ମୁମ୍ବାଇ ୧୬/୧୧: ଭାରତୀୟ ସିନେମାର ସବୁଠୁ ସଫଳ ନିର୍ଦ୍ଦେଶକଙ୍କ ଅପ୍‌କମିଙ୍ଗ ଫିଲ୍ମର ଟାଇଟଲ ଉପରୁ ପରଦା ଉଠିଛି । ଫିଲ୍ମର ନାଁ ‘ବାରାଣସୀ’ । ଏହି ଆକ୍ସନ୍ ଓ ରୋମାଞ୍ଚକର ଫିଲ୍ମର ଫାର୍ଷ୍ଟଲୁକ୍ ଜାରି ହୋଇଛି । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଭବ୍ୟ କାର୍ଯ୍ୟକ୍ରମ ଗ୍ଲୋବଟ୍ରଟରରେ ଫିଲ୍ମର ଫାର୍ଷ୍ଟଲୁକ୍ ଦର୍ଶକଙ୍କୁ ଭେଟି ଦେଇଛନ୍ତି ରାଜାମୌଲୀ । ଟିଜର୍‌ରେ ଫିଲ୍ମର ମୁଖ୍ୟ ନାୟକ ମହେଶ ବାବୁଙ୍କର ଦମ୍‌ଦାର ଆକ୍ସନ୍ ଦେଖିବାକୁ ମିଳିଛି । ତାଙ୍କ ଲୁକ୍ ଖୁବ୍ ଆକ୍ରାମକ ଜଣାପଡୁଛି । ତାଙ୍କୁ ହାତରେ ତ୍ରିଶୂଳ ଧରି ନନ୍ଦୀ ଉପରେ ବସିଥିବା ଦେଖିବାକୁ ମିଳିଛି ।

ପ୍ରଥମ ଥର କୌଣସି ସିଧାପ୍ରସାରଣ କାର୍ଯ୍ୟକ୍ରମରେ ଫିଲ୍ମର ଟାଇଟଲ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଫିଲ୍ମର ଟିଜର୍ ବଡ଼ ପରଦାରେ ପ୍ରଦର୍ଶିତ ହୋଇଥିଲା । ଏ ଅବସରରେ ପ୍ରଶଂସକଙ୍କ ଉତ୍ସାହ ଚରମରେ ଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ମହେଶ ବାବୁ । ଫିଲ୍ମର ଚରିତ୍ରରେ ସେ ଏଣ୍ଟ୍ରି କରିଥିଲେ । ଗ୍ଲୋବଟ୍ରଟରରେ ଫିଲ୍ମର ମୁଖ୍ୟ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ଫାର୍ଷ୍ଟଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହେଉଛି, ଏଥିରେ ସେ ଖୁବ୍ ସୁନ୍ଦର ଦିଶୁଛନ୍ତି । ଫିଲ୍ମରେ ସେ ମନ୍ଦାକିନୀ ଭୂମିକାରେ ଅଭିନୟ କରିଛନ୍ତି । କାର୍ଯ୍ୟକ୍ରମରେ ତାଙ୍କର ଦେଶୀ ଲୁକ୍ ଦେଖିବାକୁ ମିଳିଥିଲା । ଧଳା ଓ ସୁନେଲି ରଙ୍ଗର ଲେହଙ୍ଗାରେ ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ନମସ୍ତେ ମୁଦ୍ରାରେ ସେ ଅଭିବାଦନ ଜଣାଇଥିଲେ । ଏହି ଫିଲ୍ମ ଜରିଆରେ ଭାରତକୁ ଫେରିଥିବାରୁ ଖୁବ୍ ଆନନ୍ଦିତ ବୋଲି ପ୍ରିୟଙ୍କା ମଞ୍ଚରେ କହିଥିଲେ ।

​​​​​​​

ଫିଲ୍ମର ଲେଖକ ଏସ୍ଏସ୍ ବିଜୟେନ୍ଦ୍ର ପ୍ରସାଦ କହିଲେ, ଫିଲ୍ମରେ ୩୦ ମିନିଟ୍ର ଆକ୍ସନ୍ ସିନ୍ ଅଛି । ଏହାକୁ ଦେଖି ମୁଁ ସ୍ତବ୍ଧ ହୋଇଗଲି । ମନେହେଲା ଯେମିତି ମହେଶ ବାବୁଙ୍କ ବିଶ୍ୱରୂପ ଦେଖୁଛି । ଏଥିରେ ଦର୍ଶକ କେବଳ ମହେଶ ବାବୁଙ୍କ ଅଭିନୟକୁ ଦେଖିବେ ଓ ଅନୁଭବ କରିବେ । ଫିଲ୍ମରେ ମହେଶ ବାବୁ ଓ ପ୍ରିୟଙ୍କାଙ୍କ ସମେତ ମୁଖ୍ୟ ଭୂମିକାରେ ଅଛନ୍ତି ପୃଥ୍ୱୀରାଜ ସୁକୁମାରନ୍ । ଗ୍ଲୋବଟ୍ରଟର୍ ସମାରୋହରେ କଳା ପୋଷାକରେ ତାଙ୍କ ଏଣ୍ଟ୍ରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ୨୦୨୭ରେ ‘ବାରାଣସୀ’ ମୁକ୍ତିଲାଭ କରିବ ।