ମାଲକାନଗିରି,୫/୨ : ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଗୁରୁବାର ଉଦଯାପିତ ହୋଇଯାଇଛି । ବଲିଉଡ ଗାୟକ ୟେସାର ଦେଶାଇ, ଗାୟିକା ସୋହିନୀ ମିଶ୍ରଙ୍କ ସଙ୍ଗୀତ ଓ ଆଓମା ଗୁରୁକୁଳ ଅନ୍ତେବାସୀଙ୍କ ଆଫ୍ରିକା ଆଦିବାସୀ ନୃତ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝୁମିଥିଲେ ଓ ନାଚିଥିଲେ ଦର୍ଶକ । ପ୍ରଶାସନିକ ଅଧିକାରୀ, ମାଲ୍ୟବନ୍ତ ପଡ଼ିଆରେ ହଜାର ହଜାର ଦର୍ଶକ ମୋବାଇଲ ଫ୍ଲାସ ଲାଇଟ ଲଗାଇ ସ୍ୱାଗତ ଜଣାଇବା ସହ ନାଚ କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ପଲ୍ଲିଶ୍ରୀ ମେଳାରେ ଅଢେଇ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଵ୍ୟବସାୟ ହୋଇଛି ।
ପଲ୍ଲିଶ୍ରୀ ମେଳାରେ ଦର୍ଶକମାନେ ଘରୋଇ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଉପଭୋଗ କରିଥିଲେ । ଶେଷ ସନ୍ଧ୍ୟାରେ ବଲିଉଡ଼ କଳାକାର ଗାୟକ ୟେସାର ଦେଶାଇ, ଗାୟିକା ସୋହିନୀ ମିଶ୍ରଙ୍କ ସଙ୍ଗୀତ ଓ ଆଓମା ଗୁରୁକୁଳ ଅନ୍ତେବାସୀଙ୍କ ଆଫ୍ରିକା ଆଦିବାସୀ ନୃତ୍ୟ କଳା ଚାତୁରୀ, ପଶୁ ପୋଷାକ ଧାରୀ ନୃତ୍ୟ, ଆଦିବାସୀ ରିଞ୍ଜୋଡି ନୃତ୍ୟ, ଅରଣ୍ୟ ଗୃପ, ସହ ସ୍ଥାନୀୟ କଳାକାରଙ୍କ ନୃତ୍ୟ ସଙ୍ଗୀତ ସହ ଅହରାତ୍ର ଦେଶିଆ ନାଟ କିଏ ବୁଝିବ କାହାର ଦୁଃଖ ନାଟକ ରାତ୍ର ତମାମ ପରିବେଶଣ ହୋଇଥିଲା, ସ୍ଥାନୀୟ ଆଦିବାସୀ ଅଞ୍ଚଳର ମଧ୍ୟ ବହୁ ଲୁକ୍କାୟିତ ପ୍ରତିଭା ମଞ୍ଚରେ ଦେଖିବାକୁ ମିଳିଥିଲା । ଗୁରୁବାର ରାତି ଜିଲ୍ଲା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଲ୍ୟବନ୍ତ ମହୋତ୍ସବ ଉଦଯାପନୀ ଓ ସାଂସ୍କୃତିକ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଏସଏଫ କମାଣ୍ଡେଣ୍ଟ ସନ୍ଦିବ ୟାଦବ, ସମ୍ମାନୀତ ଅତିଥି ଭାବେ ବିଏସଏଫ କମାଣ୍ଡାଣ୍ଟ ସୁଶୀଲ କୁମାର ଯୋଗଦେଇ କଳାକାର ଓ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦଶରଥି ସରାବୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ସଂନ୍ତ୍ରାସ ନାରାୟଣ ପଣ୍ଡା ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିଲେ। ଉଦଯାପନୀ ଶେଷ ସନ୍ଧ୍ୟାରେ ମାଲକାନଗିରି ସହର ଲୋକାରଣ୍ୟରେ ଭରପୁର ହୋଇଯାଇଥିଲା। ଜିଲ୍ଲାରେ ବିଭିନ୍ନ ଅଞ୍ଚଳ ସହ ପଡ଼ୋଶୀ ସୁକୁମା ଜିଲ୍ଲା ଦର୍ଶକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା। ପଲ୍ଲିଶ୍ରୀ ମେଳାରେ ମଧ୍ୟ ଭଲ ବେପାର ହୋଇଥିବାର ଜଣା ପଡିଛି । ପଲ୍ଲିଶ୍ରୀ ମେଳାକୁ ଆସିଥିବା ଷ୍ଟଲ ବେପାରୀ ଓ କଳାକାରମାନେ ଖୁସି ମନରେ ଶୁକ୍ରବାର ଅରାହ୍ନରେ ନିଜ ନିଜ ଘରକୁ ଫେରିଯାଇଛନ୍ତି।