ପୁରୀ,୧୩/୦୧:  ଗୁଡ଼ିର ମାଞ୍ଜା ସୂତା ଯୋଗୁ ବଡ଼ଦାଣ୍ଡରେ ଏକାଧିକ ଦୁର୍ଘଟଣା ଘଟିବା ସହ ଯାତ୍ରୀଙ୍କ ଜୀବନ ବିପଦରେ ପଡୁଛି । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ମାଞ୍ଜା ସୂତା ସାଜିଛି ବିପଦ। ଏହାକୁ ରୋକ୍ ଲଗାଇବାକୁ ପୁଲିସ ଆକ୍ସନ୍।ଏନେଇ ରବିବାର ‘ପ୍ରମେୟ’ରେ ଖବର ପ୍ରକାଶ ପରେ ଚେତିଛି ପୁଲିସ ପ୍ରଶାସନ । ସୋମବାର ପୁରୀ ପୁଲିସ ପକ୍ଷରୁ ଏକାଧିକ ସ୍ଥାନରେ ଚଢ଼ଉ କରି ଗୁଡ଼ି ଓ ମାଞ୍ଜା ସୂତା ଜବତ କରାଯାଇଛି । ହେଲେ ବି ସୁଦ୍ଧା ପୁଲିସ ଆଖିରେ ଧୂଳି ଦେଇ ରବିବାର ବିଭିନ୍ନ ସ୍ଥାନରେ ମାଞ୍ଜା ସୂତା ଗୁଡ଼ି ଉଡୁଥିବା ଦେଖିବାକୁ ମିଳିଥିଲା । ଯାହାର ପରିଣାମ ସ୍ୱରୂପ ଜନଗହଳି ପୂର୍ଣ୍ଣ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଅନ୍ୟ ଏକ ଅଘଟଣରେ ଜଣେ ବ୍ୟକ୍ତିଙ୍କର ହାତରେ ଗଭୀର କ୍ଷତ ପହଞ୍ଚିଛି । ପାଖାପାଖି ଅପରାହ୍ଣ ୩ଟା ୩୦ ସମୟରେ ବାଲିଗୁଆଳିରେ ରହୁଥିବା ଦେବାଶିଷ କୁମାର(୪୫) ବଡ଼ଦାଣ୍ଡରେ ଯାଉଥିବା ବେଳେ ଏକ ମାଞ୍ଜା ସୂତା ସମ୍ମୁଖକୁ ଚାଲି ଆସିଥିଲେ । ସେ ଏକ ମୋଟା ଶୀତବସ୍ତ୍ର ପିନ୍ଧିଥିଲେ ସୁଦ୍ଧା ମାଞ୍ଜା ସୂତାଟି ତାଙ୍କର ଜ୍ୟାକେଟକୁ କାଟି ତାଙ୍କର ଡାହାଣ ବାହୁକୁ ଗଭୀର କ୍ଷତି ପହଞ୍ଚାଇଥିଲା । ସେ ଜ୍ୟାକେଟ ନ ପିନ୍ଧିଥିଲେ ଆହୁରି ବଡ଼ ଅଘଟଣ ଘଟିଥାନ୍ତା ବୋଲି କହିବା ସହ ପୁରୀ ବଡ଼ଦାଣ୍ଡରେ ଏଭଳି ହେବା ଦୁଃଖର ବିଷୟ ବୋଲି ପ୍ରକାଶ କରିଛନ୍ତି । ପୁରୀକୁ ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକ ଆସୁଛନ୍ତି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ମାଞ୍ଜା ସୂତା ଗୁଡ଼ି ଉଡାଣ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପୁରୀ ପୁଲିସ ପକ୍ଷରୁ ପୁରୀ ସହରର ବିଭିନ୍ନ ଅଞ୍ଚଳରେ ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ଏକ ବିଶେଷ ଅଭିଯାନ ରବିବାରଠାରୁ ଆରମ୍ଭ କରାଯାଇଛି। ଏହି କ୍ରମରେ ବିଭିନ୍ନ ଗୁଡ଼ି ଦୋକାନ ଓ ବ୍ୟବସାୟୀଙ୍କ ପାଖରୁ ମୋଟ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କରାଯାଇଛି । ଅବୈଧ ଭାବେ ମାଞ୍ଜା ସୂତା ବିକ୍ରୟ କରୁଥିବା ବ୍ୟକ୍ତିମାନଙ୍କୁ ଚେତାବନୀ ଦିଆଯାଇଛି । ଗୁଡ଼ି ଉଡ଼ାଉଥିବା ସମୟରେ ୧୨ ଜଣଙ୍କଠାରୁ ମଧ୍ୟ ଗୁଡ଼ି ଜବତ ହୋଇଛି । ୩୫ରୁ ଊଦ୍ଧ୍ୱର୍ ମାଞ୍ଜା ସୂତା ଲାଗିଥିବା ଲଟେଇ ମଧ୍ୟ ପୁଲିସ ଜବତ କରିଛି । ପୁରୀ ପୁଲିସ ଦ୍ୱାରା ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଡକାବାଜି ମାଧ୍ୟମରେ ଏହିପରି କାର୍ଯ୍ୟ ନ କରିବା ପାଇଁ ସୂଚନା ଦିଆଯାଉଛି ।

ପୁରୀ ପୁଲିସ ପକ୍ଷରୁ କୁହାଯାଇଛି ଯେ, ମାଞ୍ଜା ସୂତା ବିକ୍ରି ହେଉଥିବାର ନଜର ଆସିଲେ ସଂପୃକ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରୟ ଆଇନତଃ ଅପରାଧ । ଏହା ମାନବ ଜୀବନ ସହିତ ପକ୍ଷୀ, ପଶୁ ଓ ପରିବେଶ ପାଇଁ ମଧ୍ୟ ଭୟଙ୍କର । ଏଣୁ ସହର ଓ ବଡ଼ଦାଣ୍ଡ ଅଞ୍ଚଳରେ ମାଞ୍ଜା ଲାଗିଥିବା ଗୁଡ଼ି ନ ଉଡାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଯଦି କେହି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରୁଥିବା ଦେଖିବେ, ତେବେ ନିକଟସ୍ଥ ଥାନାକୁ କିମ୍ବା ୧୧୨କୁ କଲ କରି ସୂଚନା ଦେବାକୁ କୁହାଯାଇଛି ।