ନୂଆଦିଲ୍ଲୀ,୨୮/୧୨: କର୍ପୁର ଉଡ଼ିଗଲା ତ କ'ଣ ହେଲା, ଏବେ ବି ତାର ବାସ୍ନା ପଡ଼ିରହିଛି। ଠିକ୍‌ ସେମିତି ଜଣେ ଦୁନିଆରୁ ବିଦାୟ ନେଇଗଲେ ମଧ୍ୟ ସେ କରିଥିବା କାମକୁ ସମସ୍ତେ ମନେପକାନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରର ଡକ୍ଟର ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଛି । କିନ୍ତୁ ଭାରତୀୟ ଅର୍ଥନୀତିର କୌଟିଲ୍ୟ କୁହାଯାଉଥିବା ସିଂହ ସାହାବ୍‌ଙ୍କର ଅନେକ କଥା ଅନେକ ପଦକ୍ଷେପ ଚୀରକାଳ ପର୍ଯ୍ୟନ୍ତ ରହିଯାଇଛି ଜନମାନସରେ। ୧୯୯୧ ରେ ସେ କିପରି ବିଶ୍ୱ ପାଇଁ ଭାରତର ଦ୍ୱାର ଖୋଲିଥିଲେ ଏବଂ ଉଦାରୀକରଣର ଯୁଗ ଆରମ୍ଭ କରି ଭାରତରେ ବିଦେଶୀ କମ୍ପାନୀଗୁଡ଼ିକୁ ପ୍ରବେଶ କରାଇଥିଲେ ତାହା ଅବର୍ଣ୍ଣନୀୟ। ତାଙ୍କ ଦ୍ବାରା ଦେଶର ଅର୍ଥନୈତିକ ସଂସ୍କାର ବିଶ୍ବରେ ଭାରତକୁ ଏକ ଅନନ୍ୟ ପରିଚୟ ଦେଇଥିଲା। କେବଳ ଏତିକି ନୁହେଁ ସେୟାର ବଜାରର କିଙ୍ଗ୍‌ ଥିଲେ ମନମୋହନ ସିଂହ। 

ତାଙ୍କର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ, ସେନ୍ସେକ୍ସରେ ୫ ଗୁଣା ବୃଦ୍ଧି ଦେଖିବାକୁ ମିଳିଥିଲା। ବିଶେଷ କଥା ହେଉଛି ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ, ଷ୍ଟକ୍ ମାର୍କେଟ୍ ୧୦ ବର୍ଷରେ କେବଳ ଦୁଇଥର ନକାରାତ୍ମକ ସ୍ଥରରେ ଦେଖିବାକୁ ମିଳି‌ଥିଲା। ଯେଉଁଠାରେ ୮ ଥର ନିବେଶକମାନେ ବିପୁଳ ଲାଭ କରିଥିଲେ। ତେବେ ଆସନ୍ତୁ ସହଜ ଭାଷାରେ ବୁଝିବାକୁ ଚେଷ୍ଟା କରିବା, ଡକ୍ଟର ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟରେ ନିବେଶକମାନେ କେତେ ଟଙ୍କା ରୋଜଗାର କରିଛନ୍ତି।

୫ ଗୁଣା ବଢ଼ିଥିଲା ସେୟାର ବଜାର:

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ଅନ୍ୟତମ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କ କାର୍ଯ୍ୟକାଳ ସମୟରେ ସେୟାର ବଜାରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଥିଲା। ତଥ୍ୟ ଅନୁଯାୟୀ, ୨୦୦୪ ରୁ ୨୦୧୪ ମଧ୍ୟରେ ବମ୍ବେ ଷ୍ଟକ୍‌ ର ମୁଖ୍ୟ ସୂଚକାଙ୍କ ସେନସେକ୍ସ ୩୯୮ ପ୍ରତିଶତ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କଲେ, ସେନ୍ସେକ୍ସ ୪,୯୬୧ ପଏଣ୍ଟରେ ଥିଲା। ୨୦୧୪ ରେ ଯେତେବେଳେ ସରକାର ବଦଳିଲା, ସେତେବେଳକୁ ସେନସେକ୍ସ ୨୪,୬୯୩ ପଏଣ୍ଟରେ ପହଞ୍ଚିଥିଲା। ଏଥିରୁ ସ୍ପଷ୍ଟ ଯେ, ମନମୋହନ ସିଂ ସେନ୍ସେକ୍ସ ନିବେଶକଙ୍କୁ ତାଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବହୁତ ରୋଜଗାର ଦେଇଛନ୍ତି।

