ନାସିକ,୨୬।୫: ମହାରାଷ୍ଟ୍ରରେ ପିଆଜର ଦାମ୍ ହ୍ରାସକୁ ନେଇ କୃଷକଙ୍କ ମଧ୍ୟରେ ଦେଖାଦେଇଛି ଆକ୍ରୋଶ। ନାସିକ,ଛତ୍ରପତି ସମ୍ଭାଜୀନଗର ସହିତ ବହୁ ଜିଲ୍ଲାରେ କୃଷକମାନେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ନାସିକ-ମୁମ୍ବାଇ ହାଇଓ୍ବେରେ ଚାନ୍ଦବଡରେ କୃଷକମାନେ ରାସ୍ତା ଜାମ୍ କରି ବିରୋଧ ପ୍ରଦର୍ଶନ କରିଛନ୍ତି। ସେଭଳି ଛତ୍ରପତି ସମ୍ଭାଜୀନଗରର ଗଙ୍ଗାପୁର ବଜାରରେ ମଧ୍ୟ କୃଷକମାନେ ରାସ୍ତାକୁ ଓହ୍ଲାଇ ପିଆଜ ଫୋପାଡି ଆନ୍ଦୋଳନ କରିଛନ୍ତି।
କେନ୍ଦ୍ର ସରକାର ଏହା ଭିତରେ ନାସିକର ପିଆଜ କୃଷକଙ୍କୁ ଆଶ୍ବସ୍ତି ଦେବା ପାଇଁ ରବି ପିଆଜ କିଣିବା ଉପରେ ସର୍ବନିମ୍ନ ସୁନିଶ୍ଚିତ କ୍ରୟ ମୂଲ୍ୟ ୧୫୮୦ ଟଙ୍କା ପ୍ରତି କ୍ବିଣ୍ଟାଲ କରିବାର ଘୋଷଣା କରିଛନ୍ତି। ଏହି ନୂଆ ଦର ୨୬ ମଇ ୨୦୨୬ ରୁ ଲାଗୁ ହେବ। ଉପଭୋକ୍ତା ମାମଲା ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶ ଅନୁସାରେ, ନାସିକ ଜିଲ୍ଲାରେ ସରକାରୀ ଏଜେନ୍ସି ଧାର୍ଯ୍ୟ ଦରରେ କୃଷକଙ୍କଠାରୁ ପିଆଜ କିଣିବେ। NAFED ଓ NCCF ଭଳି ଏଜେନ୍ସି ଏହି କ୍ରୟ ପ୍ରକ୍ରିୟା ପରିଚାଳନା କରିବେ। ସରକାରଙ୍କ କହିବା ଅନୁସାରେ,ଏହି ନିଷ୍ପତ୍ତିର ଉଦେଶ୍ୟ କୃଷକଙ୍କୁ ଉଚିତ ଦାମ୍ ଦେବା ଓ ବଜାରରେ ପିଆଜର ଦାମ୍ ସ୍ଥିର ରଖିବା।
ଏହି ପ୍ରସଙ୍ଗକୁ ନେଇ ମହା ବିକାଶ ଆଘାଡି ନେତାମାନେ ନାସିକ-ମୁମ୍ବାଇ ରାଜପଥରେ ପ୍ରତିବାଦ କରିଥିଲେ। ବିଧାୟକ ରୋହିତ ପାୱାର, ବିଧାନସଭା ପରିଷଦର ବିରୋଧୀ ଦଳ ନେତା ଅମ୍ବରୀଶ ଦାନଭେ, କଂଗ୍ରେସ ରାଜ୍ୟ ସଭାପତି ହର୍ଷ ବର୍ଦ୍ଧନ ସପକାଲ, ନାସିକ ସାଂସଦ ରାଜାଭାଉ ଭାଜେ ଏବଂ ଦିଣ୍ଡୋରୀ ସାଂସଦ ଭାସ୍କର ଭାଗରେଙ୍କ ସମେତ ଅନେକ ନେତା ଏହି ପ୍ରତିବାଦରେ ଉପସ୍ଥିତ ଥିଲେ। ରାଜପଥ ଅବରୋଧ ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ତେବେ କୃଷକ ଓ ବିରୋଧି ଦଳ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପର୍ଯ୍ୟାପ୍ତ ବୋଲି କହିଛନ୍ତି ନାସିକ ଜିଲ୍ଲା ଯାହାକୁ ଏସିଆର ସବୁଠାରୁ ବଡ଼ ପିଆଜ ଉତ୍ପାଦକ ଅଞ୍ଚଳ ମନେକରାଯାଏ। ସେଠାରେ ଗତ ଦୁଇ ମାସ ହେବ ପିଆଜର ଦାମ୍ ଲଗାତାର ହ୍ରାସ ପାଇଛି। କୃଷକଙ୍କ ଅଭିଯୋଗ ଯେ, ବଜାରରେ ତାଙ୍କୁ ଖର୍ଚ୍ଚଠାରୁ କମ୍ ଦାମ୍ ମିଳୁଛି। ନାସିକ ଏବଂ ଛତ୍ରପତି ସମ୍ଭାଜୀନଗର ସମେତ ଅନେକ ଜିଲ୍ଲାର ଚାଷୀମାନେ ରାସ୍ତା ଅବରୋଧ ଏବଂ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି।
ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ କେନ୍ଦ୍ର ସରକାର ପିଆଜର କ୍ରୟ ମୂଲ୍ୟ ପ୍ରତି କିଲୋ ୧୫ଟଙ୍କା ବୃଦ୍ଧି କରିଛନ୍ତି, ଏବଂ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ଲଗାତାର ଯୋଗାଯୋଗରେ ଅଛନ୍ତି। ଲୋକ କେବଳ ରାଜନୈତିକ ଲାଭ ଏବଂ ଫଟୋ ଉଠାଇବା ପାଇଁ ପ୍ରତିବାଦ କରୁଛନ୍ତି। ଆମେ ନିରନ୍ତର କେନ୍ଦ୍ର ସରକାରଙ୍କ ସହିତ ବୈଠକ କରୁଛୁ। ଯେଉଁମାନେ ଆଜି ପ୍ରତିବାଦ କରୁଛନ୍ତି ସେମାନେ କ'ଣ ସେମାନଙ୍କ କାର୍ଯ୍ୟକାଳରେ ଏହା କରିଥିଲେ? ଯେଉଁଲୋକଙ୍କର ପିଆଜ କାଟିବା ସମୟରେ ଲୁହ ଆସେନି ସେମାନେ ଏବେ ଚାଷୀଙ୍କ ନାମରେ ଲୁହ ଗଡାଉଛନ୍ତି।
ଆହୁରି ପଢନ୍ତୁ : ବଙ୍ଗ ରାଜନୀତିରେ ବଡ଼ ପରିବର୍ତ୍ତନ ! ଶୁଭେନ୍ଦୁଙ୍କ ବୈଠକରେ ଯୋଗଦେଲେ ଟିଏମ୍ସି ସାଂସଦ କାକୋଲି ଘୋଷଙ୍କ ସହ ୨ ବିଧାୟକ