ନୂଆଦିଲ୍ଲୀ,୦୪/୦୯: ବିଶ୍ୱରେ ପ୍ରତି ବର୍ଷ ହଜାର ହଜାର ଲୋକ ନିଖୋଜ ହେଉଛନ୍ତି । ଅନେକ ଦେଶରେ ଏହି ସଂଖ୍ୟା ଲକ୍ଷରେ ପହଞ୍ଚୁଛି । ଅଧିକାଂଶ ନିଖୋଜ ଲୋକଙ୍କୁ ଖୋଜିବା ସମ୍ଭବ ହୁଏନାହିଁ । ଦୀର୍ଘ ଦଶନ୍ଧି ଧରି ନିଖୋଜ ଥିବା ବ୍ୟକ୍ତି ହଠାତ୍ ଉଭା ହେବାର ବିରଳ ଉଦାହରଣ ରହିଛି । ଏଭଳି ଏକ ରହସ୍ୟମୟୀ ମାମଲା ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି । ବିଗତ ୩୦ ବର୍ଷ ହେଲା ନିଖୋଜ ଥିବା ରୋମାନିଆର ଜଣେ ବ୍ୟକ୍ତି ହଠାତ୍ ଉଭା ହେବା ଘଟଣା ସଭିଁଙ୍କୁ ଚକିତ କରିଛି । ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଘର ଛାଡ଼ିବାବେଳେ ସେ ଯେଉଁ ପୋଷାକ ପିନ୍ଧିଥିଲେ, ସେହି ପୋଷାକ ପିନ୍ଧି ଫେରିଛନ୍ତି । ଭେଜିଲେ ଗୋର୍ଗୋ ଜଣେ ପଶୁପାଳକ ।
୧୯୯୧ ମସିହାରେ ଏକ ନିୟମିତ ବ୍ୟବସାୟିକ ଗସ୍ତରେ ଘରୁ ଯିବାବେଳେ ତାଙ୍କର ବୟସ ୬୩ ବର୍ଷ ଥିଲା । ଫେରିବା ପାଇଁ ସେ ଆଗୁଆ ଟିକଟ୍ ବି କରିସାରିଥିଲେ । କିନ୍ତୁ ଆଉ ଫେରିଲେ ନାହିଁ । ତାଙ୍କ ପରିବାର ଲୋକେ ତାଙ୍କୁ ନେଇ ଖୁବ୍ ଚିନ୍ତାରେ ରହିଲେ । ଅନିଶ୍ଚିତତା ମଧ୍ୟରେ ଅନେକ ବର୍ଷ ଖୋଜାଖୋଜି ପରେ ପରିବାର ଗୋର୍ଗୋଙ୍କୁ ମୃତ ବୋଲି ଭାବିନେଲେ । ପ୍ରତି ବର୍ଷ ଗୋର୍ଗୋଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ କଲେ ମଧ୍ୟ ତାଙ୍କ ଫେରିବାର ଆଶା ଧୀରେ ଧୀରେ ମଉଳିଗଲା । ୨୦୨୧, ଅଗଷ୍ଟ ୨୯ ତାରିଖରେ ଗୋର୍ଗୋ ହଠାତ୍ ଏକ କାର୍ରେ ଘରେ ପହଞ୍ଚିଲେ ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ୩୦ ବର୍ଷ ତଳେ ଘର ଛାଡ଼ିବାବେଳେ ସାଙ୍ଗରେ ନେଇଥିବା ସମାନ ପରିଚୟ ପତ୍ର ଓ ଟ୍ରେନ୍ ଟିକଟ୍ ସହିତ ସେ ଫେରିଥିଲେ । ନିଖୋଜ ଥିବାବେଳେ ଯେଉଁ ଜୀବନ ସେ ବିତାଇଥିଲେ, ତାକୁ ନେଇ ଅନେକ ପ୍ରଶ୍ନ ଉଠିଲା । ତାଙ୍କ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ରରୁ ଜଣାପଡ଼ିଲା, ଗୋର୍ଗୋ ସୁସ୍ଥ ଥିଲେ, କିନ୍ତୁ ତାଙ୍କର କିଛି ବୟସ ଜନିତ ମାନସିକ ସମସ୍ୟା ସାମ୍ନାକୁ ଆସିଥିଲା । ଅତୀତର ଅନେକ କଥା ସେ ମନେପକାଇଲେ ହେଁ, ନିଜ ସନ୍ତାନଙ୍କୁ ଚିହ୍ନିପାରିଲେ ନାହିଁ । ଗୋର୍ଗୋ କେଉଁଠି ଥିଲେ, କିଏ ତାଙ୍କୁ କାମ ଦେଇଥିଲା କିମ୍ବା ୩୦ ବର୍ଷର ଜୀବନ ତାଙ୍କର କେମିତି ବିତିଲା, ତାହା କାହାକୁ ଜଣାନାହିଁ । ତାଙ୍କର ଉଭାନ୍ ହେବାକୁ ନେଇ ଅନେକ ଲୋକ ଅନେକ କଥା କହୁଛନ୍ତି।