ଭୁବନେଶ୍ଵର ୭/୧: ପ୍ରମେୟ ପ୍ରସାର ବିଭାଗର ବରିଷ୍ଠ ସଂଯୋଜକ ମାନସରଞ୍ଜନ ଦାଶଙ୍କ ଦେହାନ୍ତ ହୋଇଛି । ସେ କିଛିଦିନ ଧରି ଅସୁସ୍ଥ ରହିଥିଲେ । ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା ।

ଆଠଗଡ ମାଟିକୋଟର ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ଦାଶ ଏବଂ ମଞ୍ଜୁଲତା ଦାସଙ୍କ ସୁପୁତ୍ର ମାନସଙ୍କର ପତ୍ନୀ ଏବଂ ୪ ବର୍ଷର ପୁଅ ରହିଛନ୍ତି । ସ୍ୱର୍ଗତ ମାନସ ଆଠଗଡ଼ ବିଶ୍ୱନାଥ  ବିଦ୍ୟାପୀଠରୁ ମାଟ୍ରିକ, ସ୍ଥାନୀୟ କଲେଜରୁ ଯୁକ୍ତଦୁଇ ବିଜ୍ଞାନ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଫାମାର୍ସୀରେ ଅଧ୍ୟୟନ କରିଥିଲେ।

୨୦୧୩ ମସିହାରେ ସମ ହସ୍ପିଟାଲରେ ଆକାଉଣ୍ଟାଣ୍ଟ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୨୦୧୫ ଏପ୍ରିଲରୁ ପ୍ରମେୟରେ ପ୍ରସାର ବିଭାଗର ବରିଷ୍ଠ ସଂଯୋଜକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ୪ ମାସ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଦୁଇଟି ପ୍ରର୍ଯ୍ୟାୟ ଅସ୍ତ୍ରୋପଚାର ସରିଥିଲା । ହଠାତ୍ ୧୫ ଦିନ ତଳେ ଅଧିକ ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଶେଷରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି।

ଏହି ଦୁଃଖଦ ଖବରରେ ସୋଆ ପରିବାର, ପ୍ରମେୟ ଏବଂ ନ୍ୟୁଜ-୭ରେ ଶୋକରଛାୟା ଖେଳିଯାଇଛି । ଆଜି ଅପରାହ୍ନରେ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ପ୍ରମେୟ ଏବଂ ନ୍ୟୁଜ–୭ କାର୍ଯ୍ୟାଳୟ ଅଣାଯାଇଥିଲା । ସେଠାରେ ଉପସ୍ଥିତ ଉଭୟ ଅନୁଷ୍ଠାନର ଅଧିକାରୀ ଓ କର୍ମକର୍ତ୍ତା ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ଡ. ମନୋଜରଞ୍ଜନ ନାୟକ, ସୁମା ରିଅଲ ମିଡିଆ ପ୍ରାଇଭେଟ ଲିମିଟେଡର ସିଇଓ ସୁନିଲ ଦାସ, ପ୍ରମେୟ ଏବଂ ନ୍ୟୁଜ-୭ ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସେଲ୍ଟ ଆଣ୍ଡ ମାର୍କେଟିଂ ଡାଇରେକ୍ଟର ହିମାଶୁ ହୋତା, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ନ୍ୟୁଜ-୭ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ଏଜିଏମ୍ ରାମାକାନ୍ତ ମଲ୍ଲିକ, ବିଜ୍ଞାପନ ବିଭାଗ ଡିଜିଏମ୍ ଏସ୍ଏଫ୍ ଅଲ୍ଲୀ, ପ୍ରମେୟ ଡିଜିଟାଲ ମୁଖ୍ୟ ସରୋଜ ସାହୁ, ଅମର ପଟ୍ଟନାୟକ, ନ୍ୟୁଜ୍ ୭ ଡିଜିଟାଲ ମୁଖ୍ୟ ଅମରେଶ ଦାସ, ନ୍ୟୁଜ୍ ୭ ମାନବ ସମ୍ବଳ ବିଭାଗ ମୁଖ୍ୟ ପିନାକୀ ନାୟକ ଏବଂ ପ୍ରସାର ବିଭାଗ ଟିମ୍ ଉପସ୍ଥିତ ରହିଥିଲେ।