଏ। ଯେଉଁଠି ପଶୁକୁ ଯନ୍ତ୍ରଣା ନହେବା ପାଇଁ କେବଳ ଗୋଟିଏ ଝଟକାରେ ହିଁ ବଧ କରାଯାଇଥାଏ।

ଏନେଇ ରାଣେ କହିଛନ୍ତି ଯେ ଆମେ ମଧ୍ୟ ଝଟକା ମାଧ୍ୟମରେ ମାଂସ ପ୍ରସ୍ତୁତ କରୁଥିବା ହିନ୍ଦୁ ମାଂସ କଟାଳିଙ୍କୁ ବହୁ ଜଲଦି ସାର୍ଟିଫିକେଟ ପ୍ରଦାନ କରିବୁ। ଏନେଇ ବ୍ୟବସାୟି ମାନେ MalharCertification.com ମାଧ୍ୟମରେ ଆବେଦନ କରିପାରିବେ। ତେବେ ହିନ୍ଦୁ ସମ୍ପ୍ରଦାୟର ଖତିକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଦୋକାନକୁ ଆମେ ଏହି ସାର୍ଟିଫିକେଟ ଅଗ୍ରାଧିକାର ଭିତ୍ତିରେ ପ୍ରାଦାନ କରିବୁ ବୋଲି କହିଛନ୍ତି।
ଏହି ଘୋଷଣା ସର୍ବସମ୍ମୁଖକୁ ଆସିବା ପରେ ମହାରାଷ୍ଟ୍ର ମତ୍ସ୍ୟବିଭାଗ ମନ୍ତ୍ରୀ କେବଳ ମଲହାର ସର୍ଟିପିକେଟ ଦେଖି ମଟନ ଦୋକାନରୁ ମାଂସ କିଣିବା ପାଇଁ ହିନ୍ଦୁ ମାନଙ୍କୁ ନିବେଦନ କରିଛନ୍ତି।
ଝଟକା ପ୍ରକ୍ରିୟା ମାଧ୍ୟମରେ ମଟନ ଓ ଚିକେନ ପ୍ରସ୍ତୁତ କରୁଥିବା ହିନ୍ଦୁ ମାଂସ ବ୍ୟବସାୟିମାନଙ୍କୁ ଏହି ୱେବସାଇଟ ମାଧ୍ୟମରେ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ମଲହାର ୱେବସାଇଟରେ ଉଲ୍ଲେଖ ରହିଛି। ଏହା ସହ ଛେଳି କିମ୍ୱା ମେଣ୍ଡା କଟାଳି ମାନଙ୍କୁ ହିନ୍ଦୁ ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଝଟକା ପଦ୍ଧତିରେ ଜୀବ ବଧ କରିବାକୁ ତଥ୍ୟ ଉଲ୍ଲେଖ ରହିଛି।
ଏହା ସହ ଏହି ୱେବସାଇଟରେ “ଆମ ମାଂସ ତଟକା, ସଫା, ଲାଳରୁ ମୁକ୍ତ ଓ ଏଥିରେ ଅନ୍ୟ କୌଣସି ଜୀବର ମାଂସ ମିଶିନାହିଁ” ବୋଲି ଲେଖା ହୋଇଥିବା ଦେଖିବାକୁ ମିଳିଛି।