ମନମୁଣ୍ଡା, ୧୧/୬: ବୌଦ୍ଧ ଜିଲ୍ଲାର ଅନ୍ୟତମ ଶତାବ୍ଦୀ ପୁରାତନ ମନମୁଣ୍ଡାର ଶ୍ରୀ ଦଧିବାମନ ମନ୍ଦିରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ମନ୍ଦିର ମୁଖ୍ୟ ପୂଜକ ଆଶୁତୋଷ ହୋତା ଏବଂ ସହଯୋଗୀ ପୂଜକ ସ୍ୱାଧିନ କୁମାର ହୋତା ପାହାନ୍ତିଆ ସମୟରେ ମହାବାହୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସହ ଚାରବାଡ ବାନ୍ଧିଥିଲେ। ଭୋର ସକାଳ ସମୟରେ ପୂଜକ ଦ୍ୱୟ ମହାପ୍ରଭୁଙ୍କ ନିତିକାନ୍ତି କରିଥିଲେ ଏବଂ ଦିବା ପ୍ରାୟ ୧୧ଟା ସମୟରେ ଘଣ୍ଟ, ଶଙ୍ଖ, ହରିବୋଲ , ହୁଳହୁଳି ସହ ପୂଜକ ଦୁଇ ଭାଇ ବିଶ୍ୱନୀୟନ୍ତାଙ୍କୁ ରତ୍ନବେଦୀରୁ ସୁନ୍ଦର ଢଙ୍ଗରେ ପହଣ୍ଡି କରି ସୁସଜ୍ଜିତ ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ।
ପ୍ରତିଦିନ ମହାପ୍ରଭୁ ବିମ୍ବ(ଦର୍ପଣ) ସ୍ନାନ କରି ଆସୁଥିଲେ। କିନ୍ତୁ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପବିତ୍ର ତେଲ ନଦୀ ଜଳରେ ଚୁଆ, ଚନ୍ଦନ, କର୍ପୁର ଇତ୍ୟାଦି ପକାଯାଇ ଅଧିବାସ କରି ରଖାଯାଇଥିବା ମନ୍ତ୍ରିତ ପବିତ୍ର ଜଳକୁ ସ୍ନାନ ମଣ୍ଡପରେ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଓ ଭକ୍ତ ମାନଙ୍କ ସମ୍ମୁଖରେ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଉଚ୍ଚାରଣ ସହ ଶ୍ରୀ ଜଗନ୍ନାଥ ଙ୍କ ପ୍ରତ୍ୟକ୍ଷ ସ୍ନାନ କରାଯାଇଥିଲା। ଏହି ଦିବ୍ୟ ମୂହୁର୍ତ୍ତରେ ପ୍ରଭୁଙ୍କ ଦର୍ଶନ ପାଇଁ ସ୍ନାନ ମଣ୍ଡପରେ ଭକ୍ତମାନଙ୍କ ପ୍ରବଳ ଗହଳି ଓ ଚଳଚଞ୍ଚଳ ଦେଖିବାକୁ ମିଳିଥିଲା। କାଳିଆ ଠାକୁରଙ୍କ କ୍ଷଣିକ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତମାନଙ୍କ ମଧ୍ୟରେ ଶିହରଣ ଦେଖାଦେଇଥିଲା।
ଭକ୍ତମାନେ ମହାପ୍ରଭୁଙ୍କ ସ୍ନାନ ଜଳକୁ ମୁଣ୍ଡରେ ବୋଳିବା ସହ ପାନ କରିଥିଲେ ଓ ପାତ୍ର ମାନଙ୍କରେ ତାହା ସଂଗ୍ରହ କରି ପରିବାର ସଦସ୍ୟଙ୍କ ନିମନ୍ତେ ଘରକୁ ନେଇଥିଲେ। ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପରେ ପୁଷ୍ପାଞ୍ଜଳି ଓ ଡୋରଲାଗି ଅପରାନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ କରାଯାଇଥିଲା। ଏହା ପରେ ମହାପ୍ରଭୁ ଜ୍ବରରେ ପଡ଼ିବେ, ଉପଶମ ପର୍ଯ୍ୟନ୍ତ ଅଣସର ନୀତି ଚାଲିବ, ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରତ୍ନବେଦୀରେ ଆଉ ଦର୍ଶନ ମିଳିବ ନାହିଁ। ଆଜିର କାର୍ଯ୍ୟକ୍ରମରେ ବ୍ରାହ୍ମଣ ଶିବ କୁମାର ରଥ, ନିରଞ୍ଜନ ହୋତା, କମଲ ନାୟକ, ବିଜୟ କୁମାର ତ୍ରିପାଠୀ, ରୋହିତ କୁମାର ହୋତା, ଚନ୍ଦ୍ରଶେଖର ରଥ, ଗଣେଶ ତ୍ରିପାଠୀ, ପ୍ରିୟାଂଶୁ ହୋତା ଏବଂ ମନ୍ଦିର କମିଟି ସଦସ୍ୟ ବିପ୍ର ବେହେରା, ଗଣେଶ ଲୋଇ ଓ ଅନ୍ୟମାନେ ସହଯୋଗ କରିଥିଲେ।