ମାଲକାନଗିରି,୧୯।୩ (ଆପ୍ର ): ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲା ଜଙ୍ଗଲରୁ ମାଓବାଦୀ ଙ୍କ ଡମ୍ପ ଉଦ୍ଧାର କରିଛନ୍ତି ଯବାନ। ସେଥିରୁ ରକେଟ ଲଞ୍ଚର,ଅସ୍ତ୍ରଶସ୍ତ୍ର ସହ ବହୁପରିମାଣ ଗୋଳା ବାରୁଦ ଜବତ କରାଯାଇ ମାଓବାଦୀଙ୍କ ବଡ଼ ଧରଣର ହିଂସାକାଣ୍ଡକୁ ଭଣ୍ଡୁର କରା ଯାଇଛି।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ର ଶସ୍ତ୍ରକୁ ଯବାନ ମାନେ ଜବତ କରିଛନ୍ତି।
ସୂଚନା ଅନୁଯାୟୀ ଛତିଶଗଡର ସୁକୁମା ଜିଲ୍ଲା ଅନ୍ତର୍ଗତ ଦନ୍ତେଶାପୁରମର ଜଙ୍ଗଲରେ ମାଓବାଦୀ ମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ ଓ ଡିଆରଜି ଯବାନ ମାନେ ମିଳିତ ରୂପେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଡମ୍ପକୁ ଯବାନ ଉଦ୍ଧାର କରିଥିଲେ। ସେଥିରୁ ଗୋଟିଏ ବିଜିଏଲ ରକେଟ ଲଞ୍ଚର ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଆଦିକୁ ଯବାନ ମାନେ ଜବତ କରିଥିଲେ। ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଲଞ୍ଚର୍, ୧୨ ବୋର ରାଇଫଲର ୧୯ ଟି ଜୀବନ୍ତ ଗୁଳି, ୫୫ଟି ଜିଲେଟିନ୍ ରଡ୍, ମାଓ ଉପକରଣ ଆଦି ରହିଛି। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନକୁ ଆହୁରି ବଢାଇ ଦିଆଯାଇଛି।