ମୁମ୍ବାଇ,୧୭।୧୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ନିଜର ଦାଦା ଶରଦ ପାଓ୍ବାରଙ୍କ ସାଥ୍ ଛାଡିବାର କାରଣ ପ୍ରଥମ ଥର ପାଇଁ କହିଛନ୍ତି। ଅଜିତ କହିଛନ୍ତି, ତାଙ୍କୁ ଏନସିପି ସଂସ୍ଥାପକ ଓ ନିଜ ଦାଦାଙ୍କଠାରୁ ଏଥିପାଇଁ ଅଲଗା ହେବାକୁ ପଡିଲା କାରଣ ପାର୍ଟିର ସବୁ ବିଧାୟକ ନିଜ ନିଜ କ୍ଷେତ୍ରରେ ଅଟକି ରହିଥିବା ବିକାଶ କାର୍ଯ୍ୟକୁ ପୁରା କରିବା ପାଇଁ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହେବାକୁ ଚାହୁଁଥିଲେ। ଆଉ ସେଥିପାଇଁ ସେ (ଶରଦ ପାଓ୍ବାର) ରାଜି ହେଉନଥିଲେ।
ବାରାମତିରେ ନିର୍ବାଚନ ପ୍ରଚାର ପାଇଁ ପହଁଞ୍ଚିଥିବା ବେଳେ ଅଜିତ ପାଓ୍ବାର ଜନତାଙ୍କ ନିକଟରେ ନିଜର ପକ୍ଷ ରଖି କହିଥିଲେ, ଆପଣ ଭାବୁଥିଲେ, ମୁଁ ଏହି ବୟସରେ ପାଓ୍ବାର ସାହେବଙ୍କ ସାଥ୍ ଛାଡିବାର ନଥିଲା। ମୁଁ ତାଙ୍କୁ ଛାଡିନି। ମୁଁ ତାଙ୍କୁ କେବଳ କହିଥିଲି ସବୁ ବିଧାୟକଙ୍କ ରାୟ ଯେ, ଆମକୁ (ଶିନ୍ଦେ) ସରକାରରେ ସାମିଲ ହେବା ଦରକାର। କାରଣ ଆମେ (ମହା ବିକାଶ ଅଘାଡି ସରକାର ଅନୁସାରେ) ଯେଉଁ ବିକାଶ କାର୍ଯ୍ୟକୁ ମଞ୍ଜୁରୀ ଦେଇଥିଲୁ ତାକୁ ରୋକି ଦିଆଯାଇଛି। ବିଧାୟକମାନେ ( ସରକାରରେ ସାମିଳ ହେବାର ପ୍ରସ୍ତାବ ସମର୍ଥନରେ ) ସାକ୍ଷର ମଧ୍ୟ କରିଥିଲେ। କିନ୍ତୁ ପାଓ୍ବାର ସାହେବ ମାନିନଥିଲେ।
ବାରାମତିରେ ଅଜିତ ପାଓ୍ବାର ଜନତାଙ୍କଠାରୁ ସମର୍ଥନ ଦାବି କରିଛନ୍ତି। ସେ କହିଛନ୍ତି ଆପଣମାନେ ଲୋକସଭା ନିର୍ବାଚନରେ ଶରଦ ପାଓ୍ବାର ଓ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୂ ସମର୍ଥନ କରିଥିଲେ। ଯାହାଫଳରେ ସୁପ୍ରିୟା ଏଠାରୁ ଜିତିପାରିଲେ। ଏବେ ମୋତେ ସମର୍ଥନ ଦିଅନ୍ତୁ। ମୁଁ ଏଠାରେ କାଲିର ରାଲିରେ ଭାଗ ନେବି ଓ ପାଓ୍ବାର ସାହେବ ମଧ୍ୟ ଏକ ରାଲି କରିବେ। ମୁଁ ଆପଣଙ୍କ ଆଗରେ ନିଜର ବିଚାର ରଖିବି। ଆପଣ ନିଷ୍ପତ୍ତି ନିଅନ୍ତୁ ଭାବି ପୀଢିଙ୍କ ପାଇଁ କିଭଳି ଭୋଟ୍ କରିବାର ଅଛି। ଅଜିତ ପାଓ୍ବାର ୧୯୯୧ ରୁ ବାରାମତି ଆସନରୁ ବିଧାୟକ ଥିଲେ। ସେ ଗତ ବର୍ଷ ଜୁଲାଇରେ ନିଜ ଦାଦା ତଥା ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାର ଦଳରୁ ୮ ବିଧାୟକଙ୍କ ସହ ଅଲଗା ହୋଇଯାଇଥିଲେ। ଏହାପରେ ଏନସିପି ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଥିଲା।