‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପ  ସତ୍ତେ୍ୱ ଚାଇନାରୁ ଭାରତର ଆମଦାନୀ  ବୃଦ୍ଧି ପାଇବାରେ ଲାଗିଛି, କାରଣ  ଏହି କାର୍ଯ୍ୟକ୍ରମର ସଫଳତା  ଚାଇନାର ଉପାଦାନ, କଞ୍ଚାମାଲ ଏବଂ  ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ । ଏହା  ନିର୍ଭରଶୀଳତା ହ୍ରାସ କରିବା ପରିବର୍ତ୍ତେ  ଯୋଗାଣ ଶୃଙ୍ଖଳାରେ ଏକ ଗଭୀର  ସମସ୍ୟା ସୃଷ୍ଟି କରୁଛି।

sontosh

ନୂତନ ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ ହାର  କାର୍ଯ୍ୟକାରୀ ହେବାର ଗୋଟିଏ ଦିନ ପୂର୍ବରୁ,  ଅର୍ଥାତ୍‌ ସେପ୍ଟେମ୍ବର ୨୧ ତାରିଖରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କହିଛନ୍ତି ଯେ ପରବର୍ତ୍ତୀ ପିଢ଼ିର ଜିଏସ୍‌ଟି ସଂସ୍କାର  ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ବ୍ୟବସାୟ କରିବାର ପ୍ରକ୍ରିୟାକୁ ସରଳ କରିବ ଏବଂ ଅଧିକ  ନିବେଶକଙ୍କୁ ଆକର୍ଷିତ କରିବ । ଏହା କହିବା ସହିତ ସେ  ପୁର୍ନବାର ‘ଆତ୍ମନିର୍ଭର ଭାରତ' ଏବଂ ସ୍ୱଦେଶୀ ଅର୍ଥନୀତି  ଓ ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି । ‘ସ୍ୱଦେଶୀ' ସାମଗ୍ରୀର  ଉତ୍ପାଦନ ବୃଦ୍ଧି କରିବା ସାଙ୍ଗକୁ ଏହାକୁ ଅଧିକ କ୍ରୟ କରିବା  ତଥା ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି । ଗତ  ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ  ଭାଷଣ ଦେବା ସମୟରେ ସେ ମଧ୍ୟ ‘ଆତ୍ମନିର୍ଭର ଭାରତ'  କଥା କହିଥିଲେ । ୨୦୧୪ ମସିହାରେ  ଜାତୀୟ ସୁରକ୍ଷା, ଦାରିଦ୍ର‌୍ୟ ଦୂରୀକରଣ  ଏବଂ ଡିଜିଟାଲ ଇଣ୍ଡିଆ ପଦକ୍ଷେପ  ସମ୍ପର୍କରେ ଆଲୋଚନା ଉପଲକ୍ଷ୍ୟରେ  ପ୍ରଥମେ ସେ ଇଂରାଜୀରେ "ସେଲ୍‌ଫ  ରିଲିଆଣ୍ଟ ଇଣ୍ଡିଆ' ବା ‘ଆତ୍ମନିର୍ଭର  ଭାରତ' କଥା ଉଠାଇଥିଲେ । ମଇ  ୨୦୨୦ ମସିହାରେ କୋଭିଡ-୧୯  ମହାମାରୀ ଜନିତ କ୍ଷୟକ୍ଷତି ସମ୍ମୁଖୀନ ହେବାପାଇଁ  ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା ସମୟରେ ସେ  ‘ଆତ୍ମନିର୍ଭର ଭାରତ' କଥା ମଧ୍ୟ ଉଠାଇଥିଲେ । ଅବଶ୍ୟ  ଏହା କେବଳ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟ ନୂତନ  ବିଶ୍ୱ ବାସ୍ତବତାର ପ୍ରତିଫଳନ ନଥିଲା, ବରଂ ଏହା ଗତ  ଶତାବ୍ଦୀରେ ଜଗତୀକରଣ ବା ବିଶ୍ୱାୟନର ଉଚ୍ଚ ଜୁଆର  ଆସିବା ପୂର୍ବରୁ ଭାରତ ଏବଂ ଅନ୍ୟାନ୍ୟ ନୂତନ ସ୍ୱାଧୀନ  ରାଷ୍ଟ୍ରଗୁଡ଼ିକ ଯେଉଁ ଜାତୀୟତାବାଦୀ ଅର୍ଥନୈତିକ ନୀତି  ଅନୁସରଣ କରିଥିଲେ ତାହା ପ୍ରତି ଏକ ପ୍ରତ୍ୟାବର୍ତ୍ତନ ।

ଅନେକ ଭାବନ୍ତି ଯେ, ଆତ୍ମନିର୍ଭର ଭାରତର ଏକ  ପ୍ରମୁଖ ଉପାଦାନ ହେଉଛି ଆମଦାନୀ ହ୍ରାସ କରିବା  ସହିତ ରପ୍ତାନି ବୃଦ୍ଧି କରିବା । ପ୍ରକୃତରେ ଯଦି ସମସ୍ତ  ଦେଶ ଆମଦାନୀକୁ ଅଧିକ ହ୍ରାସ କରିବାକୁ ଚେଷ୍ଟା  କରନ୍ତି ତେବେ ବିଶ୍ୱ ବାଣିଜ୍ୟ ସଙ୍କୁଚିତ ହେବ । କାରଣ  ଗୋଟିଏ ଦେଶର ରପ୍ତାନି ଅନ୍ୟ ଦେଶର ଆମଦାନୀ  ହୋଇଥିଲାବେଳେ, ଗୋଟିଏ ଦେଶର ରପ୍ତାନି ଅନ୍ୟ  ଦେଶର ଆମଦାନୀ ହୋଇଥାଏ । ଗୋଟିଏ ଦେଶ  ସେହି ଦ୍ରବ୍ୟ ଓ ସେବା ବେଶୀ ଉତ୍ପାଦନ ଓ ରପ୍ତାନି  କରିବା ଉଚିତ, ଯାହା ଉତ୍ପାଦନ ପାଇଁ ସେହି ଦେଶରେ  କମ୍‌ ଖର୍ଚ୍ଚ ହୋଇଥାଏ । ସେହିପରି ସେହି ଦ୍ରବ୍ୟ ଓ  ସେବା ବେଶି ଆମଦାନୀ କରିବା ଉଚିତ, ଯାହାର  ଉତ୍ପାଦନ ଅଧିକ ବ୍ୟୟସାପେକ୍ଷ । ଡେଭିଡ୍‌ ରିକାର୍ଡୋଙ୍କ (comparative cost advantage) ତୁଳନାତ୍ମକ ମୂଲ୍ୟ ସୁବିଧା ତତ୍ତ୍ୱ ଅନୁସାରେ, ଦେଶଗୁଡ଼ିକ  ସେହି ସାମଗ୍ରୀ ଉତ୍ପାଦନ ଏବଂ ରପ୍ତାନି କରିବା ଉଚିତ  ଯାହା କେବଳ ଉତ୍ପାଦନ କରିବା କମ୍‌ ବ୍ୟୟସାପେକ୍ଷ  ନୁହେଁ ବରଂ ଅନ୍ୟ ଦେଶ ତୁଳନାରେ କମ୍‌ ଅର୍ଥ, ସମ୍ବଳ  ଓ ସମୟ ଖର୍ଚ୍ଚ କରିବାକୁ ପଡ଼େ । କିନ୍ତୁ ଭାରତ  ଆମଦାନୀ ହ୍ରାସ ନୁହେଁ ବରଂ ସର୍ବଦା ଚେଷ୍ଟା କରିବା  ଉଚିତ ଯେପରି ଏହାର ମୋଟ୍‌ ରପ୍ତାନି ମୂଲ୍ୟ ମୋଟ୍‌  ଆମଦାନୀ ମୂଲ୍ୟଠାରୁ ଅଧିକ ହୋଇ ବାଣିଜ୍ୟ ବଳକା  ହୁଏ । କିନ୍ତୁ ଭାରତରେ ବର୍ତ୍ତମାନ ଆମଦାନୀ ମୂଲ୍ୟ  ରପ୍ତାନି ମୂଲ୍ୟଠାରୁ ଅଧିକ ହେବାରୁ ବାଣିଜ୍ୟ ନିଅଣ୍ଟ  ବୃଦ୍ଧିପାଉଛି, ଯାହା ଚିନ୍ତାର ବିଷୟ ।

ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ତଥ୍ୟ  ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର  ବାଣିଜ୍ୟ ନିଅଣ୍ଟ ୨୮୨.୮୩ ବିଲିୟନ ଡଲାର ଥିଲା, ଯାହା  ପୂର୍ବ ବର୍ଷରେ ୨୪୧.୧୪ ବିଲିୟନ ଡଲାର ଥିଲା । ଏହି  ବୃଦ୍ଧି ପାଉଥିବା ପାର୍ଥକ୍ୟ ମୁଖ୍ୟତଃ ଏହି ସମୟ ମଧ୍ୟରେ  ପଣ୍ୟଦ୍ରବ୍ୟ ରପ୍ତାନି ( ୪୩୭.୪୨ ବିଲିୟନ ଡଲାର)  ତୁଳନାରେ ଅଧିକ ପଣ୍ୟଦ୍ରବ୍ୟ ଆମଦାନୀ ( ୭୨୦.୨୪  ବିଲିୟନ ଡଲାର) ଯୋଗୁଁ ହୋଇଥିଲା । ଗାଲୱାନ  ଭ୍ୟାଲି ସଂଘର୍ଷ ପରେ ଚୀନ୍‌ ଉତ୍ପାଦ ବର୍ଜନ କରିବା  ପାଇଁ ଅନେକ ଦାବି ଉଠିଥିଲା । "ମେକ୍‌ ଇନ୍‌ ଇଣ୍ଡିଆ'  ପଦକ୍ଷେପ ସତ୍ତେ୍ୱ ଚାଇନାରୁ ଭାରତର ଆମଦାନୀ ବୃଦ୍ଧି  ପାଇବାରେ ଲାଗିଛି, କାରଣ ଏହି କାର୍ଯ୍ୟକ୍ରମର ସଫଳତା  ଚାଇନାର ଉପାଦାନ, କଞ୍ଚାମାଲ ଏବଂ ପ୍ରଯୁକ୍ତିବିଦ୍ୟା  ଉପରେ ନିର୍ଭରଶୀଳ । ଏହା ନିର୍ଭରଶୀଳତା ହ୍ରାସ  କରିବା ପରିବର୍ତ୍ତେ ଯୋଗାଣ ଶୃଙ୍ଖଳାରେ ଏକ ଗଭୀର  ସମସ୍ୟା ସୃଷ୍ଟି କରୁଛି । ଉଦାହରଣ ସ୍ୱରୂପ, ଭାରତ ଏକ  ପ୍ରମୁଖ ମୋବାଇଲ୍‌ ଫୋନ୍‌ ନିର୍ମାତା ହେଲେ ମଧ୍ୟ, ଏହା  ଚାଇନାର ଉପାଦାନ ଉପରେ ଅତ୍ୟଧିକ ନିର୍ଭର କରେ ।  