ନୂଆଦିଲ୍ଲୀ,୧୦/୦୪: ମଣିପୁରରେ ପୁଣି କର୍ଫ୍ୟୁ । ରାଷ୍ଟ୍ରପତି ଶାସନ ଲାଗୁ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନାହିଁ ପରିସ୍ଥିତି । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି । ଚୁରାଚାନ୍ଦପୁର ଜିଲ୍ଲାପାଳ ଧରୁଣ କୁମାର କର୍ଫ୍ୟୁ ପାଇଁ ଆଦେଶ ଦେବା ସହିତ ଏହାକୁ ତୁରନ୍ତ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି।
ଆଦେଶରେ କୁହାଯାଇଛି ଯେ, ଚୁରାଚାନ୍ଦପୁର ଏବଂ କାଙ୍ଗୱାଇର ଦୁଇଟି ଗ୍ରାମ, ସାମୁଲାମାଲାନ,ସାଙ୍ଗାଇକୋଟ ଉପଖଣ୍ଡରେ ଏପ୍ରିଲ ୧୭ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ନିୟମ ବଳବତ୍ତର ରହିବ। କିନ୍ତୁ ବାକି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପାଇଁ ଏପ୍ରିଲ ୧୭ ପର୍ଯ୍ୟନ୍ତ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଛାଡ଼ କରାଯିବ।ତେବେ ଚୁରାଚାନ୍ଦପୁରରେ ଜୋମି ଏବଂ ହମାର ସମର୍ଥକମାନେ ପରସ୍ପର ମଧ୍ୟ ସଂଘର୍ଷ ହୋଇଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ଜଣେ ବ୍ୟକ୍ତି ମୋବାଇଲ୍ ଟାୱାରରେ ଚଢ଼ି ଜୋମି ପତାକାକୁ କାଢ଼ି ତଳେ ଫିଙ୍ଗି ଦେବା ଯୋଗୁଁ ବିବାଦ ଆରମ୍ଭ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ- Nashik high school: ନାସିକ ସ୍କୁଲରେ ଆଶ୍ଚର୍ଯ୍ୟଜନକ ଘଟଣା: ଛାତ୍ରଙ୍କ ବ୍ୟାଗରୁ ମିଳିଲା ଚାକୁ, ବ୍ରାସ୍ ନକଲ୍ ଓ ଅନ୍ୟ ନିଷିଦ୍ଧ ଜିନିଷ
ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଉଭୟ ଗ୍ରାମ ଅଧିକାରୀ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ। ଯେଉଁଥିରେ ବୈଠକରେ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ସୋସିଆଲ ମିଡିଆରେ ଗୁଜବ ନ ପ୍ରସାରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା।ଏହି ବୈଠକରେ ଆଉ ଏକ ନିଷ୍ପତ୍ତି ନିଆଯାଇଛି ଯେ, ଦୁଇ ଗାଁ ମଧ୍ୟରେ ଥିବା ଜମି ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ।ପ୍ରକାଶ ଥାଉକି, ଫେବୃଆରୀ ମାସରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। କାରଣ ୨୦୨୩ ମସିହା ମେ ମାସରୁ ରାଜ୍ୟରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଚାଲିଥିଲା, ଯାହା ଫଳରେ ହିଂସାରେ ପ୍ରାୟ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିଲା।