ମାଲକାନଗିରି ୧୦/୪(ଆ.ପ୍ର) ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଗତ କିଛି ଦିନ ହେଲା ଆବଶ୍ୟକ ପରିମାଣର ରକ୍ତ ଗଚ୍ଛିତ ନଥିବାରୁ ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ପ୍ରବଳ ଖରା ଓ ଗରମ ପାଇଁ ରକ୍ତଦାନ ଶିବିର କମୁଛି । ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୩୦୦ରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ବେଳେ ଗତ କିଛିଦିନ ହେଲା ମାତ୍ର ୧୦୦ ୟୁନିଟରୁ ୧୫୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି । 

 ଥାଲେସେମିଆ, ସିକିଲ ‌ସେଲ ଓ ପ୍ରସୂତୀ ମହିଳା, ଦୁର୍ଘଟଣାଗସ୍ତ ଓ ଅନ୍ୟାନ ଗୁରତର ରୋଗୀ ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସ୍ବେଛାକୃତ ରକ୍ତଦାନ ଶିବିର ହୋଇପାରୁନାହିଁ । ଗୁରୁବାର ଦିନ ରକ୍ତଭଣ୍ଡାରରେ ମୋଟ ୧୫୬ ୟୁନିଟ ରକ୍ତ ଗଛିତ ଅଛି। ପଜେଟିଭ୍ ଗ୍ରୁପ ୭୦ଟି, ଏ ପଜେଟିଭ ଗ୍ରୁପ ୧୨ଟି, ବି ପଜେଟିଭ ଗ୍ରୁପ ୫୫ଟି, ଏବି ପଜେଟିଭ ଗ୍ରୁପ ୧୭ ୟୁନିଟ ରକ୍ତ ସଂଗ୍ରହ ହୋଇ ଗଛିତ ଥିବା ବେଳେ ଓ ନେଗେଟିଭ, ଏ ନେଗେଟିଭ,ବି ନେଗେଟିଭ, ଏବି ନେଗେଟିଭ ରକ୍ତ ଗ୍ରୁପ ନାହିଁ ବୋଲି ରକ୍ତଭଣ୍ଡାର ସୁତ୍ରରୁ ଜଣାପଡିଛି । 

 ବିଶେଷ କରି ଥାଲେସେମିଆ, ସିକିଲ ସେଲ ରୋଗୀ ପ୍ରାୟ ୧୫୦ରୁ ୨୦୦ ଅଛନ୍ତି, ସେମାନଙ୍କୁ ନିୟମିତ ଭାବେ ରକ୍ତ ନେବାର ଆବଶ୍ୟକତା ପଡିଥାଏ । ରକ୍ତ ଭଣ୍ଡାରରେ ତିନିଜଣ ଷ୍ଟାଫନର୍ସର ଆବଶ୍ୟକ‌ତା ଥିବାବେଳେ ମାତ୍ର ଜଣେ କାମ ଚଳାଉଛନ୍ତି । ଦୁଇ ଜଣ ଆଣ୍ଟେଣ୍ଡାଣ୍ଟର ଆବଶ୍ୟକ‌ତା ଥିବାବେଳେ ମାତ୍ର ଜଣେ ଅଛନ୍ତି । କୌଣସି ସ୍ଥାନରେ ରକ୍ତଦାନ ଶିବିର ହେଲେ କର୍ମଚାରୀଙ୍କ ଅଭାବ ପଡିଥାଏ । ଜିଲ୍ଲାରେ ଶତାଧିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଥାଇ କୋଟି କୋଟି ଟଙ୍କାର କାମ କରୁଥିଲେ ମଧ୍ୟ ଜନସଚେତନତା କରୁ ନାହାଁନ୍ତି କି ରକ୍ତଦାନ ପାଇଁ କେହି ଆଗଭର ଦେଉନାହାଁନ୍ତି । ଅଥଚ ଜିଲ୍ଲାର ମାଲ୍ୟବନ୍ତ ବ୍ଲଡ଼ ଡୋନେସନ ଗ୍ରୁପ,ଜୟ ମାଲକାନଗିରି ଗ୍ରୁପ ପରି କିଛି ଯୁବଗୋଷ୍ଠୀ  ସ୍ବଇଛା ଭାବେ ଗରିବ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଉଛନ୍ତି।

ବିଶେଷ କରି ଏହିପରି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରୁ ରକ୍ତ ସଂଗ୍ରହ କମି କମି ଗଲେ ଆଗାମୀ ଦିନ‌ରେ ଜିଲ୍ଲାର ରୋଗୀମାନେ ରକ୍ତ ଅଭାବରୁ ଚିକିତ୍ସିତ ହୋଇନପାରି ମୃତ୍ୟୁବରଣ କରିବା ଆଶଙ୍କାକୁ ଏଡାଇ ଦିଆ ଯାଇନପାରେ ।

ଅପରପକ୍ଷରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ହସପିଟାଲ ସୁପରିଣ୍ଟେଣ୍ଡେଣ୍ଟ  ଡାକ୍ତର ବ୍ରଜ ବନ୍ଧୁ ଦାଶ କହିଛନ୍ତି ଯେ, ଜିଲ୍ଲା ହସପିଟାଲରେ ଥାଲେସେମିଆ, ସିକିଲ ସେଲ , ଗର୍ଭବତୀ ମହିଳା, ଦୁର୍ଘଟଣାଗସ୍ତ ଓ ଅଧିକାଂଶ ଗରିବ ରୋଗୀଙ୍କୁ ମାଗଣାରେ ରକ୍ତ ଦିଆଯାଉଛି। କୌଣସି ରକ୍ତ ଗ୍ରୁପ ରକ୍ତଭଣ୍ଡାରରେ ନଥିଲେ କିଛି ସ୍ୱେଚ୍ଛାସେବୀ ନଚେତ ରୋଗୀଙ୍କ ସଂପର୍କିୟ ରକ୍ତଦାନ କରୁଛନ୍ତି। ଏ ପର୍ଯ୍ୟନ୍ତ କୌଣସି ରୋଗୀ ରକ୍ତ ନପାଇ ହଇରାଣ ହୋଇ ନାହାନ୍ତି।ଜିଲ୍ଲାରେ ପ୍ରବଳ ଖରା ଥିବାରୁ ରକ୍ତଦାନ ଶିବିର କମି ଯାଇଛି । ତଥାପି ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରିବା ପାଇଁ ସଚେତନତା କରାଯିବା ସହିତ ବିଭିନ୍ନ ବିଭାଗ ଅନୁଷ୍ଠାନମାନଙ୍କୁ ଅନୁରୋଧ କରାଯାଇଛି ।