କ୍ୱାଲାଲୁମ୍ପୁର,୦୭/୦୧: ମଙ୍ଗଳବାରଠୁ ଆରମ୍ଭ ହେଉଛି ମାଲେସିଆ ଓପନ ସୁପର ୧୦୦୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତର ପ୍ରମୁଖ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ  ସମେତ ପୁରୁଷ ସିଙ୍ଗଲ୍ସ ତାରକା ଲକ୍ଷ୍ୟ ସେନ୍‌ ଓ ଏଚ୍‌ଏସ୍‌ ପ୍ରଣୟ ବିଜୟ  ସହ ନୂଆ ବର୍ଷ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । 

ପୁରୁଷ ଡବଲ୍ସରେ ସାତ୍ତ୍ୱିକ-ଚିରାଗ ଯୋଡ଼ିଙ୍କୁ ସପ୍ତମ ସିଡ୍‌ ମାନ୍ୟତା  ମିଳିଛି । ଉଭୟ ପ୍ରଥମ ରାଉଣ୍ଡ୍‌ରେ ଚାଇନିଜ୍‌ ତାଇପେ’ର ମିଙ୍ଗ୍‌ ଚି ଲୁ-କାଇ  ୱେଇ ଟାଙ୍ଗ୍‌ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଗତବର୍ଷ ସାତ୍ତ୍ୱିକ-ଚିରାଗ ଯୋଡ଼ି ଏହି ଟୁର୍ଣ୍ଣାମେଣ୍ଟରୁ ସିଜନ ଆରମ୍ଭ କରିଥିଲେ ଏବଂ ୪ଟି  ଫାଇନାଲ୍‌ ଖେଳି ୨ଟି ଟାଇଟଲ ଜିତିଥିଲେ । ପୁରୁଷ ବର୍ଗରେ ଲକ୍ଷ୍ୟ ପ୍ରଥମ  ରାଉଣ୍ଡ୍‌ରେ ୟୁ ଜେନ୍‌ ଚିଙ୍କୁ ଭେଟିବେ । ପ୍ରଣୟ ଦୀର୍ଘ ୫ମାସ ପରେ କୋର୍ଟକୁ  ଫେରୁଥିବାବେଳେ ପ୍ରିୟାଂଶୁ ରାଜାୱତ ସମସ୍ତଙ୍କ ନଜରରେ ରହିବେ । 

ମହିଳା ବର୍ଗରେ ଷ୍ଟାର୍‌ ଖେଳାଳି ପିଭି ସିନ୍ଧୁ ଓହରି ଯାଇଛନ୍ତି । ତାଙ୍କ  ଅନୁପସ୍ଥିତିରେ ମାଳବିକା ବାନସୋଦ, ଆକର୍ଷୀ କଶ୍ୟପ, ଅନୁପମା ଉପାଧ୍ୟାୟ  ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ମହିଳା ଡବଲ୍ସରେ ତ୍ରିଶା ଜୋଲି-ଗାୟତ୍ରୀ  ଗୋପୀଚାନ୍ଦ ଏବଂ ଓଡ଼ିଶାର ଦୁଇ ଭଉଣୀ ଋତୁପର୍ଣ୍ଣା ପଣ୍ଡା-ଶ୍ୱେତପର୍ଣ୍ଣା ପଣ୍ଡା  ଯୋଡ଼ି କୋର୍ଟକୁ ଓହ୍ଲାଇବାକୁ ପ୍ରସ୍ତୁତ ରହିଛନ୍ତି ।