ଗତ ୧୫ବର୍ଷ ମଧ୍ୟରେ ଭାରତର ମୋଟ୍‌ ଆମଦାନୀରେ  ଚାଇନା ଶିଳ୍ପ ଉତ୍ପାଦର ଅଂଶ ୨୧%ରୁ ୩୦%କୁ  ବୃଦ୍ଧିପାଇଛି । ଚାଇନାରୁ ମୋଟ୍‌ ଆମଦାନୀ ୨୦୧୮-୧୯  ଆର୍ଥିକ ବର୍ଷରେ ଯାହା ୭୦.୩ ବିଲିୟନ ଡଲାର ଥିଲା  ତାହା ବୃଦ୍ଧିପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୧୩.୫  ବିଲିୟନ ଡଲାର ହୋଇଛି । ୨୦୨୪-୨୫ ମସିହାରେ  ରପ୍ତାନି ମାତ୍ର ୧୪.୨୫ ବିଲିୟନ ଡଲାର ହେବାରୁ ଚାଇନା  ସହିତ ବାଣିଜ୍ୟ ନିଅଣ୍ଟ ୨୦୨୪-୨୫ ମସିହାରେ ରେକର୍ଡ  ୯୯.୨ ବିଲିୟନ ଡଲାରରେ ପହଞ୍ଚିଛି । ଏହି ଗୁରୁତ୍ୱପୂର୍ଣ୍ଣ  ଅସନ୍ତୁଳନ, ଚାଇନା ସହିତ ଭାରତର ସର୍ବାଧିକ ବାଣିଜ୍ୟ  ନିଅଣ୍ଟ ଏବଂ ବର୍ଦ୍ଧିତ ଆମଦାନୀ ଏବଂ ତୁଳନାତ୍ମକ  ଭାବରେ କମ୍‌ ରପ୍ତାନି ଭଲ ସନ୍ଦେଶ ଦେଉନାହିଁ ।

ଆତ୍ମନିର୍ଭରଶୀଳ ଅର୍ଥନୀତିର ଏକ କାର୍ଯ୍ୟକ୍ରମ  ହେଉଛି "ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସ ଯାହା ସେପ୍ଟେମ୍ବର  ୨୫, ୨୦୧୪ରେ ଭାରତରେ ଉତ୍ପାଦନ, ନବସୃଜନ ବା ଇନ୍ନୋଭେସନକୁ ପ୍ରୋତ୍ସାହିତ କରିବାପାଇଁ ଆରମ୍ଭ  କରାଯାଇଥିଲା । କେନ୍ଦ୍ର ସରକାର ମୁଖ୍ୟତଃ ଦୁଇଟି  ଉଦ୍ଦେଶ୍ୟ ସହିତ ମେକ୍‌ ଇନ୍‌ ଇଣ୍ଡିଆ ନୀତି ଆରମ୍ଭ  କରିଥିଲେ: (୧) ଜିଡିପିରେ ମାନୁଫାକ୍‌ଚରିଂ ବା  ଉତ୍ପାଦନ କ୍ଷେତ୍ରର ଅଂଶକୁ ୧୪-୧୫%ରୁ ୨୫%କୁ ବୃଦ୍ଧି  କରିବା ଏବଂ (୨) ଆହୁରି ୧୦କୋଟି ଅତିରିକ୍ତ ଶିଳ୍ପ  ନିଯୁକ୍ତି ସୃଷ୍ଟି କରିବା । କିନ୍ତୁ ସରକାରୀ ତଥ୍ୟ ଦର୍ଶାଉଛି  ଯେ "ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସ ଆରମ୍ଭ ହେବାର  ଗୋଟିଏ ବର୍ଷ ପୂର୍ବରୁ ୨୦୧୩-୧୪ରେ ମାନୁଫାକ୍‌ଚରିଂ  ବା ଉତ୍ପାଦନ କ୍ଷେତ୍ରର ଭାରତର ଜିଡିପିରେ ଅବଦାନ  ୧୭.୩% ଥିଲା । ମହାମାରୀ ପରବର୍ତ୍ତୀ ବର୍ଷ ୨୦୨୧- ୨୨ରେ ୧୮.୫% ପହଞ୍ଚିଥିଲା । କିନ୍ତୁ ୨୦୨୨-୨୩ରେ  ୧୭.