ନୂଆଦିଲ୍ଲୀ,୧୯।୧୧: ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଅଶାନ୍ତି ଜାରି ରହିଛି। ଏହା ଭିତରେ ମୈତେଇ ସମାଜର ନାଗରିକ ସଂଗଠନ ଏନ୍ଡିଏ ବିଧାୟକଙ୍କ ସେହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ଯେଉଁଥିରେ କୁକି ବିଦ୍ରୋହି ଗୋଷ୍ଠୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ବାନ ଦିଆଯାଇଥିଲା। ରାଜ୍ୟର ଶାସକ ଦଳ ବିଜେପି ନେତୃତ୍ବାଧୀନ ଏନଡିଏ ବିଧାୟକ ସୋମବାର ରାତିରେ ବସି ଏକ ପ୍ରସ୍ତାବ ପାସ୍ କରିଥିଲେ, ଯେଉଁଥିରେ ଜିରିବାମ୍ ଜିଲ୍ଲାର ତିନି ମହିଳା ଓ ତିନି ଶିଶୁଙ୍କ ହତ୍ୟା ପାଇଁ ଦାୟୀ କୁକି ଉଗ୍ରବାଦୀଙ୍କ ବିରୋଧରେ ୭ ଦିନ ଭିତରେ ବଡ଼ ପରିମାଣରେ ଅଭିଯାନ ଚଳାଇବାର ଆହ୍ବାନ ଦିଆଯାଇଥିଲା। ବୈଠକରେ ୨୭ ବିଧାୟକ ଭାଗ ନେଇଥିଲେ, କିନ୍ତୁ ମୈତେଇ ସମାଜର ନାଗରିକ ସଂଗଠନ ଏହାକୁ ଖାରଜ କରିଦେଇଛି ଓ ସରକାର ୨୪ ଘଣ୍ଟା ଭିତରେ କୁକି ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚେତାବନୀ ଦେଇଛି।
ସରକାର କହିଥିଲେ, ୬ ନିର୍ଦୋଷ ମହିଳା ଓ ଶିଶୁଙ୍କ ହତ୍ୟା ପାଇଁ ଦାୟୀ କୁକି ଉଗ୍ରବାଦୀଙ୍କ ବିରୋଧରେ ୭ ଦିନ ଭିତରେ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଉ। ଏଥିରେ ଏହା ମଧ୍ୟ କୁହାଯାଇଥିଲା ଯେ, ୬ ନିର୍ଦୋଷ ମହିଳା ଓ ଶିଶୁଙ୍କ ହତ୍ୟା ପାଇଁ ଦାୟୀ କୁକି ଉଗ୍ରବାଦୀଙ୍କୁ ୭ ଦିନ ଭିତରେ ‘ବେଆଇନ ସଂଗଠନ’ ଘୋଷିତ କରାଯାଉ। ପ୍ରସ୍ତାବରେ କୁହାଯାଇଛି ମାମଲାର ଯାଞ୍ଚ ଦାୟିତ୍ବ ତୁରନ୍ତ ଏନ୍ଆଇଏକୁ ଦିଆଯାଉ।