ନୂଆଦିଲ୍ଲୀ ୨୮/୦୭: ନୀତେଶ ତିୱାରୀଙ୍କ ‘ରାମାୟଣ’ ର ରିଲିଜକୁ ଏବେ ସାରା ଦେଶ ଅପେକ୍ଷା କରିଛି। ଏଥିରେ ରଣବୀର କପୁର, ସାଇପଲ୍ଲବୀ, ୟଶ୍‌ ଲିଡ୍‌ ରୋଲରେ ନଜର ଆସିବେ। ଟେଲିଭିଜନ ଜଗତର ଲୋକ ପ୍ରିୟ ଅଭିନେତା ରବି ଦୁବେ ଏଥିରେ ଲକ୍ଷଣ ଭୂମିକାରେ ଦେଖାଯିବେ। ନିକଟରେ ଫିଲ୍ମ ସେଟରୁ ଏକ ଫଟୋ ଭାଇରାଲ୍‌ ହୋଇଥିଲା। ଏଥିରୁ ଜଣାପଡୁଛି ଏହାର ପ୍ରଥମ ଭାଗର ସୁଟିଂ ଶେଷ ହୋଇଯାଇଛି।  ଏହି ଫିଲ୍ମ ଦୁଇଟି ପାର୍ଟରେ ରିଲିଜ୍‌ ହେବ। ଅନେକ ଦିନରୁ ଏଥିରେ କିଏ ଭରତ ଭୂମିକାରେ ନଜର ଆସିବେ ସେନେଇ ଅଳ୍ପନାଜଳ୍ପନା ଲାଗି ରହିଥିଲା। ଏଥିରେ ମରାଠୀ ଫିଲ୍ମ ଅଭିନେତା ଆଦିନାଥ କୋଠାରେ ଭରତ ଭୂମିକାରେ ଦେଖାଯିବେ ବୋଲି ଫାଇନାଲ ହୋଇଯାଇଛି। ନିକଟରେ ଆଦିନାଥ ଏକ ସାକ୍ଷାତକାରରେ ଏକଥା କହିଛନ୍ତି।

ଆଦିନାଥ କହିଛନ୍ତି ଯେ, ‘ଏହା ମୋ ପାଇଁ ଏକ ଆଶୀର୍ବାଦ। ଏହା ଭାରତରେ ନିର୍ମାଣ କରାଯାଉଥିବା ସବୁଠୁ ବଡ ଫିଲ୍ମ। ଏଥିପାଇଁ ମୁଁ ମୁକେଶ ଛାବରୀ ସାର୍‌ଙ୍କ ନିକଟରେ ଋଣୀ।  ସେ ମୋତେ କାଷ୍ଟ କରିଛନ୍ତି ଏବଂ ନୀତେଶ ସାର୍‌ ମୋତେ ଭରତ ଭୂମିକା ପାଇଁ ବାଛିଛନ୍ତି। ମୋ ଉପରେ ବିଶ୍ୱାସ କରି ଏଭଳି ଏକ ଚରିତ୍ରର ଗୁରୁଦାୟିତ୍ୱ ନମିତ ମଲହୋତ୍ରା ସାର୍‌ ଦେଇଥିବାରୁ ମୁଁ ମଧ୍ୟ ତାଙ୍କ ନିକଟରେ ଋଣୀ।‘ ତେବେ ଆଦିନାଥ କୋଠାରେ ଜଣେ ଆଗଧାଡିର ମରାଠୀ ଫିଲ୍ମ ନିର୍ମାତା ଓ ଅଭିନେତା। ସେ ରଣବୀର ସିଂହଙ୍କ ଫିଲ୍ମ ‘୮୩’ ଜରିଆରେ ବଲିଉଡରେ ଏଣ୍ଟ୍ରି ରଖିଥିଲେ।