୭% ଏବଂ ୨୦୨୩-୨୪ରେ ୧୭.୩%କୁ କ୍ରମାଗତ  ଭାବରେ ହ୍ରାସପାଇଛି, ଯାହା ୨୦୧୩-୧୪ରେ ଥିଲା ।  ପ୍ରକୃତରେ, ୨୦୨୪-୨୫ ପ୍ରଥମ ତ୍ରୈମାସିକର ତଥ୍ୟ  ଦର୍ଶାଉଛି ଯେ ଏହାର ଅଂଶ ଆହୁରି ହ୍ରାସପାଇ  ୧୫.୭% ହୋଇଛି । ଜାତୀୟ ଆକାଉଣ୍ଟସ୍‌ ଷ୍ଟାଟିଷ୍ଟିକ୍ସ  ଅନୁଯାୟୀ, ମାନୁଫାକ୍‌ଚରିଂ ବା ଉତ୍ପାଦନ କ୍ଷେତ୍ରର ଗ୍ରସ୍‌  ଭାଲ୍ୟୁଆଡେଡ ଅଭିବୃଦ୍ଧି ହାର ୨୦୦୧-୧୨ ସମୟରେ  ଯାହା ୮.୧% ଥିଲା ତାହା ହ୍ରାସପାଇ ୨୦୧୨-୨୩  ସମୟରେ ୫.୫ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି କହିଛନ୍ତି  ଯେ, ଭାରତର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ହେଉଛି  ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳତା, କାରଣ ସେ  "ଚିପ୍ସ'ଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ  ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ପାଇଁ ଆହ୍ୱାନ ଦେଇଥିଲେ ।  କିନ୍ତୁ ଭାରତୀୟ କମ୍ପାନୀଗୁଡ଼ିକ ଗବେଷଣା ଏବଂ ବିକାଶ  ପ୍ରତି ବହୁତ କମ୍‌ ଆଗ୍ରହ ଦେଖାଇଛନ୍ତି । ନବସୃଜନରେ  ଏକ ସମନ୍ୱିତ ପ୍ରୟାସ ବିନା, ଭାରତୀୟ ଫାର୍ମଗୁଡ଼ିକ  ସବୁଦିନ ପାଇଁ ପ୍ରଯୁକ୍ତିବିଦ୍ୟା ପାଇଁ ବିଦେଶୀ ସଂସ୍ଥା ଓ  କମ୍ପାନୀ ଉପରେ ନିର୍ଭରଶୀଳ ରହିବେ ଏବଂ ବିଶ୍ୱସ୍ତରରେ  ପ୍ରତିଯୋଗିତା କରିପାରିବେ ନାହିଁ । ଏକ ଆତ୍ମନିର୍ଭରଶୀଳ  ଅର୍ଥନୀତି ଗଠନର ଦୃଢ଼ ଆଧାର ଓ ଗୁରୁତ୍ୱପୂର୍ଣ୍ଣ ଦିଗ  ହେଉଛି ଗବେଷଣା ଏବଂ ବିକାଶ । ଗବେଷଣା ଏବଂ ବିକାଶ  କ୍ଷେତ୍ରରେ ଅଧିକ ବିନିଯୋଗ କରି ଉଚ୍ଚ ପ୍ରଯୁକ୍ତିବିଦ୍ୟାର  ବ୍ୟବହାର କରି ଆମର ବିକାଶ ହାସଲ କରିପାରିବା ।  