ଅନୁଗୁଳ,୧୯/୦୪: କେତେବେଳେ ଓଲିଉଡ୍ର ଧୂନ୍ ତ ଆଉ କେତେବେଳେ ବଲିଉଡ୍ର ଡ୍ୟାନ୍ସମାର୍କା ରିଦିମ୍ । ଭଲିକି ଭଳି ରିମିକ୍ସର ରିଦିମ୍‌ରେ ନିର୍ଧୂମ ନଚାଇଲେ ନାଭ୍ୟା । ସମ୍ବଲପୁରୀ ଦୁଲ୍‌ଦୁଲିରେ ଦୁଲୁକିଲା ମଞ୍ଚ, ଝୁମେଇଲା କେନ୍ଦୁଝରର ଝୁମର । ଶନିବାର ଜିଲ୍ଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଏମିତି ମନୋରଞ୍ଜନରେ ମତୁଆଲା ହୋଇଛନ୍ତି ଅନୁଗୁଳବାସୀ । ତେବେ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ କଣ୍ଠରୁ ସମ୍ବଲପୁରୀ ଗୀତ ଶୁଣିବାକୁ ସନ୍ଧ୍ୟା ୬ଟାରୁ ଲାଗିଥିଲା ଭିଡ଼ । ଉତ୍ସୁକତାର ସହ ଚାହିଁଥିଲେ ଦର୍ଶକ । କେତେବେଳେ ମଞ୍ଚକୁ ଚଢ଼ିବେ ମଣ୍ଟୁ ଛୁରିଆ! ଚାହିଁ ଚାହିଁ ରାତି ୧୧ଟା ହେଲା । ହେଲେ ଦେଖା ମିଳିଲାନି । ନିରାଶ ହେଲେ ଅଧିକାଂଶ ଦର୍ଶକ । ଗାଁ ଗହଳିରୁ ଆସିଥିବା ଲୋକମାନେ ନିରାଶ ହୋଇ ଘରକୁ ଫେରିଗଲେ । ଏପଟେ ଠିକ୍ ରାତି ୧୨ଟାରେ ମଣ୍ଟୁ ଛୁରିଆ ମଞ୍ଚକୁ ଚଢ଼ିଲେ । ଯାହାର ମଜା ନେଲେ କେବଳ ଅନୁଗୁଳ ସହରର ଯୁବଗୋଷ୍ଠୀ। ସନ୍ଧ୍ୟାରୁ ଭାଷଣବାଜି କରାଯାଉଥିବା ବେଳେ ରାତି ୧୨ଟା ପରେ ନାଚଗୀତ କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶା ଓ ରାଜ୍ୟ ବାହାରର କଳାକାରଙ୍କୁ ଆଣିବାକୁ ପାଣି ଭଳିଆ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହେଁ ଯାବତୀୟ ଅବ୍ୟବସ୍ଥା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ଉପଭୋଗ କରିପାରୁନାହାନ୍ତି ।

ଅଧିକ ପଢ଼ନ୍ତୁ :-  ଅନୁଗୁଳ ଜିଲ୍ଲା ମହୋତ୍ସବରେ ଅନୁଗୁଳିଆ ବଣ୍ଟିଙ୍କୁ ଅସମ୍ମାନ: ପ୍ରୋଗ୍ରାମକୁ ଡାକି ମଞ୍ଚ ଚଢ଼ାଇ ଦେଲେନି କର୍ତ୍ତୃପକ୍ଷ

ଶନିବାର ମହୋତ୍ସବ ବୁଲିବାକୁ ଅନୁଗୁଳିଆଙ୍କ ଭିତରେ ଥିଲା ଭରପୁର ଉତ୍କଣ୍ଠା । ଅପରାହ୍ଣ ସାଢ଼େ ୪ଟାରୁ ଭିଡ଼ ଆରମ୍ଭ ହୋଇଯାଇଥିଲା । ପଲ୍ଲିଶ୍ରୀ ମେଳା, ଖାଦ୍ୟ ଷ୍ଟଲରେ ଭଳିକି ଭଳି ଖାଦ୍ୟର ମଜା ନେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଖୁସି ମନାଇଥିଲେ । ସନ୍ଧ୍ୟା ନଇଁବା ବେଳକୁ ଆରମ୍ଭ ହୋଇଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ସ୍ଥାନୀୟ ଅନୁଷ୍ଠାନ ନୃତ୍ୟାୟନା, ନୃତ୍ୟ ଶ୍ରୀଧାରା, ଡ୍ୟାନ୍ସ ଲେସନର କଳାକାର ନୃତ୍ୟ ପରିବେଷଣ କରିଥିଲେ । କୁରୁମିଠା ପାଇକ ଆଖଡା ଦଳ ଚିତାକର୍ଷକ ପାଇକ ଆଖଡା ପରିବେଷଣ କରିଥିଲେ । ସୁବର୍ଣ୍ଣପୁରର ସ୍ୱପ୍ନାଞ୍ଜଳି ଡ୍ୟାନ୍ସ ଏକାଡେମୀର କଳାକାର ଡାଲଖାଇ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା । ବଲାଙ୍ଗୀର କଳାକାରଙ୍କ ଘୁଡ୍କା ନୃତ୍ୟ ବିମୋହିତ କରିଥିଲା । କେନ୍ଦୁଝରର ପାର୍ବତୀୟ ସଂସ୍କୃତିକ କଳାକେନ୍ଦ୍ରର କଳାକାରଙ୍କ ଝୁମର ନୃତ୍ୟ ଦର୍ଶକଙ୍କୁ ଝୁମେଇଥିଲା । ଭଳିକି ଭଳି ଲୋକନୃତ୍ୟରେ ଦର୍ଶକ ବିମୋହିତ ହେବା ପରେ ଓଲିଉଡ୍ କଣ୍ଠଶିଳ୍ପୀ ନାଭ୍ୟା ଜାଇତିଙ୍କ ଜଲୱା ଦେଖିବାକୁ ମିଳିଥିଲା । ହିନ୍ଦୀ ଓ ଓଡ଼ିଆର ଭଳିକି ଭଳି ହିଟ୍ ଗୀତ ଗାଇ ସେ ଦର୍ଶକଙ୍କ ମନ ଜିଣିଥିଲେ ।