ଝାରସୁଗୁଡା, ୨୨।୩ : ସରବାହଲ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଲୋକେଶ ପ୍ରଧାନ। ଅଭିଯୁକ୍ତ ଠାରୁ ଗୋଟିଏ ପିସ୍ତଲ ସହ ୯ଟି ଗୁଳି ଜବତ କରିଛି ଝାରସୁଗୁଡା ପୋଲିସ ।
୨୦ ତାରିଖ ରାତିରେ ସରବାହଲରେ ଥିବା ଜଣେ ଟ୍ରାନ୍ସପୋର୍ଟର ଧୀରେନ୍ଦ୍ର ମହାରଣାଙ୍କ ପତ୍ନୀଙ୍କୁ ଗୁଳି ମାରି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ। ବିଶ୍ବ ବିଜୟିନୀ ଜେନା ଗୁରୁତର ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ଏମିତି ବି ଘଟିପାରେ ଗୁଳିକାଣ୍ଡ। ଯାହା କେହି କେବେ କଳ୍ପନା କରି ପାରିବେନି ସେହି ଭଳି ଏକ ଘଟଣା ୨୦ ତାରିଖ ବିଳମ୍ବିତ ରାତିରେ ସରବାହଲରେ ଘଟିଥିଲା। ୨୦୨୫ ମସିହାରେ ଅଭିଯୁକ୍ତଙ୍କ ୧୦ ବର୍ଷର ପୁଅ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇ ହିର୍ମା ପୋଖରୀରେ ବୁଡି ପ୍ରାଣ ହରାଇଥିଲା। ସେହିଦିନଠାରୁ ମୃତ ଶିଶୁ ପାଇଁ ଧୀରେନ୍ଦ୍ରଙ୍କ ପରିବାର ଦାୟୀକୁ କରିଥିଲେ ମୃତ ପୁଅର ବାପା ଲୋକେଶ। ପ୍ରତିଶୋଧ ର ନିଆଁ ରେ ଜଳୁଥିବା ବାପା ଲୋକେଶ ନିଜକୁ ସମ୍ଭାଳି ନ ପାରି ୨୦ ତାରିଖ ରାତିରେ ଧୀରେନ୍ଦ୍ରଙ୍କ ଘରେ ପଶି ଆଖିବୁଜା ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ। ଟାଉନ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ସନ୍ଧ୍ୟାରେ ଅଭିଯୁକ୍ତ ଲୋକେଶ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।