ନୂଆଦିଲ୍ଳୀ,୮।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସିର ଶୋଚନୀୟ ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ଓ ଅସହମତି ଏବେ ବିଦ୍ରୋହର ରୂପ ନେଇଛି। ଏହା ଏବେ କୋଲକାତରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ପହଁଞ୍ଚିଛି। ସୋମବାର ଟିଏମ୍ସିର ଅନ୍ତରୀଣ ବିବାଦ ଆହୁରି ଗମ୍ଭୀର ହୋଇଥିଲା ଯେତେବେଳେ ଦଳର ବରିଷ୍ଠ ସାଂସଦ କାକୋଲି ଘୋଷ କହିଥିଲେ ପାର୍ଟିର ପ୍ରାୟ ୨୦ ସାଂସଦ କେନ୍ଦ୍ରରେ ଶାସକ ଦଳ ଏନ୍ଡିଏକୁ ସମର୍ଥନ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି କଥାକୁ ନେଇ ଲୋକସଭା ସାଂସଦ ମହୁଆ ମୋଇତ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କ ନିଜ ଦଳର କିଛି ନେତା ଏବଂ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି, ଯେଉଁମାନେ ବିଜେପି ସହିତ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି।
ମହୁଆ ମୋଇତ୍ରା ତାଙ୍କ ପୋଷ୍ଟରେ ଲେଖିଛନ୍ତି ୨୦୨୪ ଲୋକସଭା ନିର୍ବାଚନରେ ଟିଏମ୍ସି ଟିକେଟରେ ଯେଉଁ ସାଂସଦ ନିର୍ବାଚିତ ହୋଇଥିଲେ, ଜନତା ତାଙ୍କୁ NDA ପାଇଁ ନୁହେଁ, ବରଂ TMC ପ୍ରାର୍ଥୀ ଭାବରେ ଭୋଟ ଦେଇଥିଲେ। ସେ କହିଛନ୍ତି ଯେ ଯେଉଁମାନେ ବ୍ୟକ୍ତିଗତ ଲାଭ ପାଇଁ ନିଜର ରାଜନୈତିକ ଦୃଷ୍ଟିକୋଣ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତାଙ୍କୁ ସିଧା ବିଜେପିରେ ଯୋଗଦେବା ଉଚିତ।
ମହୁଆ ନିଜ ପୋଷ୍ଟରେ ଲେଖିଛନ୍ତି, ଯଦି କୌଣସି ନେତା ବିଜେପିରେ ଯୋଗ ଦେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପ୍ରଥମେ ନିଜ ଲୋକସଭା ଆସନରୁ ଇସ୍ତଫା ଦେବା ଉଚିତ ଏବଂ ତା’ପରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ଜନତାଙ୍କ ସମର୍ଥନ ହାସଲ କରିବା ଦରକାର। ସେତେବେଳେ ସେମାନେ ଜାଣିପାରିବେ ଜନତା ବାସ୍ତବରେ କାହା ସହିତ ଅଛନ୍ତି। ଯଦି ଦମ୍ ଅଛି ତେବେ ଇସ୍ତଫା ଦେଇ ନିର୍ବାଚନ ଲଢ। ଲୋଭି, ସ୍ବାର୍ଥପର, ଡରୁଆ ଏବଂ ବିଶ୍ବାସଘାତକମାନେ କେବଳ ଦଳ ବଦଳାନ୍ତି। ଆପଣମାନେ ନିଜ ସିଟ୍ରୁ ଇସ୍ତଫା ଦେଇ ଦେବା ଦରକାର।
ମହୁଆ ମୋଇତ୍ରା ମଧ୍ୟ ୟୁସୁଫ ପଠାନଙ୍କ ନାମ ନେଇ ପ୍ରଶ୍ନ ଉଠାଇଥିଲେ। ସେ ପଚାରିଥିଲେ ଯେ ଅମିତ ଶାହ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ସେ ଦିଲ୍ଲୀ ଯାଉଛନ୍ତି କି? ୟୁସୁଫ ପଠାନ ଭାରତ ପାଇଁ କ୍ରିକେଟ ଖେଳିଥିଲେ ଏବଂ ତାଙ୍କୁ ଏହି ଅଞ୍ଚଳର ଲୋକଙ୍କ ପ୍ରତି ଦାୟିତ୍ୱ ଦେଖାଇବା ଉଚିତ ଯେଉଁମାନେ ତାଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରାଇଥିଲେ। ଜନସାଧାରଣଙ୍କ ବିଶ୍ୱାସକୁ ସମ୍ମାନ କରାଯିବା ଉଚିତ ଏବଂ ରାଜନୈତିକ ନିଷ୍ପତ୍ତି ନେବା ସମୟରେ ସାହସ ଏବଂ ଦାୟିତ୍ୱ ପ୍ରଦର୍ଶନ କରାଯିବା ଉଚିତ। ମହୁଆ ମୋଇତ୍ରାଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ତୃଣମୂଳ କଂଗ୍ରେସ ଭିତରେ ରାଜନୈତିକ କାର୍ଯ୍ୟକଳାପ ଏବଂ କିଛି ନେତାଙ୍କ ଅସନ୍ତୋଷକୁ ନେଇ ଆଲୋଚନା ଜୋର ଧରିଛି।