କୋଲକାତା, ୬।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସି ଦଳର ସଙ୍କଟ କମିବାର ନାଁ ନେଉନାହିଁ । ଗୋଟିଏ ପଟେ ଦଳକୁ ଏକାଠି ରଖିବା ମମତାଙ୍କ ପାଇଁ ବଡ଼ ଆହ୍ୱାନ ସାଜିଥିବା ବେଳେ ଅନ୍ୟପଟେ ନେତାମାନେ ଦଳ ଛାଡ଼ିବା ପ୍ରକ୍ରିୟା ଜାରି ରଖିଛନ୍ତି । ଶୁକ୍ରବାର ଟିଏମସିକୁ ଆଉ ଏକ ବଡ଼ ଝଟକା ଲାଗିଛି, ଯେତେବେଳେ କୁଚବିହାର ଜିଲ୍ଲାର ମେଖଲିଗଞ୍ଜ ପୌରପାଳିକାର ଅଧ୍ୟକ୍ଷ ଏବଂ ୫ ଜଣ କାଉନସିଲର ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ବଡ଼ ରାଜନୈତିକ ଓଲଟପାଲଟ ପରେ ଏବେ ଏହି ପୌରପାଳିକା ଉପରେ କଂଗ୍ରେସର ଶାସନ ପ୍ରତିଷ୍ଠା ହୋଇଛି ।

ଉତ୍ତର ବଙ୍ଗଳାରେ ଟିଏମସିର ସାଙ୍ଗଠନିକ ମେରୁଦଣ୍ଡ ଦୋହଲିଗଲା:

ଉତ୍ତର ବଙ୍ଗଳାରେ ଘଟିଥିବା ଏହି ରାଜନୈତିକ ଘଟଣାକ୍ରମ ଟିଏମସି ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବଂ କ୍ରମାଗତ ଦଳବଦଳକୁ ପଦାରେ ପକାଇଛି । ଏହା ଫଳରେ ରାଜ୍ୟରେ ଦଳର ସାଂଗଠନିକ ଢାଞ୍ଚା ଦୋହଲି ଯାଇଛି । ୯ଟି ୱାର୍ଡ ବିଶିଷ୍ଟ ମେଖଲିଗଞ୍ଜ ପୌରପାଳିକା ଉପରେ ଏପର୍ଯ୍ୟନ୍ତ ଟିଏମସିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା, ଯେଉଁଥିରେ ଦଳର ୮ ଜଣ ଏବଂ ବିଜେପିର ଜଣେ କାଉନସିଲର ଥିଲେ । ଏବେ ପୌରପାଳିକା ଅଧ୍ୟକ୍ଷ ପ୍ରଭାତ ପାଟନୀ ଓ ଅନ୍ୟ ୫ ଜଣ କାଉନସିଲର କଂଗ୍ରେସ ଶିବିରକୁ ଚାଲିଯିବା ପରେ କଂଗ୍ରେସ ଏଠାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ଟିଏମସି ହାତରୁ କ୍ଷମତା ଛଡ଼ାଇ ନେଇଛି ।

କଂଗ୍ରେସରେ ସାମିଲ ହେବା ପରେ କ’ଣ କହିଲେ ପୌରପାଳିକା ଅଧ୍ୟକ୍ଷ ?

କଂଗ୍ରେସରେ ସାମିଲ ହେବା ପରେ ଅଧ୍ୟକ୍ଷ ପ୍ରଭାତ ପାଟନୀ ସଙ୍କେତ ଦେଇଛନ୍ତି ଯେ ଆଗକୁ ଆହୁରି ଅନେକ ନେତା ଦଳ ବଦଳ କରିପାରନ୍ତି । ସେ କହିଛନ୍ତି, "ମୁଁ କୋଲକାତାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛି । ମେଖଲିଗଞ୍ଜ ଫେରିବା ପରେ ଆଉ ଦୁଇ ଜଣ କାଉନସିଲର ମଧ୍ୟ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେବେ ।" ଟିଏମସି ଛାଡ଼ିବାର କାରଣ ଦର୍ଶାଇ ସେ କହିଛନ୍ତି ଯେ ଦଳ ଏବେ ଆଭ୍ୟନ୍ତରୀଣ କନ୍ଦଳରେ ବୁଡ଼ି ରହିଛି, ଯେଉଁଥିପାଇଁ ଜନସାଧାରଣଙ୍କ ପାଇଁ କାମ କରିବା ଅସମ୍ଭବ ହୋଇପଡ଼ିଥିଲା । ଟିଏମସି ଭିତରେ ରହି ଆଉ ଲଢ଼େଇ କରିବା ସମ୍ଭବ ନୁହେଁ । ଅଞ୍ଚଳର ବିକାଶ ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ କଂଗ୍ରେସକୁ ବାଛିଛନ୍ତି ବୋଲି ପାଟନୀ ପ୍ରକାଶ କରିଛନ୍ତି ।

