ମୁମ୍ବାଇ ୦୪/୦୬: କର୍ଣ୍ଣାଟକ ଚିକ୍କାବଲପୁର ଜିଲ୍ଲାରେ ଜଣେ ଅଟୋରିକ୍ସା ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି । ନିଜର ଜନ୍ମଦିନ ଅବସରରେ ସେ କେକ୍ କାଟିବାକୁ ଖଣ୍ଡା ବ୍ୟବହାର କରିଥିଲେ । ତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ପୁଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଚିକ୍କାବଲପୁର ଜିଲ୍ଲା ବିଚୁକୁରହାଲି ଗାଁର ବାସିନ୍ଦା ଅନୀଲ କୁମାର ଗତ ମେ ୩୧ ତାରିଖରେ ନିଜର ଜନ୍ମଦିନ ପାଳନ କରିଥିଲେ । ସେହି ଅବସରରେ ତାଙ୍କର ପରିବାର ଲୋକେ, ବନ୍ଧୁ ପରିଜନମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସମସ୍ତଙ୍କ ଉପସ୍ଥିତିରେ ଉତ୍ସବରେ ଅନୀଲ ଏକ କାଟ୍ରିଜ୍ ଆକୃତିର କେକ୍କୁ ଖଣ୍ଡାରେ କାଟିଥିଲେ । ସେହି ସମୟରେ ପରିଜନମାନେ ତାଙ୍କୁ ତାଳି ମାରି ଉତ୍ସାହିତ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଘଟଣାର ଭିଡିଓ ସୋସିଆଲ୍ ମିଡିଆ ମାଧ୍ୟମରେ ପୁଲିସ ନିକଟରେ ପହଞ୍ଚିଥିଲା । ପୁଲିସ ତାଙ୍କୁ ଗତକାଲି ଗିରଫ କରିଥିବାବେଳେ ଅତ୍ୟଧିକ ଉତ୍ସାହିତ ହୋଇ ସେ ଏହି କାର୍ଯ୍ୟ କରିଥିବା ସ୍ୱୀକାର କରିଛନ୍ତି । ତାଙ୍କ ବିରୋଧରେ ପୂର୍ବରୁ କୌଣସି ମାମଲା ନଥିବା ସୂଚନା ମିଳିଛି ।

ଏହାପୂର୍ବରୁ ଏପ୍ରିଲ ୧୨ ତାରିଖରେ ଚେନ୍ନାଇରେ ସମାନ ଘଟଣା ଘଟିଥିଲା । ଗ୍ରେଟର ଚେନ୍ନାଇ କର୍ପୋରେସନ୍ର ଜଣେ କଂଗ୍ରେସ କାଉନ୍ସିଲରଙ୍କ ପୁଅ ଦର୍ଶନ ତାଙ୍କର ଜନ୍ମଦିନ ଉତ୍ସବ ସମୟରେ ଖଣ୍ଡାରେ କେକ୍ କାଟିଥିବାର ଭିଡିଓ ଭାଇରାଲ୍ ହେବାରୁ ପୁଲିସ ତାଙ୍କ ବିରୋଧରେ ତଦନ୍ତ କରିଥିଲା । ସୂଚନାଥାଉକି, ବିନା ଲାଇସେନ୍ସରେ ସର୍ବସାଧାରଣରେ ଖଣ୍ଡା ବୁଲାଇବା ଭାରତୀୟ ଶସ୍ତ୍ର ଅଧିନିୟମର ଉଲଂଘନ । ଏହାକୁ ଅପରାଧିକ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଥାଏ । ଏଭଳି କାର୍ଯ୍ୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିବା ମନେ କରାଯାଏ ।