କେଉଁ ବର୍ଷ ମିଳିଥିଲା କେତେ ରିଟର୍ଣ୍ଣ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ମଧ୍ୟରେ ସେନ୍ସେକ୍ସ ୧୦ ବର୍ଷ ମଧ୍ୟରେ ୮ ବର୍ଷ ପଜିଟିଭ୍ ରିଟର୍ଣ୍ଣ ଦେଇଛି। ଯେଉଁଠାରେ କେବଳ ଦୁଇ ବର୍ଷ ନିବେଶକମାନେ କ୍ଷତି ସହିଥିଲେ। ୨୦୦୯ ମସିହାରେ, ନିବେଶକମାନଙ୍କୁ ସେୟାର ବଜାରରୁ ୮୧ ପ୍ରତିଶତ ରିଟର୍ନ ଦିଆଯାଇଥିଲା। ୨୦୦୬ ଏବଂ ୨୦୦୭ ଉଭୟ ବର୍ଷରେ, ନିବେଶକମାନଙ୍କୁ ୪୭ ପ୍ରତିଶତ ରିଟର୍ଣ୍ଣ ଦିଆଯାଇଥିଲା। ଏହା ବ୍ୟତିତ ୨୦୦୪ ରେ ୩୩ ପ୍ରତିଶତ, ୨୦୦୫ ରେ ୪୨ ପ୍ରତିଶତ, ୨୦୧୦ ରେ ୧୭ ପ୍ରତିଶତ, ୨୦୧୨ ରେ ୨୬ ପ୍ରତିଶତ ଏବଂ ୨୦୧୩ରେ ୩୩ ପ୍ରତିଶତ ରିଟର୍ଣ୍ଣ ଦିଆଯାଇଛି। ୨୦୦୮ ରେ ବୈଶ୍ବିକ ମାନ୍ଦାବସ୍ଥା ସମୟରେ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଘଟିଥିଲା। ୨୦୧୧ ରେ, ସେନସେକ୍ସରେ ୨୭ ପ୍ରତିଶତ କ୍ଷତି ହୋଇଥିଲା। ଡ. ମନମୋହନ ସିଂହ ଭାରତର ୧୩ ତମ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଭାରତର ଚତୁର୍ଥ ଦୀର୍ଘ କାର୍ଯ୍ୟକାଳସମ୍ପନ୍ନ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ସେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ରହିଛନ୍ତି।

ଅନେକ ଅର୍ଥନୀତିଜ୍ଞଙ୍କ ମତରେ...

ଡକ୍ଟଟ ମନମୋହନ ସିଂଙ୍କ ପରଲୋକରେ ପ୍ରତିକ୍ରିୟା ଦେଇ ଅର୍ଥନୀତି ବିଶେଷଜ୍ଞ ବି.କେ.ବିଜୟକୁମାର କହିଛନ୍ତି ଯେ, 'ଭାରତରେ ଉଦାରୀକରଣର ସ୍ଥପତି ମନମୋହନ ସିଂହଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ କହିଛନ୍ତି ଯେ ଆଜି ଯେଉଁ ଷ୍ଟକ୍‌ରେ କାରବାର ହେଉଛି ସେହି ଉଚ୍ଚତାରେ ଡକ୍ଟର ମନମୋହନ ସିଂହଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ୧୯୯୧ ରେ ଉଦାରୀକରଣ ଆରମ୍ଭରୁ, ଷ୍ଟକ୍ ମାର୍କେଟରେ ୭୮୦ ଗୁଣ ବୃଦ୍ଧି ଘଟିଛି। ୧୯୯୧ ରେ ଯେଉଁଠାରେ ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ଥିଲା, ଏହା ବୃଦ୍ଧି ହୋଇ ୭୮,୦୦୦ରୁ ଉର୍ଦ୍ଧ୍ବରେ ବ୍ୟବସାୟ କରୁଛି।

ମାଷ୍ଟର କ୍ୟାପିଟାଲ ସର୍ଭିସେସ୍ ନିର୍ଦ୍ଦେଶକ ପଲକ ଆରୋରା ଚୋପ୍ରା ୧୯୯୧ ଉଦାରୀକରଣ ସଂସ୍କାର ପରେ ଭାରତୀୟ ପୁଞ୍ଜି ବଜାରରେ “ଉଲ୍ଲେଖନୀୟ ପରିବର୍ତ୍ତନ” ପାଇଁ ଡ. ସିଂହଙ୍କ ଅବଦାନକୁ ମନେ ପକାଇଥିଲେ। ସେ କହିଛନ୍ତି ଯେ 'ମନମୋହନ ସିଂ ଦେଶର ଅର୍ଥନୈତିକ ଦୃଷ୍ଟିକୋଣକୁ ବଦଳାଇ ଆଧୁନିକ ଭାରତର ମୂଳଦୁଆ ପକାଇଥିଲେ, ଯେଉଁଥିରେ ଲାଇସେନ୍ସ ରାଜ୍ ରଦ୍ଦ, ବାଣିଜ୍ୟ ଉଦାରୀକରଣ, ବିଦେଶୀ ପୁଞ୍ଜି ବିନିଯୋଗକୁ ଅନୁମତି ଦେବା ଭଳି ବିଭିନ୍ନ ନିୟମ ଅନ୍ତର୍ଭୁକ୍ତ ହୋଇଥିଲା।