ବିଜେପି ବିରୋଧରେ ଲଢ଼େଇ କରିବ କଂଗ୍ରେସ: ପାଟନୀ

ଏହି ଅବସରରେ ପ୍ରଭାତ ପାଟନୀ କେନ୍ଦ୍ରର ଶାସକ ଦଳ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ହିଁ ବିଜେପି ବିରୋଧରେ ଏହି ଲଢ଼େଇର ନେତୃତ୍ୱ ନେବ । କ୍ଷମତାକୁ ଆସିବା ପୂର୍ବରୁ ବିଜେପି ‘ଭୟ ମୁକ୍ତ ଏବଂ ଭରସା ଯୁକ୍ତ’ ଶାସନର ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଉଥିବାରୁ ଲୋକଙ୍କ ଜୀବିକା ବିପଦରେ ପଡ଼ିଛି । କଂଗ୍ରେସ ବ୍ୟାନର ତଳେ ଏହି ସବୁ ଜନବିରୋଧୀ ନୀତି ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଟିଏମସି ଓ ବିଜେପିର ପ୍ରତିକ୍ରିୟା:

ଟିଏମସି କୁଚବିହାର ଜିଲ୍ଲା ଉପସଭାପତି ଅବଦୁଲ ଜଲିଲ ଅହମ୍ମଦ କହିଛନ୍ତି ଯେ ନିର୍ବାଚନ ପରାଜୟ ପରେ ଅନେକ ନେତା ଦଳ ଛାଡ଼ି ଚାଲିଯାଉଛନ୍ତି । ଯଦି କେହି ଯିବାକୁ ଚାହାଁନ୍ତି, ତେବେ ତାଙ୍କୁ ଜୋର ଜବରଦସ୍ତ ଅଟକାଯାଇ ପାରିବ ନାହିଁ । ଅପରପକ୍ଷରେ, ମେଖଲିଗଞ୍ଜର ବିଜେପି ବିଧାୟକ ଦଧିରାମ ରାୟ ଏହି ଦଳବଦଳ ପଛରେ ବିଜେପିର କୌଣସି ପ୍ରକାର ଭୟ ବା ଧମକ ଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି, ଯଦି କେହି ଭାବୁଛନ୍ତି ଯେ ଦଳ ବଦଳାଇ ସେମାନେ ଦୁର୍ନୀତିର ତଦନ୍ତରୁ ବଞ୍ଚିଯିବେ, ତେବେ ସେମାନେ ଭୁଲ୍ ଭାବୁଛନ୍ତି । ପଶ୍ଚିମବଙ୍ଗର ଏକଦା ଦୁର୍ଗ କୁହାଯାଉଥିବା ଉତ୍ତର ବଙ୍ଗଳାରେ କଂଗ୍ରେସର ଏହି ପୁନରୁଦ୍ଧାର ରାଜ୍ୟ ରାଜନୀତିକୁ ଏକ ନୂଆ ମୋଡ଼ ଦେଇଛି, ଯାହା ମମତା ବାନାର୍ଜୀଙ୍କ ଶିବିର ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଆହୁରି ପଢ଼ନ୍ତୁ... Yusuf Pathan Denies Resignation: ସାଂସଦ ପଦରୁ ଇସ୍ତଫା ଦେବାକୁ କହିଲେ ମମତା, କଥା ରଖିଲେନି ୟୁସୁଫ୍ ପଠାନ