କିନ୍ତୁ ଅତୀତ ତଥା ବର୍ତ୍ତମାନର ସରକାର ଗବେଷଣା ଏବଂ  ବିକାଶ ପ୍ରତି କୌଣସି ବିଶେଷ ଧ୍ୟାନ ଦେଇନାହାଁନ୍ତି । ଏହି  କ୍ଷେତ୍ରରେ ବିଶ୍ୱର ୮୩ ଦେଶରେ ହାରାହାରି ଖର୍ଚ୍ଚ ଜିଡିପିର  ୧.୨୨% ହୋଇଥିଲାବେଳେ ଭାରତରେ ୦.୬ ରୁ ୦.୭%  ରହୁଛି, ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ବିଶ୍ୱରେ ଅନ୍ୟ  ଦେଶ ବିଶେଷକରି ଇସ୍ରାଏଲ (୫.୪%), ଦକ୍ଷିଣ କୋରିଆ  ( ୪.୨%), ଜାପାନ (୩.୪%), ଜର୍ମାନୀ (୩.୨%),  ଆମେରିକା (୨.୯%), ସ୍ୱିଜରଲ୍ୟାଣ୍ଡର (୨.୮୩% ),  ଚାଇନା (୨.୪%) ପରି ଅନ୍ୟ ଦେଶ ତୁଳନାରେ ଆମ  ଦେଶର ବ୍ୟୟ ଏହି କ୍ଷେତ୍ରରେ ବହୁତ କମ୍‌ । । ପୁନଶ୍ଚ  ଭାରତର ଗବେଷଣା ଏବଂ ବିକାଶ ବଜେଟର ଏକ ଯଥେଷ୍ଟ  ଅଂଶ ଭିତ୍ତିଭୂମି ଏବଂ ଜମି ଭଳି ପୁଞ୍ଜି ବିକାଶ ପାଇଁ ଆବଣ୍ଟିତ  ହୁଏ, ଯାହା ଆମେରିକା ଏବଂ ୟୁକେ ପରି ଦେଶରେ  ଦେଖାଯାଏନି । ଶୀର୍ଷସ୍ତରୀୟ ଭାରତୀୟ ଆଇଟି ସେବା  ସଂସ୍ଥାଗୁଡ଼ିକ ଗବେଷଣା ଏବଂ ବିକାଶ ଉପରେ ରାଜସ୍ୱର  କେବଳ ୦.୪-୧.୩% ଖର୍ଚ୍ଚ କରନ୍ତି । ଅବଶ୍ୟ ଏହା  ସାମାନ୍ୟ ସାନ୍ତ୍ୱନାର ବିଷୟ ଯେ, ଭାରତ ଫ୍ରଣ୍ଟିୟର୍‌  ଟେକ୍‌ନୋଲଜି ପ୍ରସ୍ତୁତି ସୂଚକାଙ୍କରେ ୨୦୨୨ରେ ୪୮ତମ  ସ୍ଥାନରୁ ୨୦୨୪ରେ ୩୬ତମ ସ୍ଥାନରେ ପହଞ୍ଚିଛି ।  ଭାରତର ଇନ୍ନୋଭେସନ୍‌ ଇଣ୍ଡେକ୍ସ ବା ନବସୃଜନ  ସୁଚକାଙ୍କ ରାଙ୍କିଙ୍ଗରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ।  

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ବିଶ୍ୱ ଇନ୍ନୋଭେସନ  ବା ନବସୃଜନ ସୂଚକାଙ୍କ ଗବେଷଣା ଏବଂ ବିକାଶ  ଖର୍ଚ୍ଚ ଏବଂ ବୌଦ୍ଧିକ ସମ୍ପତ୍ତି ଉପରେ ପର୍ଯ୍ୟବସିତ । ୨୦୨୫ରେ ୧୩୯ ଅର୍ଥନୀତି ମଧ୍ୟରୁ ସ୍ୱିଜରଲ୍ୟାଣ୍ଡ ପ୍ରଥମ,  ଚାଇନା ୧୦ତମ ସ୍ଥାନରେ ଥିଲାବେଳେ ଭାରତ ୩୮ତମ  ସ୍ଥାନରେ ରହିଛି । ୨୦୨୦ରେ ୪୮ତମ ସ୍ଥାନରେ ଥିଲା । କିନ୍ତୁ ୨୦୨୫ ମାନବ ବିକାଶ ସୂଚକାଙ୍କରେ ଭାରତ ୧୯୩  ଦେଶ ମଧ୍ୟରୁ ୧୩୦ତମ ସ୍ଥାନରେ ଅଛି ଏବଂ ଭାରତକୁ  ମଧ୍ୟମ ମାନବ ବିକାଶ ବର୍ଗରେ ସ୍ଥାନିତ କରିଛି ।  ବିଶ୍ୱ ବ୍ୟାଙ୍କର ମାନବ ପୁଞ୍ଜି ସୂଚକାଙ୍କ ରାଙ୍କିଙ୍ଗ ସ୍ୱାସ୍ଥ୍ୟ  ଏବଂ ଶିକ୍ଷା ଭଳି କାରଣଗୁଡ଼ିକୁ ଧ୍ୟାନଦେଇ ଆଜି ଜନ୍ମ  ହୋଇଥିବା ପିଲାମାନଙ୍କ ପାଇଁ ମାନବ ପୁଞ୍ଜି ସମ୍ଭାବନା  ମାପ କରେ । ୨୦୨୩ ରାଙ୍କିଙ୍ଗରେ ଭାରତର ସ୍ଥାନ ୧୯୫  ଦେଶ ମଧ୍ୟରୁ ୧୧୬ ।  

ଭାରତ ଚତୁର୍ଥ ବୃହତ୍ତମ ଅର୍ଥନୀତି  ହୋଇଥିଲାବେଳେ, ୨୦୨୪ ମସିହାରେ ଭାରତ  ଅନ୍ତର୍ଜାତୀୟ ବାଣିଜ୍ୟରେ କେବଳ ୧୩ତମ ସର୍ବବୃହତ  ଅଂଶଗ୍ରହଣକାରୀ ଭାବରେ ସ୍ଥାନ ପାଇଥିଲା । ୧୯୫୦  ମସିହାରୁ ବିଶ୍ୱ ବାଣିଜ୍ୟ ରପ୍ତାନିରେ ଭାରତର ଅଂଶ  ନିରନ୍ତର ଭାବେ ୨% ତଳେ ରହିଛି । ସମ୍ପ୍ରତି ଏହା  ପ୍ରାୟ ୧.୮୫%ରୁ ୨.୨% ପର୍ଯ୍ୟନ୍ତ ରହିଛି । ବାସ୍ତବରେ  ‘ଆତ୍ମନିର୍ଭର ଭାରତ'ର ଲକ୍ଷ୍ୟ ହେଉଛି ଭାରତରେ  ଆର୍ଥିକ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ  ବାହ୍ୟ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା । ଏଥିପାଇଁ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା, ଆର୍ଥିକ  ସ୍ଥିରତାକୁ ଉନ୍ନତ କରିବା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାରେ  ଭାରତର ଅଂଶଗ୍ରହଣ ବୃଦ୍ଧିକରିବା ପାଇଁ ପଦକ୍ଷେପ  ଆବଶ୍ୟକ । ଆତ୍ମନିର୍ଭରଶୀଳତା କେବଳ ଘରୋଇ  ଉତ୍ପାଦନ ନୁହେଁ, ଏଥିପାଇଁ ରପ୍ତାନି ବୃଦ୍ଧି, ପ୍ରଯୁକ୍ତିବିଦ୍ୟା  ଜ୍ଞାନକୁ ଗଭୀର କରିବା ଏବଂ ସମଗ୍ର ଜନସଂଖ୍ୟାକୁ  ସମର୍ଥନ କରୁଥିବା ଅନ୍ତର୍ଭୁକ୍ତିମୂଳକ ବା ଇନକ୍ଲୁସିଭ  ଅଭିବୃଦ୍ଧି ହାସଲ ପାଇଁ ଆବଶ୍ୟକ ନୀତିଗୁଡ଼ିକୁ  ପ୍ରୋତ୍ସାହିତ କରିବା ଆବଶ୍ୟକ ।