ପାଟଣାଗଡ଼,୧୦/୬ (ଆପ୍ର): ଓଡିଶାରୁ ପ୍ରଥମ ଥର ପାଇଁ ଉଦ୍ୟାନ କୃଷି ବିଭାଗ ଓଡିଶା ସରକାର ଓ ପାଲାଡିଏନ ଟେକନିକାଲ ସପୋର୍ଟ ଟିମ ଭୁବନେଶ୍ୱରଙ୍କ ଉଦ୍ୟମରେ ପ୍ରଗତି ଫାର୍ମର ପ୍ରଡ୍ୟୁସର କମ୍ପାନୀ ପାଟଣାଗଡ଼ ତରଫରୁ ପାଞ୍ଚ ଜଣ ଚାଷୀଙ୍କ ଆମ୍ବ ମଙ୍ଗଳବାର (୨୫୦ ଗ୍ରାମ ଓଜନର) ୧୨୦୦ କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ଭାୟା ଭୁବନେଶ୍ୱର ଦେଇ ଦୁବାଇର ଆବୁଧାବିକୁ ପଠାଯାଇଥିବା ବେଳେ ୨୬୦୦ କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ଭାୟା କଲିକତା ଦେଇ ଲଣ୍ଡନକୁ ପଠାଯାଇଛି।
ଏହି ଆମ୍ବ ଭୁବନେଶ୍ୱରରୁ ଫ୍ଲାଇଟରେ ଆବୁଧାବିକୁ ଓ କଲିକତାରୁ ଫ୍ଲାଇଟ ଯୋଗେ ଲଣ୍ଡନକୁ ରପ୍ତାନି ହେବ ବୋଲି ଜଣାପଡିଛି। ଉପଜିଲ୍ଲାପାଳ ସୁନୀଲ ମେହେର ପାଟଣାଗଡ଼, ଜିଲ୍ଲା କୃଷି ଅଧିକାରୀ ସୁଦେଶ କୁମାର ଚୌଧୁରୀ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ପ୍ରମୋଦ କୁମାର ସେଠୀ, ପାଲାଡିଏନ ଟେକ୍ନିକାଲ ଟିମର ସଦସ୍ୟ ଭୁବନେଶ୍ୱର, ଡ଼ ବିବେକ ନାଏକ ଡ଼ିଡ଼ିଏମ ନାବାର୍ଡ, ପ୍ରଗତି ଫାର୍ମର ପ୍ରଡ୍ୟୁସର କମ୍ପାନୀର ଏମଡି ତନ୍ମୟ ଦାଶ, ନିର୍ଦେଶକ ସୁବୋଧ ମେହେରଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଓ ଅଂଚଳର ଆମ୍ବ ଚାଷୀ ମାନଙ୍କ ଉପସ୍ଥିତିରେ ଆଜି ପାଟଣାଗଡ଼ର ପଞ୍ଚମୁଖୀ ହନୁମାନ ମନ୍ଦିର ଠାରୁ ଆମ୍ବ ରପ୍ତାନିର ଶୁଭାରମ୍ଭ କରାଯାଇଛି।
ରାଜ୍ୟରେ ପ୍ରଥମ ଥର ପାଇଁ ପାଟଣାଗଡ଼ରୁ ଦୁବାଇର ଆବୁଧାଵିକୁ ଆମ୍ରପଲ୍ଲୀ ଆମ୍ବ ରପ୍ତାନି ହୋଇଥିବାରୁ ଅଂଚଳର ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ବିଦେଶକୁ ଆମ୍ବ ରପ୍ତାନି ଫଳରେ ଆମ୍ରପଲ୍ଲୀ ଆମ୍ବର ଚାହିଦା ବଢ଼ିବା ସହ ଏହି ପ୍ରଣାଳୀରେ ଆମ୍ବ ଚାଷ କରିବା ପାଇଁ ପାଟଣାଗଡ଼ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇବ ବୋଲି ଚାଷୀମାନେ କହିଛନ୍ତି। ଏହି ଆମ୍ବ ରପ୍ତାନିର ପନ୍ଦର ଦିନ ପୂର୍ବରୁ ଚାଷୀ ମାନଙ୍କୁ ଫିଲଡ ଟ୍ରେନିଂ ଦେବା ସହ ଏକ ବୈଠକ ମଧ୍ୟ କରାଯାଇଥିଲା। ଓ ଏହି ଆମ୍ବ ରପ୍ତାନିରେ ପାଟଣାଗଡ଼ ଅଞ୍ଚଳରୁ ପାଞ୍ଚ ଜଣ ଚାଷୀ ଆବୁଧାବି ଓ ଲଣ୍ଡନକୁ ଯିବେ ବୋଲି ପାଟଣାଗଡ଼ ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।