ନୂଆଦିଲ୍ଲୀ,୨୯/୧୧: ମଣିପୁରରେ ଦେଖାଯାଇଥିବା ହିଂସା ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଏନେଇ ୧୩ ଦିନ ଧରି ହିଂସା କାରଣରୁ ମଣିପୁରରରେ ବନ୍ଦ ଥିବା   ଶିକ୍ଷାନୁଷ୍ଠାନ ଆଜିଠାରୁ ଖୋଲିବ।   ଏନେଇ ସମସ୍ତ ଜିଲ୍ଲା ଓ ଜୋନାଲ ସ୍ତରୀୟ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଫଳରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଆଦି ଖୋଲିବ। ରାଜ୍ୟ ଗୃହ ବିଭାଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୋବାଲ, ବିଷ୍ଣୁପର, କାକଚିଙ୍ଗ ଓ ଜିରିବାମରେ ହିଂସା ଦେଖାଦେବା ପରେ ସ୍କୁଲ କଲେଜ ବନ୍ଦ ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେପଟେ ରାଜ୍ୟରେ ହିଂସା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ସଭା କରାଯାଇଛି।

ସୂଚନା ଅନୁଯାୟୀ,ଜାତିଗତ ତିକ୍ତତା କାରଣରୁ ଦୀର୍ଘ ଦିନ ଧରି ହିଂସା ଲାଗି ରହିବା ଏବଂ ତିନିଜଣ ମହିଳା ଏବଂ ତିନି ଶିଶୁଙ୍କ ସମେତ ୬ଟି ମୃତଦେହ ଉଦ୍ଧାର ହେବା ପରେ ରାଜ୍ୟ ସରକାର ଶିକ୍ଷାନୁଷ୍ଟାନ ବନ୍ଦ କରିବା ନେଇ ଘୋଷଣା କରିଥିଲେ । ତେବେ ଏନେଇ ଶିକ୍ଷା ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ଯେ,   ପ୍ରଭାବିତ ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ, ସରକାରୀ, ବେସରକାରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ପୂର୍ବ ଭଳି ପାଠପଢା ଆରମ୍ଭ ହେବ। ସେହିଭଳି ଉଚ୍ଚ-ବୈଷୟିକ ଶିକ୍ଷା ବିଭାଗ ଘୋଷଣା କରିଛି ଯେ ସରକାରୀ ସହାୟତା ପ୍ରାପ୍ତ କଲେଜ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଆଜିଠାରୁ ଠାରୁ ଖୋଲିବେ। ତେବେ ନଭେମ୍ବର ୧୬ ରେ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିଲା, ଯେତେବେଳେ ଜିରିବାମରେ ସୁରକ୍ଷା ବାହିନୀ ଏବଂ କୁକି-ଜୋ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ହିଂସା ଆରମ୍ଭ ହୋଇଥିଲା।

ଏହି ସଂଘର୍ଷରେ ୧୦ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ ଏବଂ ରିଲିଫ କ୍ୟାମ୍ପରୁ ୬ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ମଣିପୁର ଏବଂ ଆସାମର ଜିରିବାମ ନଦୀରେ ସେମାନଙ୍କ ମୃତଦେହ ମିଳିଥିଲା । ଯାହାପରେ ପରିସ୍ଥିତି ଆହୁରି ବିଗିଡିଯାଇଥିଲା । ତେବେ ହିଂସାକୁ ରୋକିବା ପାଇଁ ଇମ୍ଫାଲ ଭ୍ୟାଲି ଜିଲ୍ଲା ଏବଂ ଜିରିବାମ ଉପରେ ଲାଗୁ କରାଯାଇଥିବା ନିଷେଧାଦେଶ ଜାରି ରହିଛି। ବିଦ୍ୟାଳୟ ଓ କଲେଜ ଖୋଲିବା ପରେ କର୍ଫ୍ୟୁ କୋହଳ ହେବ କି ନାହିଁ ତାହା ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି ।