ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କୁ ନେଇ ଆରମ୍ଭ ହୋଇଛି ବିବାଦ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହି ବିବାଦ ଆରମ୍ଭ ହୋଇଛି । ନିକଟରେ, ତିରୁବନନ୍ତପୁରମର ନେୟତ୍ତିନକାରାରେ ସ୍ୱର୍ଗତ ଗାନ୍ଧୀବାଦୀ ପି. ଗୋପୀନାଥନ ନାୟାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସମୟରେ ସେ ବିଜେପି ଏବଂ ଆରଏସଏସକୁ "ବିପଜ୍ଜନକ ଏବଂ କପଟି ଶତ୍ରୁ" ଭାବରେ ବର୍ଣ୍ଣନା କରିଥିଲେ, ଯେଉଁମାନେ କି କେରଳରେ ପ୍ରବେଶ କରିଛନ୍ତି। ସେ ଆରଏସଏସକୁ 'ବିଷ' ବୋଲି ମଧ୍ୟ କହିଥିଲେ, ଯାହା ପରେ ବିଜେପି ଏବଂ ଆରଏସଏସ କର୍ମୀ ମାନେ ନାରାବାଜୀ ଦେଇ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଆଉ ଏବେ ସେ କହିଛନ୍ତି ଯେ, ତାଙ୍କର ସେହି ବକ୍ତବ୍ୟକୁ ନା ସେ ପ୍ରତ୍ୟାହାର କରିବେ ନା ସେଥିପାଇଁ କ୍ଷମା ମାଗିବେ। ହେଲେ ବର୍ତ୍ତମାନ ସମୟରେ ବିଜେପି ଏବଂ ଆରଏସଏସ ଉଭୟ ତୁଷାର ଗାନ୍ଧୀଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ଗିରଫ କରିବାକୁ ଦାବି କରିଛନ୍ତି।

କୋଚି ନିକଟସ୍ଥ ଆଲୁଭାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗାନ୍ଧୀ କହିଛନ୍ତି ଯେ, ସେ କିଛି କହିସାରିବା ପରେ ତାହାକୁ ଫେରାଇ ନେବା କିମ୍ବା କ୍ଷମା ମାଗିବାରେ ବିଶ୍ୱାସ କରନ୍ତି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା ବିଶ୍ୱାସଘାତକ ମାନଙ୍କୁ ପର୍ଦ୍ଦାଫାସ କରିବା ପାଇଁ ମୋର ସଂକଳ୍ପକୁ ଆହୁରି ଦୃଢ଼ କରିଛି। ଏହା ଏକ ଲଢ଼େଇ ଯାହା ସ୍ୱାଧୀନତା ଲଢ଼େଇ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏବେ ଆମର ଏକ ସାଧାରଣ ଶତ୍ରୁ ଅଛି, ତାହା ହେଉଛି ସଂଘ। ସେମାନଙ୍କୁ ପର୍ଦ୍ଦାଫାସ କରାଯିବା ଉଚିତ।"

ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ,ସେ ଚିନ୍ତିତ ଯେ "ମୋ ଜେଜେଙ୍କ ହତ୍ୟାକାରୀଙ୍କ ବଂଶଧର ମାନେ" ତାଙ୍କ (ମହାତ୍ମା ଗାନ୍ଧୀ) ପ୍ରତିମୂର୍ତ୍ତି ପାଖକୁ ଯାଇ ଗୁଳି କରିବେ "ଯେପରି ସେମାନେ କରିବାର ଅଭ୍ୟାସରେ ଅଛନ୍ତି"। ବିଜେପି ତାଙ୍କୁ ପାଲଟା ଆକ୍ରମଣ କରି କହିଛି ଯେ ସେ ଜଣେ ବ୍ୟକ୍ତି ଯିଏ ମହାତ୍ମା ଗାନ୍ଧୀଙ୍କ ବଂଶଧର ଭାବରେ ଜନ୍ମ ହୋଇଛନ୍ତି, ଆଉ ଏବେ ତାଙ୍କ  ନାମକୁ ପୁଞ୍ଜି କରିବାକୁ ଚେଷ୍ଟା କରୁଛନ୍ତି।