କଟକ,୨୫/୦୨: ମହାଶିବରାତ୍ରୀରେ ବିଭିନ୍ନ ଶିବ  ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳାର ସହ  କାର୍ଯ୍ୟକ୍ରମ ପରିଚାଳନା ପାଇଁ କଟକ କମିସନରେଟ୍‌ ପୁଲିସ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରାୟ ୧୦ ପ୍ଲାଟୁନ୍‌ ଫୋର୍ସ ଓ  ସ୍ଥାନୀୟ ଥାନାର ଅଧିକାରୀଙ୍କୁ ଏଥିରେ ନିୟୋଜିତ କରାଯିବ । ଥାନା  ଓ ରିଜର୍ଭ ଅଫିସରେ ଥିବା ମହିଳା କନ୍‌ଷ୍ଟେବଳଙ୍କୁ ମନ୍ଦିରରେ  ଅଧିକ ସଂଖ୍ୟାରେ ନିୟୋଜିତ କରାଯିବାକୁ ନିଷ୍ପତ୍ତି ହୋଇଛି ।  

ପୂଜାର୍ଚ୍ଚନା ପାଇଁ ସକାଳୁ ହିଁ ଭିଡ଼ ହେବ । ତେଣୁ ସକାଳୁ ହିଁ  ଫୋର୍ସ ନିୟୋଜିତ କରାଯିବ । ଦିନ ସମୟରେ ରହିଥିବା ଫୋର୍ସ  ଅପରାହ୍ଣ ପର୍ଯ୍ୟନ୍ତ ରହିବେ । ପରେ ଦ୍ୱିତୀୟ ସିଫ୍ଟର ଫୋର୍ସ ଅପରାହ୍ନ  ୩ଟାରେ ଆସିବେ । ସନ୍ଧ୍ୟା ପରେ ତଥା ମଧ୍ୟରାତି ପର୍ଯ୍ୟନ୍ତ ବିଭିନ୍ନ  ମନ୍ଦିରରେ ମହାଦୀପ ଉଠିବା ଯାଏଁ ଭିଡ଼ ରହିବ । ତେଣୁ ଦ୍ୱିତୀୟ  ସିଫ୍ଟରେ ଅଧିକ ସଂଖ୍ୟାରେ ସିପାହୀ ଓ ମହିଳା ପୁଲିସ ନିୟୋଜିତ  ହେବେ । ଭିଡ଼କୁ ଦେଖି କଟକ ସହରର ପ୍ରାୟ ସବୁ ଶିବ ମନ୍ଦିରରେ  ୪ରୁ ୮ ଜଣ କରି ଫୋର୍ସ ଦିଆଯିବ । ଏଥି ସହିତ ଥାନା କର୍ମଚାରୀ  ଓ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । 

ବକ୍ସିବଜାର ଅମରେଶ୍ୱର,  ବାଲିଯାତ୍ରା ପଡ଼ିଆ ନିକଟ ଗଡ଼ଗଡ଼େଶ୍ୱର, ଫ୍ରେଣ୍ଡ୍‌ସକଲୋନୀ ସ୍ଥିତ  ଶିବ ମନ୍ଦିର, ପରମହଂସନାଥ, ବେଲେଶ୍ୱରଦେବ, ଖାନ୍‌ନଗର  ମଣିମନ୍ଦିର, ଖାନ୍‌ନଗର ଉତ୍ତରେଶ୍ୱର ମନ୍ଦିର, ନୂଆପଡ଼ା ବାଲିସାହି  ଆଖଣ୍ଡଳମଣି ମନ୍ଦିର, ଫ୍ରେଣ୍ଡ୍‌ସ କଲୋନୀ ସ୍ଥିତ ସର୍ପେଶ୍ୱର  ମନ୍ଦିର, ରାଜାବଗିଚା ସ୍ୱପ୍ନେଶ୍ୱର ଓ ବାଦାମବାଡ଼ି ଉତ୍ତରେଶ୍ୱର  ମନ୍ଦିର ଭଳି ପ୍ରମୁଖ ପୀଠରେ ଫୋର୍ସ ମୁତୟନ ହେବ । କେବଳ  ପରମହଂସ ନାଥରେ ଗୋଟିଏ ପ୍ଳାଟୁନ୍‌ ଫୋର୍ସ ରହିବ । ସୁରକ୍ଷା  ଦୃଷ୍ଟିରୁ ସହରର ସବୁ ଥାନା ଅଧିକାରୀ, ଜୋନ୍‌ ଏସିପି, ତିନି  ଜଣ ଏଡିସିପିଙ୍କୁ ସୁରକ୍ଷା ଦାୟିତ୍ୱ ତଦାରଖ ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ତେବେ ଥାନାରେ ଥିବା ଏଏସ୍‌ଆଇ ଓ ଏସ୍‌ଆଇଙ୍କ  ମଧ୍ୟରୁ ଭିଡ଼କୁ ଦେଖି ପ୍ରତି ମନ୍ଦିରରେ ଜଣେ କରି ଅଧିକାରୀ  ମହାଦୀପ ଉଠିବା ଓ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ ।