ନୂଆଦିଲ୍ଲୀ: ଅଶାନ୍ତ ମଣିପୁରକୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ବିରେନ ସିଂହ । ବିଦାୟୀ ବର୍ଷରେ ଘଟିଥିବା ଘଟଣାକ୍ରମ ଉପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂହ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଏହି ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ମୁଁ ଅତ୍ୟନ୍ତ ମର୍ମାହତ । ରାଜ୍ୟବାସୀଙ୍କୁ କହିବାକୁ ଚାହୁଁଛି ଯେ ମେ ୩ ପରଠୁ ଆଜି ଯାଏ ଯାହା କିଛି ଘଟିଛି, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।' ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ଅନେକ ଲୋକଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଛି । ଏହି ସବୁ ଘଟଣା ପାଇଁ ମୁଁ ଅନୁତପ୍ତ । ମୁଁ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ।
୩ରୁ ୪ ମସ ଧରି ରାଜ୍ୟରେ ଶାନ୍ତି ସ୍ଥାପନ ଦିଗରେ ସକାରାତ୍ମକ ପ୍ରଗତି ହୋଇଛି । ଏହାସହ ୨୦୨୫ରେ ମଣିପୁରରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାପନ ସହ ସ୍ଥିତି ସ୍ୱାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ଯାହା ହେବାର ଥିଲା, ତାହା ହୋଇଗଲା । ଆମେ ଏବେ ଅତୀତର ଭୁଲକୁ ଭୁଲି ପୁଣି ଥରେ ନୂଆ ଆରମ୍ଭ କରିବାକୁ ହେବ । ଏକ ଶାନ୍ତିପୂର୍ଣ୍ଣ ମଣିପୁର, ଏକ ସମୃଦ୍ଧ ମଣିପୁର ପାଇଁ ଆମ ସମସ୍ତେ ଏକ ହୋଇ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ବିରେନ ସିଂହ ଲୋକଙ୍କୁ କହିଛନ୍ତି ।
ହିଂସା ମୁକାବିଲା ଦିଗରେ ବିଫଳତାକୁ ନେଇ ବିରୋଧୀଙ୍କ ଟାର୍ଗେଟକୁ ଆସିଥିବା ବିରେନ ସିଂହ ରାଜ୍ୟକୁ ଶାନ୍ତି ଫେରୁଛି ବୋଲି ଦୃଢତାର ସହ କହିଛନ୍ତି । ଇମ୍ଫାଲରେ ସାମ୍ୱାଦିକ ସମ୍ମିଳନୀରେ ବିରେନ କହିଛନ୍ତି, 'ମଣିପୁରରେ ଶାନ୍ତି ସ୍ଥାପନ ହେଉଛି ଏବଂ ଏହାର ଏକମାତ୍ର ସମାଧାନ ହେଉଛି ଚର୍ଚ୍ଚା ଏବଂ ଆଲୋଚନା । କେନ୍ଦ୍ର ସରକାର ପୂର୍ବରୁ ଏକ ଦିଗରେ ଉଦ୍ୟମ ଆରମ୍ଭ କରିସାରିଛନ୍ତି ।'
ଉଲ୍ଲେଖଯୋଗ୍ୟ ଯେ, ମଣିପୁରରେ ୨୦୨୩ ମେ ୩ଠାରୁ ବହୁସଂଖ୍ୟାକ ମୈତେଇ ଏବଂ କୁକିଙ୍କ ମଧ୍ୟରେ ସଂରକ୍ଷଣକୁ ନେଇ ଜାରି ହିଂସା ଏବେ ବି ଥମି ନାହିଁ । ଏହି ଜାତିଗତ ହିଂସାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଏପରିକି ଅନେକ ସମୟରେ ବହୁ ଛାତିଥରେ ଦୃଶ୍ୟ ସାମ୍ନାକୁ ଆସିଛି ।