ରାଞ୍ଚି,୨୬/୦୫: ଶେଷ ନିଶ୍ୱାସ ଗଣୁଛି ନକ୍ସଲବାଦ । ଭୁଶୁଡ଼ିଛି ଲାଲ୍‌ଦୁର୍ଗ । ପୋଲିସକୁ ବଡ଼ ସଫଳତା ମିଳିଥିବା ବେଳେ ଏନକାଉଣ୍ଟରେ ଟଳିଲା ହାର୍ଡକୋର ମାଓବାଦୀ । ଝାଡ଼ଖଣ୍ଡ ଲାତେହାରରେ ଆଉ ଜଣେ ମାଓବାଦୀକୁ ଏନ୍‌କାଉଣ୍ଟର କରିଛି ପୋଲିସ । ଏଥିରେ ମାଓ କମାଣ୍ଡର ମନୀଷ ଯାଦବ ନିହତ ହୋଇଛି । ନିହତ ମନୀଷ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏହା ସହିତ ୧୦ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣେ ହାର୍ଡକୋର ମାଓବାଦୀ ଗିରଫ ହୋଇଛି । ଘଟଣାସ୍ଥଳରୁ ୨ଟି ରାଇଫଲ ଜବତ ହୋଇଛି । ସର୍ଚ୍ଚ ଅପରସେନ୍ ଜାରି ରହିଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଲାତେହାର ମାହୁଆଦାନର ଥାନା ଅନ୍ତର୍ଗତ କାରାମଖଣ୍ଡ ଏବଂ ଦାଉନାରେ ଗୁଳି ବିନିମୟ ହୋଇଥିଲା । ରବିବାର ମଧ୍ୟରାତ୍ରୀରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏଥିରେ ଟଫ୍ ମାଓ କମାଣ୍ଡର ମନୀଷ ଯାଦବ ନିପାତ ହୋଇଛି । ଜଣେ ନକ୍ସଲ ଗିରଫ ହୋଇଛନ୍ତି । ଏ ନେଇ ପାଲାମୁ ଡ଼ିଆଇଜି ୱାଇ.ଏସ ରମେଶ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ...ଶେଷ ନିଃଶ୍ଵାସ ଗଣୁଛି ନକ୍ସଲବାଦ : ଯବାନଙ୍କ ଗୁଳିରେ ଟଳିଲେ ୪ ଦୁର୍ଦ୍ଦାନ୍ତ, ଅସ୍ତ୍ର ଛାଡ଼ିଲେ ୨୪ ମାଓବାଦୀ

ମାଓମୁକ୍ତ ଭାରତ ଲକ୍ଷ ନେଇ ଅପରେସନ୍ ଜୋରଦାର ହୋଇଛି । ଗତ ୨୪ ତାରିଖରେ ମୁମ୍ବାଇର ଗଡ଼ଚିରୋଲି ଜିଲ୍ଲାରେ ଏନ୍‌କାଉଣ୍ଟର ହୋଇଥିଲା । ଏଥିରେ ୪ ହାର୍ଡକୋର ମାଓବାଦୀ ନିପାତ ହୋଇଥିଲେ । ଉକ୍ତ ଦିନ ଝାଡ଼ଖଣ୍ଡରେ ୨ ହାର୍ଡକୋର ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ସେମାନଙ୍କ ମୁଣ୍ଡରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେହିପରି ଗତ ୨୧ ତାରିଖରେ ଛତିଶଗଡ ନାରାୟଣପୁର-ବିଜାପୁର-ଦନ୍ତେୱାଡ଼ା ଜିଲ୍ଲା ମିଶ୍ରଣ ସ୍ଥାନ ଅବୁଝାମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଥିଲା । ଏଥିରେ ୩୦ ନକ୍ସଲ ଟଳିଥିଲେ । ସେଥିରେ ମାଓ ମୁଖ୍ୟ ବାସବାରାଜୁ ନିହତ ହୋଇଥିଲା । ତା ମୁଣ୍ଡରେ ୨ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ଧୀରେ ଧୀରେ ନେତୃତ୍ୱ ବିହୀନ ହେଉଛି ମାଓ ସଙ୍ଗଠନ । ୧୪ ମାସରେ ୪୦୦ ମାଓବାଦୀ ନିପାତ ହେଲେଣି ।