ନୂଆଦିଲ୍ଲୀ: ଇଜିପ୍ଟର ହୁରଘାଡା ସହରସ୍ଥିତ ଲୋହିତ ସାଗର ଉପକୂଳରେ ଗୁରୁବାର (ମାର୍ଚ୍ଚ ୨୭) ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୁଡ଼ାଜାହାଜ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୬ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୯  ଜଣ ଗୁରୁତର ହୋଇଥିବା କୁହାଯାଉଛି।

ବିବିସି ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ପ୍ରାୟ ୨୯  ଜଣଙ୍କୁ ଉଦ୍ଧାର କରାଯାଇଛି ।   ୪ ଜଣ ଗୁରୁତର ଆହତଙ୍କ ସମେତ ଅନ୍ୟ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇଜିପ୍ଟର ହୁରଘାଡା ସହର ଉପକୂଳରେ ବୁଡ଼ିଯାଇଥିବା ଏହି ପର୍ଯ୍ୟଟନ ବୁଡ଼ାଜାହାର ନାମ ସିନ୍ଦବାଦ୍ । ଗୁରୁବାର (ମାର୍ଚ୍ଚ ୨୭) ସକାଳେ ସମୁଦ୍ର କୂଳରେ ଥିବା ବନ୍ଦର ନିକଟରେ ବୁଡ଼ି ଯାଇଥିବା ଏହି ବୁଡ଼ାଜାହାଜରେ ପ୍ରାୟ ୪୪ ଜଣ ଯାତ୍ରୀ ଥିଲେ ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ଘଟଣାର ଗମ୍ଭୀରତାକୁ ବିଚାର କରି, ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ଘଟଣାସ୍ଥଳକୁ ୨୧ଟି ଆମ୍ବୁଲାନ୍ସ ପଠାଯାଇଥିଲା। ସିନ୍ଦବାଦ୍ ସବମରିନରେ ମୋଟ ୪୪ ଜଣ ଯାତ୍ରୀ ଥିଲେ। ଯେଉଁମାନେ ବିଭିନ୍ନ ଦେଶର ନାଗରିକ ଥିଲେ । ସେମାନେ ଲୋହିତ ସାଗରର ଗଭୀରତାରେ ପ୍ରବାଳ ରୀଫ ଏବଂ ବିରଳ ମାଛ ଦେଖିବାକୁ ଯାଇଥିଲେ। ଏହି ବୁଡ଼ାଜାହାଜ ସମୁଦ୍ରରେ ୭୨ ଫୁଟ ଗଭୀରତା ପର୍ଯ୍ୟନ୍ତ ଯାଇପାରିବ । କିନ୍ତୁ କୌଣସି କାରଣ ଯୋଗୁଁ ଏହା ବୁଡ଼ିଯାଇଛି । ଏହି ବୁଡ଼ାଜାହାଜ ବୁଡ଼ିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଇଜିପ୍ଟର ଅଧିକାରୀଙ୍କ ଅନୁଯାୟୀ, ୪ ମାସ ପୂର୍ବରୁ ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଛୋଟ ଜାହାଜ ଗଭୀର ଜଳରେ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେପଟେ ଲୋହିତ ସାଗରରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ଅନେକ କମ୍ପାନି ଏବେ ସେବା ଦେବାକୁ ରାଜି ହେଉନାହାନ୍ତି ।