ଅହମ୍ମଦାବାଦ,୩୦/୧୧: ସୁରକ୍ଷା ଏଜେନ୍ସିର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗୁଜରାଟ ଏଟିଏସ୍‌ ଜଣେ ଭାରତୀୟ ଯୁବକଙ୍କୁ ଗିରଫ କରିଛି । ସେ ହେଲା ଦିନେଶ ଗୋହିଲ । ଗୋହିଲ ଓଖା ବେଳାଭୂମିରେ ଏକ ଘରୋଇ କଂପାନିରେ  ଏଜେଣ୍ଟ ଭାବେ ଚାକିରି କରୁଥିଲା । ଏହି ଆଳରେ ଓଖା, ଦ୍ୱାରକା  ଓ ଜାମନଗରରୁ ଭାରତୀୟ ସୈନିକମାନଙ୍କ ସହିତ ଜଡିତ ତଥ୍ୟ ପାକିସ୍ତାନକୁ ପଠାଉଥିଲା । 

ଗୁଜରାଟ ଏଟିଏସ୍‌ ଅନୁସାରେ,  କିଛି ଦିନ ହେଲା ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ  ସୀମା ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନ ଯାଏ  ପହଞ୍ଚୁଥିଲା । ଏଥିନେଇ ଗୁଜରାଟ ଏଟିଏସ୍‌ର ଟିମ୍‌ ଓଖାରେ  ରହୁଥିବା ଜଣେ ଯୁବକକୁ ଟ୍ରାକ୍‌ କରୁଥିଲା । ତାକୁ ଗିରଫ କରାଯିବା ପରେ ସେ ତଟରକ୍ଷୀ ବାହିନୀର ଗୁରୁତ୍ୱପୂର୍ଣ୍ଣ ତଥ୍ୟ  ପାକିସ୍ତାନକୁ ଦେଇଥିବା ଜଣାପଡ଼ିଛି । 

ଜେରାବେଳେ ଗୋହିଲ  କହିଛି ଯେ, ସୋସିଆଲ୍‌ ମିଡିଆ ଜରିଆରେ ସେ ପାକିସ୍ତାନର କିଛି  ଲୋକଙ୍କ ଯୋଗାଯୋଗରେ ଆସିଥିଲା । ଅର୍ଥ ଲୋଭରେ ଭାରତୀୟ  ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ସୀମା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ  ଫଟୋ ପାକିସ୍ତାନ ପଠାଇଥିଲା । ପୁଲିସ ଗୋହିଲ ସହିତ  ଯୋଗାଯୋଗରେ ଥିବା ଲୋକଙ୍କ ସଂପର୍କରେ ଯାଞ୍ଚ ଆରମ୍ଭ କରିଛି।