ଆନନ୍ଦପୁର,୨୪/୧୦: ଆନନ୍ଦପୁର ଥାନା ଷଡ଼ଙ୍ଗୀ  ଗ୍ରାମରେ ପୁଅ ଝିଅଙ୍କ  ବେକରେ ଜୋତମାଳ ପିନ୍ଧାଇ  ଗାଁ ଦାଣ୍ଡରେ ବୁଲାଇବା ଭିଡିଓ  ଭାଇରାଲ ହେଉଛି । ଏହାକୁ  ନେଇ ଥାନାରେ ଅଭିଯୋଗ ପରେ ଆନନ୍ଦପୁର ପୁଲିସ  ୨୮୬/୨୫ ରେ ଏକ ମାମଲା ରୁଜୁ କରି ଷଡ଼ଙ୍ଗୀ ଗ୍ରାମର ମିନତୀ ହୋ(୨୫), ଲମ୍ବୋଧର  ହୋ (୩୫), ବାଣୀ ପୂର୍ତ୍ତି  (୨୦), ଦଣ୍ଡରା ହୋ (୨୬)  ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଫନୀନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି ।  

ସୂଚନା ଯୋଗ୍ୟ, ଷଡ଼ଙ୍ଗୀ ଗ୍ରାମର ଜଣେ  ଯୁବକ ଧାନ ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଗାଁ ମୁଣ୍ଡରେ ହାଣ୍ଡିଆ ପିଇବାକୁ ଅଟକିଥିଲା । ଜଣେ ମହିଳା ଯୁବକଙ୍କୁ ହାଣ୍ଡିଆ ଦେଇ ଘରକୁ ଯାଇଥିଲେ । ମହିଳାଙ୍କ ପଛେ ପଛେ  ଯୁବକ ଜଣଙ୍କ ଘରକୁ ପଶିଯିବାରୁ ବାହାରେ ଥିବା  କିଛି ମହିଳା ଓ ପୁରୁଷ ବାହାରପାଶ୍ୱର୍ରୁ କବାଟ  ବନ୍ଦ କରିଦେଇଥିଲେ । ପରେ ମହିଳାଙ୍କ ସ୍ୱାମୀ  ଆସିବା ପରେ ଗ୍ରାମର କେତେକ ମହିଳା ପୁରୁଷ  ଘରେ ଥିବା ପୁରୁଷ ଓ ମହିଳାଙ୍କୁ ବାହାରକୁ  ବାହାର କରି ବେକରେ ଜୋତମାଳ ପିନ୍ଧାଇ  ଗାଁ ବୁଲାଇଥିଲେ । ଯାହାର ଭିଡିଓ ଭାଇରଲ  ହେବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା ।