କୋଲକାତା: ପଶ୍ଚିମବଙ୍ଗ ସରକାର ୨୦୧୧ ମସିହାରୁ ଏପର୍ଯ୍ୟନ୍ତ ୮୪୦ ଜଣ ଆଜୀବନ କଏଦୀଙ୍କୁ ମୁକ୍ତ କରିଛନ୍ତି । ଯେଉଁମାନେ ସମସ୍ତେ ୧୪ ବର୍ଷରୁ ଅଧିକ ସମୟ ଜେଲରେ ବନ୍ଦୀ ଥିଲେ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ଉପଯୁକ୍ତ ଆଇନଗତ ପ୍ରକ୍ରିୟା ପରେ ଏବେ ଅତିରିକ୍ତ ୪୫ ଜଣ କଏଦୀଙ୍କୁ ମୁକ୍ତ କରାଯାଉଛି । ସେ ମୁକ୍ତ ହୋଇଥିବା ବ୍ୟକ୍ତି ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି । ଜେଲ୍ ସମୟରେ ସେମାନଙ୍କର ଭଲ ଆଚରଣ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମମତା କହିଛନ୍ତି । ଆମର ସରକାର ଆଜୀବନ କାରାଦଣ୍ଡ ଭୋଗିଥିବା ଅନେକ କଏଦୀଙ୍କୁ ଆଇନଗତ ଭାବରେ ମୁକ୍ତ କରିଛି ବୋଲି ଏକ୍ସରେ ଲେଖିଛନ୍ତି ମମତା ବାନାର୍ଜୀ ।
ମମତା ବାନାର୍ଜୀ କହିଛନ୍ତି, ‘୨୦୧୧ ପରଠାରୁ, ଏପରି ୮୪୦ ଜଣଙ୍କୁ ମୁକ୍ତ କରାଯାଇଛି। ଆହୁରି ୪୫ ଜଣ କଏଦୀଙ୍କୁ ଆଇନଗତ ଭାବରେ ମୁକ୍ତ କରାଯାଉଛି। ମୁଁ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛି।’ସୁଧାର ଗୃହର ପୁନର୍ଗଠନ ଉପରେ ଗୁରୁତ୍ୱାରୋପ କରି ସେ ଲେଖିଛନ୍ତି, ‘ମୁଁ ଜାଣେ ଜେଲରେ ଥିବା ସମୟରେ ସେମାନଙ୍କର ଆଚରଣ ଭଲ ଥିଲା। ସେଥିପାଇଁ ସେମାନଙ୍କୁ ମୁକ୍ତ କରାଯାଇଛି।’
ମୁକ୍ତ ହୋଇଥିବା କଏଦୀମାନେ ଶୃଙ୍ଖଳାର ସହ ଜୀବନଯାପନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ମୁଁ ଆଶା କରୁଛି ଏହି ମୁକ୍ତ କଏଦୀମାନେ ସେମାନଙ୍କର ନୂତନ ଏବଂ ମୁକ୍ତ ଜୀବନରେ ଭଲ ନାଗରିକ ହେବେ । ସେତେବେଳେ ହିଁ ଆମର ପ୍ରୟାସ ସଫଳ ହେବ।’
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଦୁର୍ଗା ପୂଜା କମିଟି ପାଇଁ ଏକ ଥିମ୍ ସଙ୍ଗ ଲେଖିଛନ୍ତି ଏବଂ ଜଣେ ରାଜ୍ୟର ମନ୍ତ୍ରୀ ଏହି ଗୀତଟି ଗାଇଛନ୍ତି। ଉତ୍ତର କୋଲକାତାର ତାଲା ପ୍ରତୋୟ ଦୁର୍ଗା ପୂଜା କମିଟିର ୧୦୦ ବର୍ଷ ପୂରଣ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ କମିଟି ଲାଗି ଏକ ଥିମ୍ ସଙ୍ଗ ଲେଖିଥବାରୁ ସେମାନେ ଗୌରବାନ୍ବିତ ମନେ କରୁଛନ୍ତି ବୋଲି କମିଟିର ସଦସ୍ୟମାନେ କହିଛନ୍ତି ।