ନୂଆଦିଲ୍ଲୀ,୭।୧୨: ଇଣ୍ଡିଆ ମେଣ୍ଟର ନେତୃତ୍ବକୁ ନେଇ ବିବାଦ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଣ୍ଟର ନେତୃତ୍ବକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଏହା ସହ କହିଛନ୍ତି ମୁଁ ଗଢିଛି ଇଣ୍ଡିଆ ମେଣ୍ଟ। ଦରକାର ପଡିଲେ ଆଗକୁ ନେବି ନେତୃତ୍ବ। ମମତାଙ୍କ ଏହି ବୟାନକୁ ନେଇ ବିଜେପି କରିଛି କଟାକ୍ଷ। ବିଜେପି କହିଛି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ନେତୃତ୍ବ ଉପରେ ଏବେ କାହାର ଭରସା ନାହିଁ।
ଇଣ୍ଡିଆ ମେଣ୍ଟରେ ଫାଟ। ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ବର୍ତ୍ତମାନର ମେଣ୍ଟ ନେତୃତ୍ବଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗାନ୍ଧୀ ପରିବାରକୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ମମତା। ସେ କହିଛନ୍ତି ସେମାନେ ସଠିକ୍ ଭାବେ ଦାୟିତ୍ବ ନେଇ ପାରୁ ନାହାଁନ୍ତି। ନହେଲେ ହରିୟାଣା ଓ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟର ଏଭଳି ପରାଜୟ ହୋଇ ନଥାନ୍ତା। ଆବଶ୍ୟକ ପଡିଲେ ଆଗକୁ ମେଣ୍ଟର ନେତୃତ୍ବ ନେବି। ପଶ୍ଚିମବଙ୍ଗରେ ବସି ମେଣ୍ଟର ଦାୟିତ୍ବ ତୁଲାଇବି। ଏଠାରେ ମୁଖ୍ୟମନ୍ତ୍ରୀ ରହିବା ସହ ଦୁଇଟି ଦାୟିତ୍ବ ନେବାକୁ ମୁଁ ସମର୍ଥ। ସବୁ ଆଞ୍ଚଳିକ ଦଳ ନେତାଙ୍କ ସହ ମୋର ଭଲ ସମ୍ପର୍କ। ମୁଁ ନେତୃତ୍ବ ନେଲେ ମେଣ୍ଟ ସୁଦୃଢ଼ ହେବ ବୋଲି ଦାବି କରିଛନ୍ତି ମମତା।
ସେପଟେ ମମତାଙ୍କ ଏହି କଥାକୁ ନେଇ ବିଜେପି ଇଣ୍ଡିଆ ମେଣ୍ଟକୁ ନେଇ କରିଛି କଟାକ୍ଷ। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ବ ଉପରେ ଏବେ କାହାର ଭରସା ନାହିଁ। କେବେ ଅଖିଳେଶ କହୁଛନ୍ତି ମୁଁ ନେତା, କେବେ ଷ୍ଟାଲିନ୍ କହୁଛନ୍ତି ମୁଁ ନେତା। ଏବେ ଶେଷରେ ମମତା ବି କହିଲେଣି ସେ ମେଣ୍ଟର ନେତୃତ୍ବ ନେବେ। ସମସ୍ତେ ଏକ ସ୍ବରରେ କହୁଛନ୍ତି ରାହୁଲ ନେତା ନୁହେଁ।’