ମଞ୍ଚେଶ୍ୱର, ୨୦/୮ : ମାତ୍ର ଦେଢ ବର୍ଷେ ତଳେ ନିର୍ମାଣ ହୋଇଥିଲା ୫ ନଂ ୱାର୍ଡ ମଞ୍ଚେଶ୍ୱର ଜ୍ଞାନ ଭାରତୀ କଲେଜ ରାସ୍ତା। କଙ୍କ୍ରିଟ୍ ରାସ୍ତା ଉପରୁ ବେଶ ଚକାଚକ୍ ଦିଶୁଥିଲା । ହେଲେ ବର୍ଷା ସମୟରେ ଭାରୀଯାନ ଯିବା ପରେ ଏହାର ଅସଲ ଚେହେରା ଧରାପଡ଼ିଲା । ରାସ୍ତା ଦବିଯାଇ ଏବେ ମରଣଯନ୍ତା । ପ୍ରାୟ କୋଟିଏ ଟଙ୍କାରେ ନିର୍ମାଣ ହୋଇଥିବା ଏହି ରାସ୍ତା ବରବାଦ୍ ହୋଇଗଲା । ଗତ ମାସେ ଭିତରେ ଏହି ସ୍ଥାନରେ ପ୍ରାୟ ୫ଟି ଦୁର୍ଘଟଣା ଘଟି ଅନେକ ଲୋକ ଆହତ ହେଲେଣି ।
ହାଇଟେକ୍ ଛକରୁ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନଦୀ ବନ୍ଧକୁ ସଂଯୋଗ କରିଛି ଜ୍ଞାନ ଭାରତୀ କଲେଜ ରାସ୍ତା । ଗତ ୨୧ ଜୁନ୍ ୨୦୨୩ରେ ବିଏମସି ଏହାର ମରାମତି କାର୍ଯ୍ୟର ଶୁଭାରମ୍ଭ କରିଥିଲା । ବିଧାୟକ, କର୍ପୋରେଟର ଯୋଗଦେଇ ଏହାର ଶୁଭ ଦେଇଥିଲେ। ରାସ୍ତା ଆରମ୍ଭ ପୂର୍ବରୁ ସ୍ୱେରେଜ କାମ ଶେଷ ହୋଇଥିଲା । ପରେ ପ୍ରାୟ ୯୩ ଲକ୍ଷ ୨୧ ହଜାର ୯୪୫ ଟଙ୍କା ବ୍ୟୟ ଅଟକଳରେ କଙ୍କ୍ରିଟ୍ ରାସ୍ତା ନିର୍ମାଣ ହୋଇଥିଲା । ହେଲେ କାମ ତରବରିଆ ଭାବେ ଶେଷ କରିଦେଇଥିଲେ । ମାସେ ତଳେ ବର୍ଷା ସମୟରେ ଏକ ଟ୍ରାକ୍ଟର ଏହି ରାସ୍ତା ଦେଇ ଯାଉଥିବା ବେଳେ ଦବି ଯାଇଥିଲା । ୧୦୦ ମିଟର ରାସ୍ତାର ୨ଟି ସ୍ଥାନରେ ଖାଲ ହୋଇ ଯାଇଥିଲା । ସେବେଠୁ ଉକ୍ତ ଖାଲ ସେମିତି ମରଣାଯନ୍ତା ହୋଇ ବିପଦ ପାଲଟିଛି । ଏହି ରାସ୍ତାକୁ ଦେଖିଲେ ଲୋକେ ଅସନ୍ତୋଷ ଝାଡୁଛନ୍ତି । ରାସ୍ତା ମଝିରେ ଏଭଳି ପୁଳା ପୁଳା ଖାଲ ହୋଇଛି ଯେ ଗାଡି ଚକ ଖାଲରେ ଯାଇ ପଡୁଛି । ବର୍ଷା ସମୟରେ କେଉଁଠି ରାସ୍ତା କେଉଁଠି ଖାଲ ଜଣା ପଡୁନି । ରାସ୍ତା ଓ ପାଣି ଏକାକାର ହୋଇ ଯାଉଛି । ଗାଡି ଚାଳକ ଜାଣି ନପାରି ଭୁସ୍ଭାସ୍ ସେଠାରେ ପଡି ଖଣ୍ଡିଆଖାବରା ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କାମ ନେଇଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।