କୋଲକାତା,୨୩।୬: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସରେ ଆରମ୍ଭ ହୋଇଥିବା ରାଜନୈତିକ ଘଟଣାକ୍ରମ ଥମିବାର ନାଁ ଧରୁନି। ପ୍ରଥମେ ବିଧାନସଭାରେ ବିଧାୟକଙ୍କ ବିଦ୍ରୋହ, ୟା ପରେ କିଛି ରାଜ୍ୟସଭା ସାଂସଦଙ୍କ ଇସ୍ତଫା, ଏହାପରେ ଲୋକସଭା ସାଂସଦଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ହେବା ଏବେ ସମସ୍ତଙ୍କ ଆଗରେ ରହିଛି। ଗତ କିଛି ଦିନ ହେବ ନିଜକୁ ଅସଲି ଟିଏମ୍‌ସି ଦାବି କରୁଥିବା ରୀତାବ୍ରତ ବାନାର୍ଜୀ ଗୋଷ୍ଠୀ ପକ୍ଷରୁ ପାର୍ଟି ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କୁ ଅଧ୍ୟକ୍ଷ ପଦରୁ ହଟିବା ଓ ପାର୍ଟିରୁ ଅଭିଷେକ ବାନାର୍ଜୀଙ୍କ ନିଲମ୍ବନ ଖବର ମଧ୍ୟ ସମାନକୁ ଆସିଥିଲା। ଏବେ ଆଜି ନିଜେ ମମତା ବିଦ୍ରୋହୀଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅରୁପ ରାୟ, ଫିରହାଦ ହାକିମ୍‌ଙ୍କ ସହିତ ୮ ଜଣଙ୍କୁ ଦଳରୁ ବାହାର କରିଛନ୍ତି।

ଏହି ୮ ନେତାଙ୍କ ଉପରେ ମମତାଙ୍କ କାର୍ଯ୍ୟାନୁଷ୍ଠାନ

ତୃଣମୂଳ କଂଗ୍ରେସରୁ ବହିଷ୍କୃତ ନେତାଙ୍କ ଭିତରେ ଜାଭେଦ ଅହମ୍ମଦ ଖାନ୍, ଫିରହାଦ୍ ହକିମ୍‌, ଅରୁପ୍ ରାୟ, ରଥିନ ଘୋଷ, ବିପ୍ଲବ ମିତ୍ରା, ସବିନା ୟାସମିନ୍, ଅରୁପ ବିଶ୍ବାସ ଓ ସ୍ନେହାଶିଷ ଚକ୍ରବର୍ତ୍ତୀ ରହିଛନ୍ତି। ଏହା ପୂର୍ବରୁ ଟିଏମ୍‌ସି ଏହି ସବୁ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଜବାବ ମାଗିଛି।

ବିଦ୍ରୋହୀ ଗୋଷ୍ଠୀଙ୍କ ଗଠନ ପରେ ବଢିଲା ବିବାଦ

ଏହି କାର୍ଯ୍ୟାନୁଷ୍ଠାନ ଏଭଳି ସମୟରେ ହୋଇଛି, ଯେତେବେଳେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧି ନେତା ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ଗୋଷ୍ଠୀ ସୋମବାର ଦଳ ଭିତରେ ନୂଆ ସଂଗଠନାତ୍ମକ ସଂରଞ୍ଚନା ତିଆରି କରିବାର ଘୋଷଣା କରିଥିଲେ। ବିଦ୍ରୋହୀ ଗୋଷ୍ଠୀର ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ କରି ଅଲ୍ ଇଣ୍ଡିଆ ତୃଣମୂଳ କମିଟି ଓ ୩୦ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଚୟନ କରାଯାଇଥିଲା। ଏହାଛଡା ପୂର୍ବତନ ମନ୍ତ୍ରୀ ଅରୁପ ବିଶ୍ବାସ ଓ ବିଧାୟକ ଫରହାଦ ହକିମ୍‌ଙ୍କୁ ଉପାଧ୍ୟକ୍ଷ କରିବା ନେଇ ଘୋଷଣା କରାଯାଇଥିଲା। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ରଥିନ ଘୋଷ, ସବିନା ୟାସ୍ମିନ୍, ଜାଭେଦ ଖାନ୍ ଓ ସନ୍ଦୀପକ ସାହା ସମେତ ବହୁ ନେତାଙ୍କୁ ସାମିଲ କରାଯାଇଥିଲା।

ମମତାଙ୍କୁ ମେଣ୍ଟର କରିବାର ଘୋଷଣା

ଏହି ବୈଠକ ପରେ ମିଡିଆ ସହ ଆଲୋଚନା କରି ରୀତାବ୍ରତ ବାନାର୍ଜୀ କହିଥିଲେ, ତାଙ୍କ ଦଳ ମମତା ବାନାର୍ଜୀଙ୍କ ସମ୍ମାନ କରେ ଓ ଚାହୁଁଛି ସେ ସଂଗଠନର ମେଣ୍ଟର ଓ ମାର୍ଗଦର୍ଶକ ଭୂମିକା ଗ୍ରହଣ କରନ୍ତୁ। ଆଗାମୀ ଦିନରେ ଜିଲ୍ଲା ଅଧ୍ୟକ୍ଷ ଓ ଜିଲ୍ଲା କମିଟିର ମଧ୍ୟ ଗଠନ କରାଯିବ, ଯାହାଫଳରେ ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିହେବ।

ବିଦ୍ରୋହୀ ଗୋଷ୍ଠୀର ବୈଧତା ଉପରେ ପ୍ରଶ୍ନ

ଏହା ଭିତରେ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ନେଇ ଦୁଇ ଗୋଷ୍ଠୀ ଭିତରେ ବୟାନବାଜି ବଢି ଯାଇଛି। ରୀତାବ୍ରତ ବାନାର୍ଜୀ ପ୍ରତିଦ୍ବନ୍ଦୀ ଗୋଷ୍ଠୀ ଦ୍ବାରା ନିଆଯାଇୀଥିବା ନିଷ୍ପତ୍ତିର ବୈଧତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଅସଲି ସଂଗଠନ  ତାହା, ଯାହାକୁ ପ୍ରତିନିଧିଙ୍କ ସମର୍ଥନ ମିଳିଥାଏ। ଟିଏମ୍‌ସି ପକ୍ଷରୁ ୮ ବରିଷ୍ଠ ନେତାଙ୍କୁ ବାହାର କରାଯିବାର ଖବର ସାମନାକୁ ଆସିଛି। ଏବେ ଆଜି ନିଜେ ମମତା ବାନାର୍ଜୀ ବିଦ୍ରୋହୀଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅରୁପ ରାୟ, ଫିରହାଦ ହାକିମଙ୍କ ସହିତ ୮ ଜଣଙ୍କୁ ଦଳରୁ ବାହାର କରିଦେଇଛନ୍ତି। ​​​​​​​