କୋଲକାତା: ବାଂଲାଦେଶୀଙ୍କୁ ଅନୁପ୍ରବେଶ ପାଇଁ ଅନୁମତି ଦେଉଛି ବିଏସଏଫ । ଏପରିକି ବେଙ୍ଗଲକୁ ଅସ୍ଥିର କରିବାକୁ ସୀମା ସୁରକ୍ଷା ବଳ (ବିଏସଏଫ୍‌) ଚେଷ୍ଟା କରୁଛି ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ବିଏସଏଫର ଏଭଳି ଆଭିମୁଖ୍ୟ ପଛରେ କେନ୍ଦ୍ର ସରକାରଙ୍କ ବ୍ଲୁପ୍ରିଣ୍ଟ କାମ କରୁଛି ବୋଲି ଆଭାସ ମିଳିସାରିଛି । 

ସେ କହିଛନ୍ତି, ଆମକୁ ମିଳିଥିବା ସୂଚନା ଅନୁସାରେ, ବିଏସଏଫ ବାଂଲାଦେଶର ଲୋକଙ୍କୁ ଇସ୍ଲାମପୁର, ସିତାଇ, ଚୋପ୍ରା ଏବଂ ଅନ୍ୟ ସୀମା ଦେଇ ଅନୁପ୍ରବେଶ କରିବା ଲାଗି ଅନୁମତି ଦେଉଛି । ବିଏସଏଫ ଲୋକଙ୍କ ଉପରେ ଅତ୍ୟାଚାର କରି ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ।  ସିଏମ ମମତା ଆହୁରି କହିଛନ୍ତି ଯେ, ଗୁଣ୍ଡାମାନେ ଭାରତକୁ ପ୍ରବେଶ କରୁଛନ୍ତି । ସୀମାର ଉଭୟ ପାର୍ଶ୍ବରେ ଶାନ୍ତି ରହିବା ଦରକାର । ବାଂଲାଦେଶ ସହ ଆମର ବହୁତ ଭଲ ସଂପର୍କ ରହିଛି । 

ଏହା ବ୍ୟତୀ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଅନୁପ୍ରବେଶ ଲାଗି ଅନୁମତି ଦେଉଥିବା ବିଏସଏଫ, ଟିଏମସି ସରକାରଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛି ବୋଲି ମମତା ବାନାର୍ଜି ଅଭିଯୋଗ କରିଛନ୍ତି ।  ରାଜ୍ୟର କେଉଁ କେଉଁ ସ୍ଥାନରେ ଅନୁପ୍ରବେଶକାରୀ ରହୁଛନ୍ତି ସେନେଇ ତଥ୍ୟ ଯୋଗାଡ଼ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ବେଙ୍ଗଲ ସରକାର ।