ଅଳତୀ,୨୬/୦୫: ମୃତ୍ୟୁ କେତେବେଳେ ଆସିବ କାହାକୁ ବା ଜଣା । ସାବିତ୍ରୀ ଅମାବାସ୍ୟାରେ ଏକ ଅଘଟଣ ଘଟିଯାଇଛି । ସାବିତ୍ରୀ ପୂଜା ପାଇଁ ସାମଗ୍ରୀ ଆଣିବାକୁ ପତ୍ନୀ କହିଥିଲେ । ଅପେକ୍ଷା କରି ରହିଥିଲେ ସ୍ୱାମୀ ଫେରିଲେ ପୂଜା କରିବେ । ହେଲେ କିଏ ଜାଣିଥିଲା ତାଙ୍କ ସିନ୍ଦୂରକୁ ସେ ହରାଇବେ ବୋଲି । ସାବିତ୍ରୀ ଆମାବାସ୍ୟରେ ତିଗିରିଆ ଗାଁର ଯୁବକ ତପନ ରାଉତଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଆଠଗଡ ଆଳତୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପୁରୁଣା ବାନ୍ଧଗୋଡା ପଞ୍ଚାୟତ ତିଗିରିଆ ଗାଁରୁ ଏହି ଦୁଃଖଦ ଖବର ଆସିଛି ।
ତପନ ଜଣେ ମୂର୍ତ୍ତୀ କାରିଗର ଭାବରେ ବେଶ୍ ପରିଚିତ । ସାବିତ୍ରୀ ପୂଜା ସାମଗ୍ରୀ କିଣିବା ପରେ ସ୍ତ୍ରୀଙ୍କୁ କହିଥିଲେ । କାମ କରିବାକୁ ସାଳବଣୀ ଯାଇ ଶିଘ୍ର ଫେରୀ ଆସିବାକୁ କଥା ଦେଇ ଯାଇଥିଲେ । ପତ୍ନୀ ଘରେ ସାବିତ୍ରୀ ଓଷା କରୁଥିବା ବେଳେ ହଠାତ୍ ସାଳବଣି ଗ୍ରାମରୁ ଖବର ଆସିଲା ତପନ କାମ କରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଛି ।
ଖବର ପାଇ ପରିବାର ଲୋକ ମେଡିକାଲରେ ପହଞ୍ଚିଥିଲେ । ହେଲେ ସବୁକିଛି ଶେଷ ହୋଇଯାଇଥିଲା । ହୃଦଘାତରେ ତପନଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ସାବିତ୍ରୀରେ ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ତପନଙ୍କ ପତ୍ନୀ । ପରିବାର ହତବାକ୍ ହୋଇଯାଇଛନ୍ତି । ଗ୍ରାମର ଜଣେ ପରୋପକାରୀ ଯୁବକଙ୍କୁ ହରାଇ ଶୋକରେ ବୁଡ଼ିଛନ୍ତି ।