ମାଲକାନଗିରି/ଭୁବନେଶ୍ୱର, ୩୦/୧୨ : ସୀମା ଟପିଲା ଯାତ୍ରାରେ ଅଶ୍ଳୀଳତା। ସବୁ କିଛି ଭୁଲି ମଞ୍ଚରେ ଅର୍ଦ୍ଧନଗ୍ନ ନୃତ୍ୟ କଲେ ସାହୁ ଭାଉଜ। ଏହାକୁ ଦେଖି ବେଶ୍ ଉପଭୋଗ କଲେ ମାଥିଲି ଥାନା ଆଇଆଇସି। ମହିଳା କଳାକାରଙ୍କ ଅଶ୍ଲୀଳ ନୃତ୍ୟକୁ ଦର୍ଶକଙ୍କ ସହ ଉପଭୋଗ କରୁଥିଲେ ଥାନା ବାବୁ। ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ଆକ୍ସନ ମୋଡ୍‌କୁ ଆସିଛି ମାଲକାନଗିରି ପୋଲିସ। ଗୁରୁବାର ମାଲିକାନଗିରି ଥାନା କତାମେଟା ଗାଁରେ ଚିଲିଥିଲା ବାର୍ଷିକ ମହୋତ୍ସବରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ। ନିଜ ଆଡୁ ମାମଲା ରୁଜୁ କଲା ମାଲକାନଗିରି ସଦର ଥାନା ପୋଲିସ। ଯାତ୍ରା କମିଟି ଆୟୋଜକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଶ୍ରୀକ୍ଷେତ୍ର ଅପେରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ସାହୁ ଭାଉଜ।

ସୂଚନାନୁଯାୟୀ, ଗତ ଗୁରୁବାର ମାଲିକାନଗିରି ଥାନା କତାମେଟା ଗାଁରେ ଚିଲିଥିଲା ବାର୍ଷିକ ମହୋତ୍ସବ। ଏହି ଅବସରରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ପକ୍ଷରୁ ଯାତ୍ରା ପରିବେଷଣ ହେଉଥିଲା । ବେପାର ବଢାଇବାକୁ ଯାତ୍ରା ପାର୍ଟି କଳାକାରଙ୍କ ଦ୍ୱାରା ଅଶ୍ଲୀଳ ନୃତ୍ୟ ପରିବେଷଣ କରାଯାଉଥିଲା । ନାଟକରେ ସାହୁ ଭାଉଜ ନାମକ ଅଭିନେତ୍ରୀଙ୍କୁ ଅଣାଯାଇଥିଲା । ଯିଏ ସବୁକିଛି ଭୁଲି ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଥିଲେ । ସଂଗୀତର ତାଳେତାଳେ ଏହି ଦୃଶ୍ୟକୁ ଉପଭୋଗ କରିଚାଲିଥିଲେ ଦର୍ଶକ । ଏହି ସମୟରେ ଆଗରେ ବସି ଏଭଳି ଦୃଶ୍ୟକୁ ମାଥିଲି ଥାନା ବାବୁ ମଧ୍ୟ ଉପଭୋଗ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହାକୁ ସାଧାରଣରେ ନାପସନ୍ଦ କରାଯିବା ସହ ନିନ୍ଦା କରାଯାଇଛି। ଗତ କିଛିଦିନ ତଳେ ଏଭଳି ଏକ ଘଟଣାକୁ ନିନ୍ଦା କରି ଖୋଦ୍‌ ରାଜ୍ୟ ଆଇନମନ୍ତ୍ରୀ ବ୍ୟଥିତ ହେବା ସହ ତୁରନ୍ତ ଅପସଂସ୍କୃତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଧାନସଭାରେ ଜୟପୁର ବିଧାୟକ ଏନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଯାତ୍ରାରେ ଏଭଳି ଅଶ୍ଳୀଳତାକୁ ନେଇ ବୁଦ୍ଧଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ସରକାର ଏଦିଗରେ କେବେ କଡ଼ା ପଦକ୍ଷେପ ଗ୍ରହଣ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି । 

ବରିଷ୍ଠ ନାଟ୍ୟକାର ଅରୁଣ ନାୟକ କହିଛନ୍ତି, ଗତ ୨୦୨୩ ମସିହା ମାର୍ଚ୍ଚ ୬ରେ ସରକାର ଏକ ଆଦେଶନାମା ଆଣିଛନ୍ତି । ମଞ୍ଚରେ ଅଶ୍ଳୀଳତା ପ୍ରଦର୍ଶନ ହେବନି ବୋଲି କୁହାଯାଇଛି। ଯଦି ହୁଏ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଦର୍ଶକମାନେ ସଚେତନ ହୁଅନ୍ତୁ । ଯାହା ଭଲ ନଲାଗୁଛି ସେମାନେ ଏହା ଉପରେ ସ୍ୱର ଉଠାନ୍ତୁ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଆମେ ଅଶ୍ଳୀଳ ନୃତ୍ୟ ରୋକିବା ପାଇଁ ସରକାର ପଦକ୍ଷେପ ନେବେ। ଖୁବଶୀଘ୍ର ମାର୍ଗଦର୍ଶିକା ଆଣିବୁ ।