ବେଙ୍ଗାଲୁରୁ: ବସ୍‌ର ପ୍ରବେଶ ଦ୍ବାର ନିକଟରେ ଛିଡ଼ା ହେବାକୁ ବାରଣ କରିବାରୁ କଣ୍ଡକ୍ଟରଙ୍କୁ ଛୁରାମାଡ଼ କଲେ ଯୁବକ । ୪୫ ବର୍ଷୀୟ ବସ କଣ୍ଡକ୍ଟର ଯୋଗେଶ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ୨୩ ବର୍ଷୀୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଏଭଳି ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଥିବା ବେଳେ କଣ୍ଡକ୍ଟରଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ଦେଇଛି ବେଙ୍ଗାଲୁରୁ ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ ( ବିଏମଟିସି) ।   

ଏହା ସହ ବସ ଭିତରେ ଲାଗିଥିବା ଏକ ସିସିଟିଭି ଫୁଟେଜ ଭାଇରାଲ୍‌ ହେଉଛି । ଯେଉଁଥିରେ ହର୍ଷ ସିହ୍ନା କଣ୍ଡକ୍ଟର ଯୋଗେଶଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ହର୍ଷ ସିହ୍ନା ଝାଡ଼ଖଣ୍ଡର ବାସିନ୍ଦା ହୋଇଥିବା ବେଳେ ୩ ସପ୍ତାହ ହେଲା ଚାକିରି ହରାଇ ବେରୋଜଗାର ଅଛନ୍ତି । ଚାକିରି ହରାଇ ସେ ନିରାଶ ହୋଇଯାଇଛନ୍ତି ବୋଲି ପୋଲିସକୁ କହିଛନ୍ତି ହର୍ଷ । 

 ଗତକାଲି ସନ୍ଧ୍ୟାରେ ଆଇଟିପିଏଲ୍‌ ଛକରେ ଏହି ଘଟଣା ଘଟିଥିବା ନେଇ ପୋଲିସ କହିଛି । ଯାତ୍ରୀଙ୍କ ଯା-ଆସ କରିବାରେ ଅସୁବିଧା ହେଉଥିବାରୁ ଯୋଗେଶ ବସ୍‌ର ପ୍ରବେଶ ଦ୍ବାରାରେ ଛିଡ଼ା ନହେବାକୁ ହର୍ଷଙ୍କୁ କହିଥିଲେ । ଏହି କଥାକୁ ନେଇ  ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା ପରେ ହର୍ଷ ନିଜ ବ୍ୟାଗରୁ ଏକ ଛୁରୀ ବାହାର କରି ଯୋଗେଶଙ୍କ ଶରୀରରେ ଭୁସି ଦେଇଥିଲେ । ଏହା ଦେଖି ଯାତ୍ରୀ ଭୟଭୀତ ହୋଇପଡ଼ିବା ସହ ବସ୍‌ରୁ ତଳକୁ ଓହ୍ଲାଇ ଯାଇଥିଲେ । ହର୍ଷ ସିହ୍ନା ଅନ୍ୟ ଯାତ୍ରୀଙ୍କୁ ଧମକାଇଥିଲେ ବୋଲି ଜଣାପଡ଼ିଛି ।  ସେପଟେ ବସ୍‌ ଡ୍ରାଇଭର ସିଦ୍ଦାଲିଙ୍ଗା ସ୍ବାମୀ ବସ୍‌ର ଡୋର୍‌ ଲକ୍‌ କରି ତଳକୁ ଓହ୍ଲାଇ ପଡ଼ିଥିଲେ । ଫଳରେ ହର୍ଷ ବସ୍‌ ବାହାରକୁ ଆସିପାରି ନଥିଲେ । ଏହା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା ।