ମାଲକାନଗିରି,୩/୧୨ : ୨ ତାରିଖଠାରୁ ମାଓବାଦୀଙ୍କ ପିଏଲ ଜିଏ ସପ୍ତାହ ଆରମ୍ଭ ହୋଇଛି । ଏହା ମାଲକାନଗିରିରେ ପ୍ରଭାବ ଶୂନ୍ୟ ଥିବାବେଳେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ପିଲର ନିକଟରେ ନାଚଗୀତ ମାଧ୍ୟମରେ ପିଏଲଜିଏ ଦିବସ ପାଳିଛନ୍ତି ମାଓବାଦୀ।
ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରୁ ଦୁଇଟି ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଡିସେମ୍ବର ମାସ ୨ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଥିବାବେଳେ ସୀମାନ୍ତ ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସହିଦ ସ୍ମାରକୀ ସ୍ତମ୍ବ ନିକଟରେ ମାଓବାଦୀଙ୍କ ମହିଳା ନାଟ୍ୟ ଦଳମ ପକ୍ଷରୁ ହାତରେ ଦୀପ ଧରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ସହ ସହ ସଂଖ୍ୟାରେ ମାଓବାଦୀମାନେ ନାଚ ଗୀତ କରୁଥିବା ଦେଖିବାକୁ ମିଳିଛି ।
ବିଗତ ଦିନରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସାଥି ମାଓବାଦୀମାନଙ୍କୁ ମନେ ପକାଇ ହାତରେ ଦୀପ ଧରି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ମହିଳା ମାଓବାଦୀ ଆଉ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ଗରିଲା ପୋଷାକରେ ଥିବା ବନ୍ଧୁକ ଧାରି ପୁରୁଷ ମାଓବାଦୀ । ହେଲେ ଏହାର ଅନ୍ୟପଟେ ଦେଖିବାକୁ ମିଳିଛି ସୁରକ୍ଷା ବାହିନୀର ଯାଞ୍ଚ ତଲାସୀ । ବିଜାପୁର ଜିଲ୍ଲାର ଅନେକ ରାସ୍ତାରେ ଗଛ ପକାଇ ନକ୍ସଲମାନେ ରାସ୍ତା ଅବରୋଧ କରିଥିବା ବେଳେ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ହେଲେ ଗଛ ହଟାଇବା ପରେ ଏହି ସବୁ ରାସ୍ତା ଦେଇ ଯାଉଥିବା ଯାନବାହନକୁ ଟିକି ନିକି ଭାବେ ଯାଞ୍ଚ କରୁଛନ୍ତି ସିଆରପିଏଫ ଯବାନ ।