ନୂଆଦିଲ୍ଲୀ,୧୭/୧୨: ଡିଜିଟାଲ ଆରେଷ୍ଟ ଜାଲରେ ବେଙ୍ଗାଲୁରୁର ଜଣେ ସଫ୍ଟୱେର ଇଞ୍ଜିନିୟର । ଏପରିକି ନକଲି ପୁଲିସକୁ ଟଙ୍କା ଦେବା ପାଇଁ ଇଞ୍ଜିନିୟର ବବିତା ଦାସ ନିଜର ଦୁଇଟି ଫ୍ଲାଟ ମଧ୍ୟ ବିକ୍ରି କରିଦେଇଛନ୍ତି । ସୂଚନା ଅନୁସାରେ, ବବିତା ତାଙ୍କ ୧୦ ବର୍ଷୀୟ ପୁଅ ସହ ବିଜ୍ଞାନ ନଗରରେ ଏକ ଫ୍ଲାଟରେ ରହୁଥିଲେ । ଗତ ଜୁନ୍ରେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା । ବ୍ୟକ୍ତି ଜଣକ ଏକ କୋରିୟର ଅଫିସ୍ରୁ କହୁଥିବା ପରିଚୟ ଦେଇ ବବିତାଙ୍କ ଆଧାର କାର୍ଡ ସହ ଲିଙ୍କ୍ ଥିବା ଏକ ସନ୍ଦେହଜନକ ବ୍ୟାଗ୍ ଆସିଥିବା କହିଥିଲେ । ସଙ୍ଗେ ସଙ୍ଗେ କଲ୍ ନକଲି ମୁମ୍ବାଇ ପୁଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ହୋଇଥିଲା ।
ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ନକଲି ପୁଲିସ ଜଣକ ବବିତାଙ୍କୁ କହିଥିଲେ । ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ପରେ ବବିତାଙ୍କୁ ଏକ ଆପ୍ଲିକେସନ ଫୋନ୍ରେ ଇନଷ୍ଟଲ କରିବାକୁ କୁହାଯାଇଥିଲା । ଏଥିରେ ସହଯୋଗ ନ କଲେ ତାଙ୍କ ପୁଅ ମଧ୍ୟ ଅସୁବିଧାରେ ପଡ଼ିବ ବୋଲି ତାଙ୍କୁ ଧମକା ଯାଇଥିଲା । ମାମଲା ରଫାଦଫା ପାଇଁ ନକଲି ପୁଲିସ ତାଙ୍କୁ ଟଙ୍କା ମାଗିଥିଲା । ପରେ ବବିତା ମାଲୁରରେ ଥିବା ତାଙ୍କର ଦୁଇଟି ଫ୍ଲାଟ୍ ବିକି ଠକର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । କମ୍ ଦାମ୍ରେ ତାଙ୍କର ଏକ ପ୍ଲଟ ମଧ୍ୟ ବିକି ଦେଇଥିଲେ । ଏଥିସହ ବ୍ୟାଙ୍କରୁ ଆହୁରି ଟଙ୍କା ଋଣ ଆଣି ସ୍କାମର ଆକାଉଣ୍ଟରେ ପଠାଇଥିଲେ । ଏଥିରେ ବବିତା ପ୍ରାୟ ୨ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି । ସ୍କାମର ଜଣକ ଫୋନ କାଟିବା ପୂର୍ବରୁ ତାଙ୍କୁ ନିକଟସ୍ଥ ଥାନାକୁ ଯାଇ ଟଙ୍କା ନେବାକୁ ମଧ୍ୟ କହିଥିଲେ । ବବିତାଙ୍କ ଅଭିଯୋଗ କ୍ରମେ ହ୍ୱାଇଟ୍ଫିଲ୍ଡ ସାଇବର କ୍ରାଇମ ପୁଲିସ ଏକ ମାମଲା ରୁଜୁ କରିଛି ।