ନୂଆଦିଲ୍ଲା,୧୮/୦୭: ପୂର୍ବତନ ଭାରତୀୟ ୧୯ ବର୍ଷରୁ କମ କ୍ରିକେଟର ଏବଂ ଲଙ୍କା ପ୍ରିମିୟର ଲିଗ୍ (ଏଲପିଏଲ୍) ଦଳର ସଦସ୍ୟ ମଞ୍ଜୋତ୍ କାର୍ଲା ଗିରଫ ହୋଇଛନ୍ତି । ଲଙ୍କା ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଜାଫନ୍ କିଙ୍ଗସର ସହ-ମାଲିକ ମଞ୍ଜୋତ୍ କାର୍ଲାଙ୍କୁ ଦୁର୍ନୀତି ମାମଲାରେ ଶ୍ରୀଲଙ୍କାରୁ ଗିରଫ କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୭ ବର୍ଷୀୟ କାର୍ଲାଙ୍କ ବିରୋଧରେ ଜଣେ ଖେଳାଳିଙ୍କୁ ମ୍ୟାଚ୍ ଫିକ୍ସିଂରେ ଲିପ୍ତ ହେବାକୁ ପ୍ରୋତ୍ସାହିତ କରିବାର ଅଭିଯୋଗ ରହିଛି . କ୍ରୀଡ଼ା ସହିତ ଜଡ଼ିତ ଅପରାଧ ନିବାରଣ ପାଇଁ ପୁଲିସର ସ୍ୱତନ୍ତ୍ର ୟୁନିଟ୍ ତାଙ୍କୁ ଶୁକ୍ରବାର ଗିରଫ କରିଛି । ଆଉ ଜଣେ ଭାରତୀୟ ଯୁବରାଜ ପୁଷ୍ପାଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଅଭିଯୋଗ ଅନୁସାରେ, ସେ ଜଣେ ଖେଳାଳିଙ୍କୁ ଅର୍ଥ ପ୍ରଲୋଭନ ଦେଇଥିଲେ । ପରେ ଏହି ଘଟଣା ସମ୍ପର୍କରେ ଖେଳାଲି କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କହିଛି, ଦୁର୍ନୀତି ବିରୋଧରେ ତାହାର ଶୂନ୍ୟ ସହନଶୀଳତା ନୀତି ଜାରି ରହିଛି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ । ତେବେ ଏହି ଘଟଣା ସତ୍ତ୍ୱେ ଲଙ୍କା ପ୍ରିମିୟର ଲିଗ୍ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଚାଲୁ ରହିବ । ଶ୍ରୀଲଙ୍କା କ୍ରିକେଟ୍ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ।

ଗିରଫ ହେବା ପରେ କାର୍ଲାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ଯେଉଁଠାରେ କୋର୍ଟ ତାଙ୍କୁ ଜୁଲାଇ ୩୧ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏହି ମାମଲାରେ ଅନ୍ୟ ଜଣେ ଭାରତୀୟ ନାଗିରକ ଯୁବରାଜ ପୁଷ୍ପାଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କୁ ବି ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ଘଟଣା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛି ଯେ, ଗିରଫଦାରୀ ଲଙ୍କା ପ୍ରିମିୟର ଲିଗ୍ ୨୦୨୬ ପରିଚାଳନାକୁ ପ୍ରଭାବିତ କରିବ ନାହିଁ । ବୋର୍ଡ କହିଛି ଯେ, ତଦନ୍ତକାରୀ ଏଜେନ୍ସିଂଗୁ଼ଡିକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଏବଂ ଟୁର୍ଣ୍ଣାମେଣ୍ଟର ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାର ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ଏହା ବି ପଢନ୍ତୁ...IND VS ENG: ଟିମ୍ ଇଣ୍ଡିଆକୁ ଜୋରଦାର ଝଟକା, ତୃତୀୟ ଦିନିକିଆରୁ ବାଦ୍ ଷ୍ଟାର ଖେଳାଳି  

୨୦୧୮ ଆଇସିସି ୧୯ ବର୍ଷକୁ କମ୍ ବିଶ୍ୱକପ ଫାଇନାଲରେ ଶତକ ହାସଲ କରିଥିଲେ ମଞ୍ଜୋତ୍ । ଦମଦାର ପ୍ରଦର୍ଶନ ପାଇଁ ହେଡଲାଇନ୍ସ ପାଲଟିଥିଲେ । ତାଙ୍କର ବ୍ୟାଚ୍ ବିଜୟୀ ଇନିଂସ ଭାରତକୁ ଟାଇଟଲ ଜିତିବାରେ ସହାୟତା କରିଥିଲା । କ୍ରିକେଟରୁ ବିରତି ନେବା ପରେ, ସେ କ୍ରୀଡା ବ୍ୟବସାୟ ଆଡକୁ ମୁହାଁଇଲେ । ଏହି ବର୍ଷ ଜାଫନା କିଙ୍ଗସ୍ ଫ୍ରାଞ୍ଚାଇଜରେ ନିବେଶ କଲେ । ଏହା ସହ ମାଲିକ ହେଲେ । ୨୦୨୬ ଏଲପିଏଲ ସମୟରେ ତାଙ୍କର ଗିରଫଦାରୀ କ୍ରିକେଟ ଜଗତରେ ହାଇଚଇ ସୃଷ୍ଟି କରିଛି ।